କାର ସହ ୭୯ କେଜି ଗଞ୍ଜେଇ ଜବତ, ଚାଳକ ଫେରାର

ନାକ୍‌ଟିଦେଉଳ: ନାକଟିଦେଉଳ ଅଞ୍ଚଳରୁ ଦିନକୁ ଦିନ ଗଞ୍ଜେଇ ଚୋରା ବେପାରୀମାନେ ପୁଲିସ୍‌କୁ ଚକ୍‌ମା ଦେଇ ଅନାୟାସରେ ଗଞେଇ ବେପାର କରୁଛନ୍ତି। ପୁଲିସ୍‌ସେମାନଙ୍କୁ ଧରିବାରେ ବିଫଳ ହେଉଛନ୍ତି। ଅତୀତରେ ବହୁ ଗଞ୍ଜେଇ ବେପାରୀ ନାକଟିଦେଉଳ ଅଞ୍ଚଳରୁ ଧରାପଡ଼ିଛନ୍ତି। ପୁଲିସର ଚଢ଼ଉ ସତ୍ତ୍ବେ ଗଞ୍ଜେଇ ବେପାରୀମାନେ ଏହି ଚୋରା କାରବାରରେ ଲିପ୍ତ ରହୁଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ରେଢାଖୋଲରୁ ନାକଟିଦେଉଳ ପଟକୁ ଏକ ଧଳା କାର୍ (ଓଡି-୦୨ଡି-୪୫୭୪)ରେ ଚୋରାରେ ଗଞ୍ଜେଇ ଅନୁଗୁଳ ଅଞ୍ଚଳକୁ ଯାଉଥିବା ବେଳେ ନାକଟିଦେଉଳ ଥାନା ଅଧିକାରୀ ସୂଚନା ପାଇ ସଦଳବଳେ ଚରଡପଶି ନିକଟରେ ରାସ୍ତାକୁ ବନ୍ଦ କରି ଦେଇଥିଲେ।

ପୁଲିସ ଥିବା ଜାଣିପାରି ଗଞ୍ଜେଇ ବେପାରୀମାନେ ଚରଡ଼ପଶି ନିକଟରେ ଗାଡ଼ିକୁ ପଛକୁ କରି ଶିମିଳିପାଳ ଛକରୁ କୁଡାନାଳି ରାସ୍ତା ପଟକୁ ଦ୍ରୁତ ଗତିରେ ଫେରାର୍ ହୋଇଯାଉଥିଲେ। ତେବେ ପୁଲିସ କାର୍‌କୁ ପିଛା କରିଥିଲା। ପୁଲିସ୍‌ ଆସୁଥିବା ଜାଣି ଜାମୁଜୋରି ପଞ୍ଚାୟତ କୁଡାନାଳି ନିକଟ କୋଇଲିପଦା ନିକଟସ୍ଥ ଜଙ୍ଗଲରେ କାରକୁ ଛାଡି ଫେରାର୍ ହେବାରେ ସକ୍ଷମ ହୋଇଥିଲା। ପୁଲିସ୍‌ ପହଞ୍ଚିବା ବେଳକୁ କାର୍‌ରେ ଚାଳକ ନ ଥିଲା। ପୁଲିସ୍ କାର ଯାଞ୍ଚ କରିବାରୁ ସେଥିରେ ଏକ ବସ୍ତାରେ ୭୯ କେଜି ଗଞ୍ଜେଇ ମିଳିଥିଲା। ନାକ୍‌ଟିଦେଉଳ ଥାନା ଅଧିକାରୀ ବିଭୂତି ଭୂଷଣ ଦଳାଇ ଏ ବାବଦରେ କହଛନ୍ତି ଯେ କାର ମାଲିକଙ୍କ ଘର ଅନୁଗୁଳ ଜିଲ୍ଲାରେ। ଗାଡ଼ି ମାଲିକଙ୍କୁ ଥାନାକୁ ଅଣାଯିବ ଓ ଏହାର ଅନୁସନ୍ଧାନ କରାଯିବ। ଏ ନେଇ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର