୭ ଓଡ଼ିଆଙ୍କୁ ପଦ୍ମ ସମ୍ମାନ: ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ

ଶ୍ୟାମାମଣି ଦେବୀ, ଆଦିତ୍ୟ ପ୍ରସାଦ, ନରସିଂହ ଗୁରୁ, ବାବା ବଳିଆ, ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ପାଳନର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଦେଶରେ ମୋଟ୍ ୧୨୮ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ପଦ୍ମ ପୁରସ୍କାର ତାଲିକାରେ ଅଛନ୍ତି ୭ ଜଣ ବିଶିଷ୍ଟ ଓଡ଼ିଆ। ପ୍ରସିଦ୍ଧ ଲେଖିକା ପ୍ରତିଭା ରାୟଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଭୂଷଣ’ ପାଇଁ ମନୋନୀତ କରାଯାଇଛି। ତାଙ୍କ ସହ ଚଳିତ ବର୍ଷ ଆଉ ୬ ଜଣ ଓଡ଼ିଆ‌ ‘ପଦ୍ମଶ୍ରୀ’ ପାଇବେ। ସେମାନେ ହେଲେ କଳା ପାଇଁ ଶ୍ୟାମାମଣି ଦେବୀ, ବିଜ୍ଞାନ ପାଇଁ ଆଦିତ୍ୟ ପ୍ରସାଦ ଦାଶ, ସମାଜସେବା ପାଇଁ ବାବା ବଳିଆ, କ୍ରୀଡ଼ା ପାଇଁ ପ୍ରମୋଦ ଭଗତ, ସାହିତ୍ୟ ଓ ଶିକ୍ଷା ପାଇଁ ନରସିଂହ ପ୍ରସାଦ ଗୁରୁ। ଏହା ସହ ପ୍ରଶାସନିକ ସେବା କ୍ଷେତ୍ରରେ ଅବଦାନ ପାଇଁ ଦିବଂଗତ ଆଇଏଏସ୍‌ ଅଧିକାରୀ ଗୁରୁପ୍ରସାଦ ମହପାତ୍ରଙ୍କୁ ମରଣୋତ୍ତର ଭାବେ ପଦ୍ମଶ୍ରୀ ପ୍ରଦାନ କରାଯିବ। ଆସନ୍ତା ଏପ୍ରିଲ୍‌/ମେ’ ମାସରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିବେ।

ପଦ୍ମଭୂଷଣ ସମ୍ମାନ ପାଇବାରେ ପ୍ରତିଭା ରାୟ ହେଲେ ୧୩ତମ ଓଡ଼ିଆ। ତାଙ୍କ ପୂର୍ବରୁ ମହାଦେବ ଆୟାର ଗଣପତି, ପ୍ରାଣକୃଷ୍ଣ ପରିଜା, ନୀଳକଣ୍ଠ ଦାସ, ରାଧାନାଥ ରଥ, କାଳନ୍ଦୀ ଚରଣ ପାଣିଗ୍ରାହୀ, ଗୋପୀନାଥ ମହାନ୍ତି, ଗୁରୁ କେଳୁଚରଣ ମହାପାତ୍ର ପ୍ରଫେସର ତ୍ରିଲୋଚନ ପ୍ରଧାନ, ରଘୁନାଥ ମହାପାତ୍ର, ସୀତାକାନ୍ତ ମହାପାତ୍ର, ରମାକାନ୍ତ ରଥ ଓ ମନୋଜ ଦାସ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଶ୍ରୀମତୀ ରାୟ ୨୦୦୭ ମସିହାରେ ପଦ୍ମଶ୍ରୀ ସମ୍ମାନ‌ରେ ମଧ୍ୟ ସମ୍ମାନିତ ହୋଇଥିଲେ। ୨୦୨୦ ମସିହାରେ ଓଡ଼ିଶାରୁ ୭ ଜଣ ପଦ୍ମ ସମ୍ମାନ ପାଇଥିଲେ, ଯାହା କି ଏକ ରେକର୍ଡ ଥିଲା। ଗୋଟିଏ ବର୍ଷରେ ଓଡ଼ିଶାରୁ ଏତେ ସଂଖ୍ୟାରେ ବ୍ୟକ୍ତି ପଦ୍ମ ପୁରସ୍କାର ପାଇବା ଥିଲା ପ୍ରଥମ। ସେହି ୭ ଜଣ ସମସ୍ତେ ‘ପଦ୍ମଶ୍ରୀ’ ପାଇଥିଲେ। ଏଥର ପୁନର୍ବାର ୭ ଜଣ ଓଡ଼ିଆଙ୍କୁ ପଦ୍ମ ସମ୍ମାନ ମିଳିବା ଦ୍ବାରା ଜାତୀୟ ସ୍ତରରେ ଓଡ଼ିଶାର ଗୌରବ ବୃଦ୍ଧି ହୋଇଛି। ପଦ୍ମ ବିଜେତାମାନଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

ମାଟିରେ ବସି ରକ୍ତରେ ଲେଖେ ସାହିତ୍ୟ: ପ୍ରତିଭା ରାୟ

ପଦ୍ମଭୂଷଣ ପାଇଁ ମନୋନୀତ ପ୍ରତିଭା ରାୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଭାରତବର୍ଷର ବିଭିନ୍ନ ଆଞ୍ଚଳିକ ଭାଷା ଏବେ ସଂକଟରେ ବୋଲି ଆଶଙ୍କା କରାଯାଉଥିବା ବେଳେ ଆଞ୍ଚଳିକ ଭାଷାଟିକୁ ଭାରତ ସରକାରଙ୍କ ପକ୍ଷରୁ ଏମିତି ସମ୍ମାନ ମିଳିଲେ ଲେଖକ ଓ ପାଠକ ଉତ୍ସାହିତ ହେବେ। ଆଜି ମିଳିଥିବା ସମ୍ମାନ ରାଜ୍ୟ ପାଇଁ ସମ୍ମାନ, ଓଡ଼ିଆ ଭାଷା ଓ ସାହିତ୍ୟକୁ ସମ୍ମାନ। ଏଣୁ ମୁଁ ଲେଖି ଚାଲିଛି ଓ ଲେଖି ଚାଲିଥିବି। କେନ୍ଦ୍ର ସରକାରଙ୍କ ଏହି ସମ୍ମାନକୁ ମୁଁ ନମ୍ରତାର ସହ ଗ୍ରହଣ କରିବି। ଜଣେ ସାରସ୍ବତ ସାଧକ ଚିନ୍ତାଶୀଳ ହୋଇ ନିଷ୍ଠାପର ଭାବେ ସାହିତ୍ୟ କର୍ମ କରିବା

ଉଚିତ। ସାହିତ୍ୟ ଏକ ସମୟପାରିତ ବ୍ୟବସ୍ଥା ନୁହେଁ, ଏହା ଏକ ବିଶ୍ବସ୍ତ ସାଧନା। ଏଣୁ ମୋ ଯୁବ ପିଢ଼ିଙ୍କୁ ଏତିକି କହିବି, ଯଦି ଆମେ କଲମ ଧରିଛୁ, ଏହାକୁ ହାଲୁକା ଭାବେ ନେବା ନାହିଁ। ଏହାକୁ ସାଧନା ଭାବେ ଗ୍ରହଣ କରିବା। ଗମ୍ଭୀରତାର ସହ ସାରସ୍ବତ କୃତି କରି ଚାଲିବା। ଜଣେ ଲେଖକ ସମାଜକୁ ନେଇ ଲେଖେ। ତା’ ଚାରିପଟେ ଘୂରି ବୁଲୁଥିବା ଚରିତ୍ର, ଚତୁଃପାର୍ଶ୍ବରେ ଘଟୁଥିବା ଘଟଣା ଓ ସମସ୍ୟାକୁ ଦେଖି ଲେଖେ। ସମସ୍ୟାକୁ ଦେଖି ସମାଧାନ ଖୋଜେ ଏବଂ ଏହା ଲେଖକଙ୍କ ଲେଖାରେ ପ୍ରତିଫଳିତ ହୁଏ, ପାଠକକୁ ଛୁଏଁ। ଏବେର ଯୁବପିଢ଼ି ବେଶ୍‌ ବୁଦ୍ଧିମାନ, ଅଙ୍ଗୁଳି ଅଗରେ ରହିଛି ସାରାବିଶ୍ବର ସବିଶେଷ ତଥ୍ୟ; ଏଣୁ ସେ ସବୁକୁ ଗଭୀର ଅନୁଧ୍ୟାନ କରି ଲେଖନୀ ଚାଳନା କରିବା ଉଚିତ। ଯେଉଁ ସ୍ଥାନ ସମ୍ପର୍କରେ ଲେଖୁଛନ୍ତି, ସେ ସ୍ଥାନକୁ ଯାଆନ୍ତୁ। ସେ ସ୍ଥାନର ଏକ ଅଂଶ ଓ ସେ ଚରିତ୍ରର ଏକ ଅଙ୍ଗ ହୋଇଯାଆନ୍ତୁ, ଏକାତ୍ମ ହୋଇଯାଆନ୍ତୁ ଓ ପରେ ଲେଖନ୍ତୁ। ଗୋଟିଏ ଚରିତ୍ର, ସମସ୍ୟା କିମ୍ବା ଘଟଣା ସମ୍ପର୍କରେ ଗୋଟିଏ ସ୍ଥାନରେ ଚୌକିରେ ବସି ଲେଖିଲେ; ତାହା ହୃଦୟଗ୍ରାହୀ ହୁଏ ନାହିଁ। ଲେଖାକୁ ହୃଦୟଗ୍ରାହୀ କରିବାକୁ ରକ୍ତକ୍ଷରଣ କରିବାକୁ ପଡ଼ିବ, ମାଟି ସହ ନିବିଡ଼ ହେବାକୁ ପଡ଼ିବ। ମୁଁ ସବୁବେଳେ କହିଛି, ମୁଁ ମାଟିରେ ବସି ସ୍ୟାହିରେ ନୁହେଁ, ରକ୍ତରେ ଲେଖେ ସାହିତ୍ୟ।

ସମ୍ବନ୍ଧିତ ଖବର