ପୁରୀ : ଦୟା ନଦୀ ଉପତ୍ୟକାରୁ ମିଳିଛି ମୂଲ୍ୟବାନ ବାର୍ତ୍ତା ବହନ କରୁଥିବା ସପ୍ତମ ଶତାବ୍ଦୀର ଏକ କ୍ଷୁଦ୍ର ପ୍ରାଚୀନ ମୂର୍ତ୍ତି। ପୁରୀ ଜିଲ୍ଳା ପିପିଲି ବ୍ଲକ୍‌ର ବାଗେଶ୍ବରପୁର ଗ୍ରାମର ରାମେଶ୍ବର ମହାଦେବଙ୍କ ମନ୍ଦିରରୁ ଉଦ୍ଧାର ହୋଇଥିବା ଏହି ମୂର୍ତ୍ତିର ବିଶେଷତ୍ବ ହେଉଛି ମୂର୍ତ୍ତିର ପଶ୍ଚାତ ଭାଗରେ ଓଡ୍ର ନାଗରୀ ଭାଷାରେ ଲେଖାଯାଇଛି ୭ ଧାଡ଼ିଆ ଶବ୍ଦାବଳି। ମୂର୍ତ୍ତିଟି ବୌଦ୍ଧଧର୍ମର ଗୁରୁ ଅବଲୋକିତେଶ୍ବର ପଦ୍ମପାଣିଙ୍କର ବୋଲି ଅନୁମାନ କରାଯାଉଛି।

Advertisment

ଇଣ୍ଡିଆନ୍‌ ନ୍ୟାସନାଲ୍‌ ଟ୍ରଷ୍ଟ ଫର୍‌ ଆର୍ଟ ଆଣ୍ଡ୍‌ କଲ୍‌ଚରାଲ୍‌ ହେରିଟେଜ୍‌ (ଇନ୍‌ଟାକ୍‌) ଓଡ଼ିଶା ଚାପ୍ଟର ପକ୍ଷରୁ ରତ୍ନଚିରା ଓ ଏହାର ଆଖପାଖରେ ଥିବା ଐତିହ୍ୟ କୀର୍ତ୍ତିରାଜିର ଡକ୍ୟୁମେଣ୍ଟେସନ୍‌ ବେଳେ ଏହି ମୂର୍ତ୍ତି ଉଦ୍ଧାର କରାଯାଇଛି। ଇନ୍‌ଟାକ୍‌ର ଅନିଲ ଧୀର, ବିଶ୍ବଜିତ ମହାନ୍ତି, ବିଷ୍ଣ‌ୁମୋହନ ଅଧିକାରୀ ଓ ଦୀପକ କୁମାର ନାୟକ ପ୍ରମୁଖ ଏହି ପ୍ରାଚୀନ ମୂର୍ତ୍ତିର କାଳଖଣ୍ଡ ନିର୍ଦ୍ଧାରଣ ସହ ଏହାର ପଛ ପାର୍ଶ୍ବରେ ଓଡ୍ର ନାଗରୀ ଭାଷାରେ ଲେଖାଥିବା ଶବ୍ଦାବଳିର ଭାବାର୍ଥ ବାହାର କରିଛନ୍ତି।

ମୂର୍ତ୍ତିରେ ଉଲ୍ଲେଖ ଶବ୍ଦାବଳିର ଭାବାର୍ଥ ହେଉଛି, ସମସ୍ତ ଧର୍ମ ସୃଷ୍ଟି ପଛରେ କିଛି କାରଣ ନିହିତ ଅଛି। ତଥାଗତ ଏହି ସବୁ କାରଣ ବାବଦରେ ସ୍ପଷ୍ଟ କରିଛନ୍ତି। ସେଇ ମହାଶ୍ରମଣଙ୍କ ଦ୍ବାରା ଏହି ଶିକ୍ଷା ଦିଆଯାଇଛି ବୋଲି ଉଲ୍ଲେଖ ରହିଥିବା ଦୀପକ ନାୟକ କହିଛନ୍ତି। ଶ୍ରୀ ନାୟକଙ୍କ କହିବା ମୁତାବକ, ମୂର୍ତ୍ତିଟି କେମିତି ମନ୍ଦିରକୁ ଆସିଲା ସେ ସମ୍ବନ୍ଧରେ ନିର୍ଦ୍ଦିଷ୍ଟ ତଥ୍ୟ ହସ୍ତଗତ ହୋଇନାହିଁ। ତେବେ ରାମେଶ୍ବର ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟରୁ ଏହା ପୂର୍ବ ଗଙ୍ଗବଂଶ ସମୟରୁ ଗଢ଼ା ଯାଇଥିବା ଅନୁମାନ କରାଯାଉଛି।

ମୂର୍ତ୍ତିଟିର ଉଚ୍ଚତା ୧୦ ଇଞ୍ଚ ମଧ୍ୟରେ ସୀମିତ। କିନ୍ତୁ ମୂର୍ତ୍ତିର କାଳଖଣ୍ଡ ସପ୍ତମରୁ ଅଷ୍ଟମ ଶତାବ୍ଦୀ ମଧ୍ୟରେ ବୋଲି ଆକଳନ କରାଯାଉଛି। ବାସ୍ତବରେ ବୌଦ୍ଧ ଧର୍ମର ଅବଲୋକିତେଶ୍ବର ପଦ୍ମପାଣିଙ୍କର ମୂର୍ତ୍ତି ପଛ ପାର୍ଶ୍ବରେ ଧର୍ମ ସମ୍ବନ୍ଧରେ ଏଭଳି ବାର୍ତ୍ତା ମହଜୁଦ ରହିବା ବିରଳ। ଓଡ୍ର ନାଗରୀ ଭାଷାରେ ମୂର୍ତ୍ତିର ପଛ ପାର୍ଶ୍ବରେ ଏହାକୁ ଖୋଦିତ କରି ଲେଖାଯାଇଛି।

ଯଦିଓ ରାମେଶ୍ବର ମନ୍ଦିରର କାରୁକାର୍ଯ୍ୟ ଏହା ଗଙ୍ଗବଂଶ ସମୟର ବୋଲି ଅନୁମାନ କରାଯାଉଛି, କିନ୍ତୁ ଦୟା ନଦୀର ଅବବାହିକାରେ ପୂର୍ବରୁ ବୌଦ୍ଧ ଧର୍ମର ପ୍ରଭାବ ରହିଥିଲା। ତେଣୁ ଏହି ମନ୍ଦିରର ବହୁ ସମୟ ପୂର୍ବରୁ ଏହି ମୂର୍ତ୍ତିଟି ସେଠାରେ ରହିଥିବା ମନେ ହୁଏ ବୋଲି ସେ କହିଛନ୍ତି। ଏହିଭଳି ବହୁ କୀର୍ତ୍ତିରାଜି ଚିହ୍ନଟ ପରେ ସେସବୁର ଡକ୍ୟୁମେଣ୍ଟେସନ୍‌ କରାଯାଇଛି। ସଂରକ୍ଷଣ କରାନଗଲେ ଅତୀତର ଗୌରବମୟ ବାର୍ତ୍ତା ବହନ କରୁଥିବା ଏହି କୀର୍ତ୍ତିରାଜି କାଳଗର୍ଭରେ ହଜିଯିବ। ତେଣୁ ଡକ୍ୟୁମେଣ୍ଟେସନ୍‌ ଆଧାରରେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଏ ସମସ୍ତ କୀର୍ତ୍ତିରାଜିଗୁଡ଼ିକର ସଂରକ୍ଷଣ ପାଇଁ ଆଗେଇ ଆସିବା ଆବଶ୍ୟକ ବୋଲି ଶ୍ରୀ ନାୟକ କହିଛନ୍ତି।