ସ୍ବପ୍ନରେ ରହିଗଲା ହିରୋ ହେବାର ସ୍ପପ୍ନ, ବ୍ରାହ୍ମଣୀରେ ବୁଡ଼ିଗଲା ସପ୍ତମ ଶ୍ରେଣୀର ଛାତ୍ର

ଓଡ଼ାପଡ଼ା: ଜଣେ ସପ୍ତମ ଶ୍ରେଣୀରେ ପଢୁଥିବା ଛାତ୍ର ଆସନ୍ତା ବର୍ଷ ହେବାକୁ ଥିବା ଗାଁ ଡ୍ରାମାରେ ଅଭିନୟ କରିବାକୁ ମନ କରିଥିଲା। ସେହିପରି ଆଗାମି ଦିନରେ ସେ ନାୟକ ହେବା ପଇଁ ଯେଉଁ ସ୍ବପ୍ନ ଦେଖିଥିଲା ତାହା ଆଜି ବ୍ରାହ୍ମଣୀ ନଦୀରେ ଶେଷ ହୋଇଯାଇଛି। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଧଳପୁର ଗ୍ରାମ ନିକଟ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀର ରଣେଶ୍ବର ମନ୍ଦିର ପାଖରେରେ ବୁଡ଼ି ନାବାଳକ ପ୍ରାଣ ହରାଇଛି । ଗ୍ରାମର ହେମନ୍ତ କୁମାର ରାଉତଙ୍କ ଏକ ମାତ୍ର ପୁତ୍ର ଚିନ୍ମୟ ରାଉତ ଓରଫ ବିକି ଆଜି ପୂର୍ବାହ୍ନ ୧୦ଟାରେ କିଛି ସାଙ୍ଗମାନଙ୍କ ସହିତ ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲା । ନଦୀରେ ଗାଧୋଇବା ବେଳେ ଚିନ୍ମୟ ଗଭୀର ପାଣିରେ ବୁଡ଼ି ଯାଇଥିଲା। ତାକୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ଉଦ୍ଧାର କରିଥିଲେ। ତାକୁ ତୁରନ୍ତ ଚିକିତ୍ସା ନିମନ୍ତେ ଢେଙ୍କାନାଳ ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତର ସେଠାରେ ଚିନ୍ମୟକୁ ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ମଙ୍ଗଳବାର ଧଳପୁର ଗ୍ରାମରେ ଡ୍ରାମା ହୋଇଥିଲା। ଏହି ଡ୍ରାମା ଦେଖିବାକୁ ଚିନ୍ମୟ ରାତିସାରା ଉଜାଗର ‌ରହିଥିଲା। ଆଜି ସକାଳୁ ଡ୍ରାମା ଶେଷ ହେବା ପରେ ଅନ୍ୟମାନଙ୍କ ସହିତ ନାଚିଥିଲା। ଶେଷରେ ସେ ଆଗାମୀ ଡ୍ରାମାରେ ଜଣେ ହିରୋ ରୋଲ୍ କରିବା ପାଇଁ ସମସ୍ତଙ୍କୁ କହିଥିଲା। କିନ୍ତୁ ତାର ସ୍ଵପ୍ନ ସ୍ବପ୍ନରେ ହିଁ ରହିଗଲା। ଛୋଟ ବାଳକର ବଡ଼ ଆଶା ଏହି କଥା ଡ୍ରାମା କରୁଥିବା ଯୁବକମାନଙ୍କୁ ମର୍ମାହତ କରିଛି। ତାର ଅମର ଆତ୍ମାର ଶାନ୍ତି ଓ ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ଗ୍ରାମବାସୀ ପ୍ରାର୍ଥନା କରିଛନ୍ତି। ୭ମ ଶ୍ରେଣୀ ଛାତ୍ର ଚିନ୍ମୟର ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

 

ସମ୍ବନ୍ଧିତ ଖବର