ସ୍କୁଲ୍‌‌ରେ ପାଇଖାନା ଥାଇ ଶୌଚ ପାଇଁ ବାହାରକୁ ଛାଡ଼ିଦେଲେ ଶିକ୍ଷକ; ପୋଖରୀରେ ବୁଡ଼ି ୭ମ ଶ୍ରେଣୀ ଛାତ୍ର ମୃତ

ଶିକ୍ଷକଙ୍କ ଦାୟିତ୍ବହୀନତା ନେଇ କ୍ଷୋଭ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଧୀନ ଚିକିଲି ଗ୍ରାମ ନୋଡାଲ୍ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଜଣେ ସପ୍ତମ ଶ୍ରେଣୀ ଛାତ୍ର ପିରିୟଡ଼୍ ମଝିରେ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକଜଣକ ହେଲେ, ଉକ୍ତ ଗ୍ରାମର ରାମଚନ୍ଦ୍ର ସାହୁଙ୍କ ପୁଅ ରାଜନନ୍ଦନ। ଏହି ଘଟଣା ଗ୍ରାମକୁ ସ୍ତବ୍ଧ କରିପକାଇଥିବା ବେଳେ ଏଥିପାଇଁ ଗ୍ରାମବାସୀଙ୍କ ଶିକ୍ଷକଙ୍କ ଅବହେଳାକୁ ଦାୟୀ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି କରିଛନ୍ତି। ସେହିପରି ବିଦ୍ୟାଳୟରେ ପାଇଖାନାର ସୁବିଧା ଥାଇ ମଧ୍ୟ କେଉଁ କାରଣରୁ ରାଜନନ୍ଦନଙ୍କୁ ପୋଖରୀକୁ ଯିବାକୁ ଶିକ୍ଷକ କହିଲେ, ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସବୁଦିନ ଭଳି ଆଜି ମଧ୍ୟ ସକାଳ ୧୦ଟାରେ ରାଜନନ୍ଦନ ବିଦ୍ୟାଳୟକୁ ଯାଇଥିଲେ। ପିରିୟଡ଼୍ ମଝିରେ ହଠାତ୍ ଶୌଚ ଲାଗିବାରୁ ସେ ଶିକ୍ଷକଙ୍କ ଅନୁମତି କ୍ରମେ ନିକଟ ରାଗିଆ ପୋଖରୀକୁ ଯାଇଥିଲେ। ହୁଡ଼ାରେ ୟୁନିଫର୍ମ ଓ ଚପଲ୍ ରଖିଥିଲେ। ତେବେ ଅସାବଧାନତା ଯୋଗୁଁ ରାଜନନ୍ଦନ ‌ଗଭୀର ପାଣିରେ ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକମାନେ ଏହା ଦେଖି ରାଜନନ୍ଦନଙ୍କ ମାମୁ ରଞ୍ଜନ କୁମାର ସାହୁଙ୍କୁ ଖବର ଦେଇଥିଲେ। ରଞ୍ଜନ ନିଜେ ପୋଖରୀ ଭିତରେ ପଶି ରାଜନନ୍ଦଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥି‌ଲେ। କାନ୍ଦବୋବାଳିରେ ଡାକ୍ତରଖାନା ପରିସର ଫାଟି ପଡ଼ିଥିଲା।

ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ଶିକ୍ଷକଙ୍କ ଦାୟିତ୍ବହୀନତା ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ବିଦ୍ୟାଳୟରେ ପାଇଖାନା ବ୍ୟବସ୍ଥା ଥିବା ସତ୍ତ୍ବେ ପିରିୟଡ଼୍ ମଝିରେ ସ୍କୁଲ୍ ଫାଟକ ଖୋଲାଯାଇ କାହିଁକି ରାଜନନ୍ଦନଙ୍କୁ ପୋଖରୀକୁ ଛଡ଼ାଗଲା ବୋଲି ପ୍ରଶ୍ନ କରିଛନ୍ତି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ‌ଦାବି କରିଛନ୍ତି। ପ୍ରଧାନଶିକ୍ଷକଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି, ରାଜନନ୍ଦନ ସ୍କୁଲ୍‌କୁ ଆସିଥିଲେ ସତ। ହେ‌ଲେ ଶ୍ରେଣୀକକ୍ଷରେ ଉପସ୍ଥାନ ନିଆଯିବା ବେଳେ ସେ ଅନୁପସ୍ଥିତ ଥିଲେ। ସେ ବସିବା ସ୍ଥାନରେ ତାଙ୍କର ବସ୍ତାନି ଥିଲା। ଖଲ୍ଲିକୋଟ ଏବିଇଓ ମଙ୍ଗୁଳି ଚରଣ ଜେନା ଘଟଣାର ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି। ଏହାସହ ସିଆର୍‌ସିସି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ତେବ‌େ ଏନେଇ ଖଲ୍ଲିକୋଟ ଥାନାରେ ବର୍ତ୍ତମାନ ସୁଦ୍ଧା କୌଣସି ମାମଲା ରୁଜୁ ହୋଇନି।

ଅନ୍ୟପକ୍ଷରେ ବ୍ଲକ୍‌ର ଅଧିକାଂଶ ଗ୍ରାମାଞ୍ଚଳରେ ଥିବା ବିଦ୍ୟାଳୟର ପାଇଖାନାକୁ ଛାତ୍ରଛାତ୍ରୀମାନେ ବ୍ୟବହାର କରି ପାରୁ ନଥିବା ଅଭିଯୋଗ ହୋଇଛି। ମଧ୍ୟାହ୍ନ ଭୋଜନ ଥାଳି ଧୋଇବା ଓ ଶୌଚ ପାଇଁ ଶିକ୍ଷକମାନେ ସେମାନଙ୍କୁ ଅଧିକାଂଶ ସମୟରେ ନିକଟ ପୋଖରୀ ହୁଡ଼ାକୁ ଛାଡ଼ିଦେଉଛନ୍ତି। ଫଳରେ ବଡ଼ଧରଣର ଅଘଟଣ ଘଟିଲେ ଏଥିପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର