ବ୍ୟବହାର ଆଉ ବିବେକ ଥିଲା ଜାନକୀବଲ୍ଲଭଙ୍କର ବି‌ଶେଷତା: ବିଶ୍ବଭୂଷଣ ହରିଚନ୍ଦନ

କଟକ: ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜୀବନ ଥିଲା ବ୍ୟାପକ। ସାହିତ୍ୟ, ସମାଜସେବା, ସାମ୍ବାଦିକତା ଓ ରାଜନୀତି କ୍ଷେତ୍ରରେ ସେ ଯାହା କରିଛନ୍ତି, ତାହା ଅସାଧାରଣ। ଏହା ସହିତ ସମସ୍ତଙ୍କ ପ୍ରତି ତାଙ୍କର ମିଷ୍ଟ ବ୍ୟବହାର ଆଉ ତାଙ୍କ ଭିତରେ ଥିବା ବିବେକ ଥିଲା ତାଙ୍କର ଅନ୍ୟତମ ବି‌ଶେଷତା ବୋଲି କହିଛନ୍ତି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ଜାନକୀବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନ ପକ୍ଷରୁ ସାରଳାଭବନରେ ଆୟୋଜିତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସପ୍ତମ ବାର୍ଷିକ ଶ୍ରାଦ୍ଧସଭା ଓ ସମ୍ମାନ ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଜାନକୀବାବୁ ମୁଖ୍ୟମନ୍ତ୍ରୀ ଭାବେ ସମସ୍ତଙ୍କ କଥାକୁ ଯେମିତି ସମ୍ମାନ ଦେଉଥିଲେ, ବିରୋଧୀ ଦଳ ନେତା ଭାବେ ସେହିପରି ଗଠନମୂଳକ ଓ ପ୍ରାଜ୍ଞଦୀପ୍ତ ପରାମର୍ଶ ଦେଇ ଓଡ଼ିଶାର ଉନ୍ନତି ପାଇଁ ଚିନ୍ତା କରୁଥିଲେ। ରାଜନୀତିର ଏଭଳି ପ୍ରବାଦପୁରୁଷଙ୍କ ପ୍ରତିମୂର୍ତ୍ତି କଟକ ସହରରେ ନହେବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ରାଜ୍ୟପାଳ ଶ୍ରୀ ହରିଚନ୍ଦନ କହିଥିଲେ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଜାନକୀବଲ୍ଲଭଙ୍କୁ ସଫଳ କାହାଣୀର ନାୟକ ଭାବେ ବର୍ଣ୍ଣନା କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ, ଅନେକ ‌କ୍ଷେତ୍ରରେ ଜାନକୀବଲ୍ଲଭ ପଟ୍ଟନାୟକ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ। ସୁସ୍ଥ ଜୀବନ କିପରି ବଞ୍ଚିବାକୁ ହୁଏ, ତାହା ତାଙ୍କୁଠାରୁ ଶିକ୍ଷା କରିବା ଉଚିତ। ଜଣେ ପ୍ରାଥମିକ ଶିକ୍ଷକଙ୍କ ପୁଅ ହୋଇ ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଶିକ୍ଷା, ସାମ୍ବାଦିକତା, ରାଜନୀତି ଆଦି କ୍ଷେତ୍ରରେ ସଫଳ ହୋଇପାରିଥିଲେ। ଏହା ଛାତ୍ର ସମାଜ ପାଇଁ ଅନୁକରଣୀୟ। ଓଡ଼ିଶାକୁ କିପରି ବୁଝିବାକୁ ହୁଏ, ତାହା ମଧ୍ୟ ଜାନକୀ ବାବୁଙ୍କଠାରୁ ଶିଖିବା ଉଚିତ। ଜାନକୀ ବାବୁ ଓଡ଼ିଆ ମାଟି, ଓଡ଼ିଆ ଭାଷ‌ାକୁ ଭଲ ପାଉଥିଲେ। କଟକରେ ତାଙ୍କର ପ୍ରତିମୂର୍ତ୍ତି ହେଉ କି ନହେଉ ସେ ସମସ୍ତଙ୍କ ହୃଦୟରେ ଅଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିବା ସହିତ ଏସବୁ କଥାରେ ସରକାରଙ୍କୁ ଦୋଷ ନଦେଇ, ବ୍ୟକ୍ତିଗତ ସ୍ତରରେ ଉଦ୍ୟମ କରିବାକୁ ଆହ୍ବାନ ଦେଇଥିଲେ।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସ୍ମାରକୀ ପ୍ରତିଷ୍ଠାନର ସଭାପତି ପ୍ରଫେସର ବୈଷ୍ଣବ ଚରଣ ସାମଲ କହିଥିଲେ ଯେ ଜାନକୀବଲ୍ଲଭ ପଟ୍ଟନାୟକ ଥିଲେ ଜଣେ ଶ୍ରଦ୍ଧାଶୀଳ ମଣିଷ। ରାଜନୀତି ପାଇଁ ସେ କଟକରୁ ପ୍ରେରଣା ପାଇଥିଲେ ଓ କଟକ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। କଟକରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସରକାରୀ ସହଯୋଗ ନ ମିଳିବା ନେଇ ସଭାପତି ଶ୍ରୀ ସାମଲ ଦୁଃଖ ପ୍ରକାଶ କରିଥିଲେ। ପ୍ରତିଷ୍ଠାନର ବରିଷ୍ଠ ସଭ୍ୟ ତଥା କଟକ-ବାରବାଟୀ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ କହିଥିଲେ ଯେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପରେ କଂଗ୍ରେସ ଦଳ ମୁରବିହୀନ‌ ହୋଇଯାଇଛି, ଯେଉଁଥି ପାଇଁ କଂଗ୍ରେସ ଆଉ ସଂଖ୍ୟା ଗରିଷ୍ଠତା ହାସଲ କରିପାରୁନି। ସଂପ୍ରତି ଶାସକ ଦଳ ନେତୃମଣ୍ଡଳୀ ଅନ୍ୟଙ୍କୁ ସମ୍ମାନ ଦେବା ଜାଣି ନାହାନ୍ତି, ଏଥି ପାଇଁ କଟକ ସହରକୁ ଗଢ଼ିଥିବା ଜାନକୀବାବୁଙ୍କ ପ୍ରତିମୂର୍ତ୍ତି ହେବାରେ ବିଳମ୍ବ ହେଉଛି ବୋଲି ବିଧାୟକ ମୋକିମ୍ କହିଥିଲେ। ପ୍ରତିଷ୍ଠାନର ଉପସଭାପତି ବରି‌ଷ୍ଠ ଆଇନଜୀବୀ ଧରଣୀଧର ନାୟକ, ଜାନକୀବଲ୍ଲଭଙ୍କୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ। କଟକରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ଓ ଏକ ରାସ୍ତାକୁ ତାଙ୍କ ସ୍ମୃତିରେ ଅର୍ପଣ କରିବାକୁ ଶ୍ରୀ ନାୟକ ଦାବି କରିଥିଲେ। ପ୍ରତି‌ଷ୍ଠାନର ଅନ୍ୟତମ ଉପସଭାପତି ଡକ୍ଟର ଇଞ୍ଜିନିୟର ପ୍ରଭାକର ସ୍ବାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଜାନକୀବଲ୍ଳଭଙ୍କୁ ସଫଳ ଜନନାୟକ ଭାବେ ଅଭିହିତ କରିଥିଲେ। ସ୍ମାରକୀ ପ୍ରତିଷ୍ଠାନର ସାଧାରଣ ସଂପାଦକ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ ପ୍ରାରମ୍ଭିକ ସୂଚନା, ଅତିଥି ପରିଚୟ ଓ ସ୍ବାଗତ ଭାଷଣ ‌ଦେଇ କହିଥିଲେ ଯେ, ଜାନକୀବଲ୍ଲଭ ପଟ୍ଟନାୟକ ଥିଲେ ଜ୍ଞାନ ଓ ନମ୍ରତାର ପ୍ରତିମୂର୍ତ୍ତି। ତାଙ୍କ ଭଳି ରାଜନେତା ବିରଳ ବୋଲି ଡକ୍ଟର ଭୂ୍ୟାଁ କହିଥିଲେ। ସମାରୋହରେ ସ୍ମାରକୀ ପ୍ରତି‌ଷ୍ଠାନ ପକ୍ଷରୁ ସମାଜସେବା ପାଇଁ ପର୍ଶୁରାମ ଦ୍ବିବେଦୀ, ସାମ୍ବାଦିକତା ପାଇଁ ‘ସମାଜ’ର ସଂପାଦକ କାନନ ବିହାରୀ ଦାଶ, ସାହିତ୍ୟ ପାଇଁ ବୈ‌ଷ୍ଣବ ଚରଣ ମହାନ୍ତିଙ୍କୁ ଜାନକୀବଲ୍ଲଭ ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଥିଲା। ନିରୁପମା ପତି, ଅଧ୍ୟାପିକା ମୀରା ବେଉରା, ସଞ୍ଜିତ ପଟ୍ଟାନାୟକ ମାନପତ୍ର ପାଠ କରିଥିଲେ। ଏହି ଅବସରରେ ନଟବର ଖୁଣ୍ଟିଆଙ୍କ ରଚିତ ‘କୃଷି ଚିନ୍ତକ ଜାନକୀବଲ୍ଲଭ’ ପୁସ୍ତକକୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଉନ୍ମୋଚନ କରିଥିଲେ। ଆଇନଜୀବୀ ଇଞ୍ଜିନିୟର ଆକାଶ ଭୂୟାଁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର