ଆରମ୍ଭ ହେଲା ସପ୍ତମ ଅର୍ଥନୈତିକ ଗଣନା

ଲୋକାର୍ପିତ ହେଲା ସ୍ବତନ୍ତ୍ର ମୋବାଇଲ ଆପ୍, ଗଣନାରେ ସାମିଲ ହେବେ ଦେଶର ୨୭ କୋଟି ପରିବାର

ଭୁବନେଶ୍ବର : ରାଜ୍ୟରେ ସପ୍ତମ ଅର୍ଥନୈତିକ ଗଣନା ଆଜିଠାରୁ ଆରମ୍ଭ ହୋଇଛି। ଆଜି ଲୋକସେବା ଭବନରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଏହାର ଶୁଭାରମ୍ଭ କରିଛନ୍ତି। ଅର୍ଥନୈତିକ ଗଣନା ପାଇଁ ସ୍ବତନ୍ତ୍ର ଭାବେ ବିକଶିତ ମୋବାଇଲ ଆପ୍‌ର ମଧ୍ୟ ଲୋକାର୍ପଣ କରାଯାଇଛି। ଏହି ଗଣନା ଆସନ୍ତା ୩ ମାସ ପର୍ଯ୍ୟନ୍ତ ଚାଲିବ। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଓ ରାଜ୍ୟ ଅର୍ଥନୀତି ପରିସଂଖ୍ୟାନ ନିର୍ଦ୍ଦେଶାଳୟର ତତ୍ତ୍ବାବଧାନରେ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ୩୧ ହଜାର ଗଣନାକାରୀ ଓ ୬ ହଜାର ୬୦୦ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ଏଥିପାଇଁ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସମନ୍ବୟ କମିଟି ଓ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମନ୍ବୟ କମିଟିମାନ ଗଠନ କରାଯାଇଛି।

ଅର୍ଥନୈତିକ ଗଣନା ପ୍ରକ୍ରିୟାରେ ନିଯୁକ୍ତି ତଥା ଆୟ ସୃଷ୍ଟି ମାଧ୍ୟମରେ ଭାରତୀୟ ଅର୍ଥନୀତିକୁ ବିଶେଷ ଭାବରେ ସାହାଯ୍ୟ କରୁଥିବା ସମସ୍ତ ପ୍ରତିଷ୍ଠାନଗୁଡ଼ିକୁ ଅଗ୍ରାଧିକାର ଦିଆଯିବ। ଏପରିକି ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଅନୁଷ୍ଠାନଗୁଡ଼ିକର ସମ୍ପୂର୍ଣ୍ଣ ଗଣନାକୁ ଅଗ୍ରାଧିକାର ପ୍ରଦାନ କରାଯିବ। ଏହାଦ୍ବାରା ଭୌଗଳିକ ଅବସ୍ଥିତି ତଥା ସ୍ଥାନପୁଞ୍ଜର ଆର୍ଥିକ କାର୍ଯ୍ୟକଳାପ, ମାଲିକାନା ଅଧିକାର ଏବଂ ନିୟୋଜିତ ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ମୂଲ୍ୟବାନ ତଥ୍ୟ ମିଳିପାରିବ। ରାଜ୍ୟ ଓ ଜିଲ୍ଲାସ୍ତରରେ ସାମାଜିକ-ଅର୍ଥନୈତିକ ଉନ୍ନୟନମୂଳକ ଯୋଜନା ପ୍ରଣୟନ ସମୟରେ ଏହି ଅର୍ଥନୈତିକ ଗଣନାର ସଂଗୃହୀତ ବିବରଣୀ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ।

ସପ୍ତମ ଅର୍ଥନୈତିକ ଗଣନା ପାଇଁ ୨୦୧୯ ରିୟଲଟାଇମ ଡାଟା ଭାଲିଡେସନ୍ ଓ ଯାଞ୍ଚ, ଜିଓଟ୍ୟାଗିଂ, ଟାଇମ୍‌ସ ଷ୍ଟାମ୍ପିଂ, ଏମ୍.ଆଇ.ଏସ୍ ଡ୍ୟାସବୋର୍ଡ଼ ବ୍ୟବହାର କରାଯିବ। ଏହାସହିତ ଏହି ସର୍ଭେ କାର୍ଯ୍ୟ ମୋବାଇଲ ଆପ୍ ଦ୍ବାରା ପରିଚାଳିତ ହେବ। ଫଳରେ ସର୍ବେକ୍ଷଣରେ ଶତପ୍ରତିଶତ ସଫଳତା ମିଳିପାରିବ। ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଦ୍ବାରା ପ୍ରସ୍ତୁତ ଏକ ସ୍ପେଶାଲ ପରପଜ୍ ଭେହିକିଲ୍ (ଏସପିଭି), ‘କମନ୍ ସର୍ଭିସ ସେଣ୍ଟର ଇ-ଗଭର୍ଣ୍ଣାନ୍ସ ସର୍ଭିସ ଇଣ୍ଡିଆ ଲିମିଟେଡ୍’ ମାଧ୍ୟମରେ ସପ୍ତମ ଅର୍ଥନୈତିକ ଗଣନା କାର୍ଯ୍ୟକାରୀ ହେଉଛି।
ଏଯାଏ ଦେଶରେ ୬ଟି ଅର୍ଥନୈତିକ ଗଣନା କାର୍ଯ୍ୟ ସମ୍ପନ୍ନ ହୋଇଛି। ଏଥରକ ଗଣନାରେ ୨୭ କୋଟି ପରିବାର ଓ ୭ କୋଟି ସଂସ୍ଥା ସାମିଲ ହେବେ। ଏହି ବ୍ୟାପକ କାର୍ଯ୍ୟ ପାଇଁ ୯ ଲକ୍ଷ ଗଣନାକାରୀ ଓ ୩ ଲକ୍ଷ ପର୍ଯ୍ୟବେକ୍ଷକ ନିୟୋଜିତ ହେବେ। ରାଜ୍ୟରେ ଅର୍ଥନୈତିକ ଗଣନା ପାଇଁ ୧୬ ହଜାର କମନ୍ ସର୍ଭିସ ସେଣ୍ଟର ଖୋଲାଯାଇଛି। ଏହି ଗଣନା କାର୍ଯ୍ୟକ୍ରମରେ ରାଜ୍ୟବାସୀ, ବିଭିନ୍ନ ପ୍ରତିଷ୍ଠାନ, ଶିଳ୍ପସଂସ୍ଥାଗୁଡ଼ିକ ତଥ୍ୟ ସଂଗ୍ରହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ପରିସଂଖ୍ୟାନ ସଂଗ୍ରହ ଆଇନ ୨୦୦୮ ଅନୁଯାୟୀ ସମସ୍ତ ସଂଗୃହୀତ ତଥ୍ୟ ଗୋପନୀୟ ରଖାଯିବ।

ସମ୍ବନ୍ଧିତ ଖବର