ଭୁବନେଶ୍ବର: ଜ୍ଞାନଦୀପ୍ତ ବୃହତ୍ତର ପାଠକ ସମାଜ ପାଖରେ ପହଞ୍ଚିବାକୁ ଏକ ବଡ଼ ମାଧ୍ୟମ ହେଉଛି ପ୍ରବନ୍ଧ। କିନ୍ତୁ ସମୟକ୍ରମେ ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟକୁ ଯେମିତି କୋଣଠେସା କରାଯାଉଛି। ତରୁଣମାନେ ପ୍ରବନ୍ଧ ପାଠ ଓ ରଚନା ପ୍ରତି ମନ ଦେଉନାହାନ୍ତି। ଏହା ଏକ ବିପନ୍ନ ଅବସ୍ଥା। ଗୋଟେ ଜାତିର ସାଂସ୍କୃତିକ ତେଜଦୀପ୍ତ ପ୍ରଜ୍ଞାଶୀଳତାର ବଡ଼ ପ୍ରମାଣ ଦିଏ ‘ପ୍ରବନ୍ଧ ଓ ସମାଲୋଚନା’। ଜଣେ ବଡ଼ କବିର ସମାଲୋଚକ ଗୁଣ ଥାଏ ଏବଂ ଜଣେ ବଡ଼ ସମାଲୋଚକର ମଧ୍ୟ କବି ପଣ ଥାଏ। ତେଣୁ ପ୍ରାବନ୍ଧିକ କିମ୍ବା ସମାଲୋଚକଙ୍କ ସହ ଲେଖକୀୟ ଜୀବନର ପୂର୍ଣ୍ଣତା ପାଇଁ କବି ମାନେ ମଧ୍ୟ ପ୍ରବନ୍ଧ ଲେଖନ୍ତୁ। ତରୁଣ ଓ ପ୍ରବୀଣମାନେ ପ୍ରବନ୍ଧକୁ ଦୀପ୍ତ ସାହିତ୍ୟ ବିଭବ ରୂପେ ଗ୍ରହଣ କଲେ ସାଂସ୍କୃତିକ ଜୀବନ ସୁନ୍ଦର ହୋଇ ଉଠିବ। ଜଣେ ବିଦ୍ୟାନୁରାଗୀ ହିଁ ଉତ୍କୃଷ୍ଟ ସମାଲୋଚନା ଓ ପ୍ରବନ୍ଧ ରଚନା କରିପାରିବ। ଶୁକ୍ରବାର ‘ଆମ ଓଡ଼ିଶା’ କାର୍ଯ୍ୟାଳୟରେ ଆୟୋଜିତ ‘ସମ୍ବାଦ ସାହିତ୍ୟପକ୍ଷ’ର ସପ୍ତମ ସନ୍ଧ୍ୟାରେ ଆଶୀର୍ବଚନ ପ୍ରଦାନ କରି ଏହା କହିଛନ୍ତି ସାହିତ୍ୟିକ ତଥା ବିଶିଷ୍ଟ ସମାଲୋଚକ ଆଦିକନ୍ଦ ସାହୁ।
ଷଷ୍ଠ ସନ୍ଧ୍ୟାରେ ପଣ୍ଡିତ ନୀଳକଣ୍ଠ ଦାସଙ୍କୁ ‘ସାହିତ୍ୟ ସମାଲୋଚନା ଓ ପ୍ରବନ୍ଧ ସାହିତ୍ୟ’ ମଞ୍ଚ ଉତ୍ସର୍ଗ କରାଯାଇଥିଲା। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ ଅତିଥିଙ୍କୁ ସ୍ବାଗତ କରି କହିଲେ, ୯୦ ବର୍ଷ ପୂର୍ବରୁ ୨୯ ନଭେମ୍ବରରୁ ୪ ଡିସେମ୍ବର ୧୯୩୫, ୬ ଦିନ ଧରି ‘ଉତ୍କଳ ସାହିତ୍ୟ ସମାଜ’ ଶ୍ରୀରାମଚନ୍ଦ୍ର ଭବନଠାରେ ଆୟୋଜିତ ହୋଇଥିଲା ସାରସ୍ବତ ଆସର। ନବଯୁଗ ସାହିତ୍ୟ ସଂସଦର ଜନ୍ମ ଦିନ ଅବସର ଥିଲା ଏବଂ ଏହାର ଉଦ୍ୟୋକ୍ତା ଥିଲେ ଭଗବତୀ ଚରଣ ପାଣିଗ୍ରାହୀ। ସେହିପରି ୫୩ ବର୍ଷ ପୂର୍ବରୁ ୨୮ ଫେବ୍ରୁଆରିରୁ ୪ ମାର୍ଚ୍ଚ ୧୯୬୨ ଯାଏ ୫ଦିନ ଧରି ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ସେହି ଶ୍ରୀରାମଚନ୍ଦ୍ର ଭବନରେ ସାରସ୍ବତ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଆଜି ‘ସମ୍ବାଦ ସାହିତ୍ୟପକ୍ଷ’ର ସପ୍ତମ ସନ୍ଧ୍ୟା। ଏହି ପକ୍ଷ ଲଗାତାର ୧୫ ଦିନ ପାଳିତ ହେବ। ଏହା ‘ସମ୍ବାଦ’ର ଏକ ବଡ଼ କୀର୍ତ୍ତିମାନ। କାରଣ ଆଗରୁ ଲଗାତାର ୬ଦିନରୁ ଉର୍ଦ୍ଧ୍ବ ସମୟ ଧରି କୌଣସି ସାହିତ୍ୟ ସଭା କରାଯାଇନାହିଁ। ଏଥିପାଇଁ ସମସ୍ତ ଦର୍ଶକ ଓ ସହଯୋଗୀଙ୍କୁ ଶ୍ରୀମତୀ ପଟ୍ଟନାୟକ କୃତଜ୍ଞତା ଜଣାଇଥିଲେ।
‘ସାହିତ୍ୟ ସମାଲୋଚନା: ସ୍ଥିତି ଓ ସମ୍ଭାବନା’ ବିଷୟକୁ ନେଇ ଲେଖକ ଜ୍ଞାନୀ ଦେବାଶିଷ ମିଶ୍ରଙ୍କ ସଂଚାଳନରେ ‘ଆଲୋଚନା’ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ଲେଖିକା ସଂଘମିତ୍ରା ମିଶ୍ର କହିଲେ, ସମାଲୋଚନା ହେଉଛି ସାହିତ୍ୟର ମସ୍ତିସ୍କ। ଲେଖକ ବାବାଜୀ ପଟ୍ଟନାୟକ କହିଲେ, ସମାଲୋଚନା ସାହିତ୍ୟ କଷ୍ଟକର। ଏଥିପାଇଁ ଗବେଷଣା ଓ ସୃଜନଶୀଳତାର ଆବଶ୍ୟକତା ଅଛି। ଲେଖକ ଫଣୀନ୍ଦ୍ର ଭୂଷଣ ନନ୍ଦ ସମାଲୋଚନା ମାଧ୍ୟମରେ ସାହିତ୍ୟ ଉପଯୁକ୍ତ ଦିଗ୍ଦର୍ଶନ ପାଇଥାଏ ବୋଲି କହିଥିଲେ।
‘ବିଦ୍ୟାନୁରାଗୀ ହିଁ ଉତ୍କୃଷ୍ଟ ସମାଲୋଚନା ଓ ପ୍ରବନ୍ଧ ରଚନା କରିପାରିବ’
୧୫ ଦିନିଆ ‘ସମ୍ବାଦ ସାହିତ୍ୟପକ୍ଷ’ ଓଡ଼ିଶା ଇତିହାସରେ ପ୍ରଥମ: ତନୟା
(ସ୍ତମ୍ଭ)ରେ ‘ବିମର୍ଶର ଦୃଷ୍ଟିପାତ’ ବିଷୟ ଉପରେ ସ୍ତମ୍ଭକାର ନେତାଜୀ ଅଭିନନ୍ଦନଙ୍କ ସଂଯୋଜନାରେ ୪ ଜଣ ଆଗଧାଡ଼ିର ସ୍ତମ୍ଭକାର ତଥା ସ୍ତମ୍ଭକାର ନିଜର ମତ ଉପସ୍ଥାପନ କରିଥିଲେ। ଲେଖକ ଅସିତ ମହାନ୍ତି କହିଲେ, ସମକାଳୀନ ଓ ସାଂପ୍ରତିକ ଘଟଣା ସ୍ତମ୍ଭରେ ପ୍ରତିଫଳନ ହେବା ଉଚିତ। ଅପ୍ରିୟତାର ସାମ୍ନା କଲେ ଭଲ ସ୍ତମ୍ଭ ଲେଖିହେବ। ସ୍ତମ୍ଭକାର ଅରବିନ୍ଦ ଦାସ କହିଲେ, ଏବେ ପ୍ରଜ୍ଞା ଜଗତ କବଳିତ। ରାଜନେତା ମାନେ ସ୍ତମ୍ଭରେ ଜାଗା ନେଉଛନ୍ତି। ଏଭଳି ସମୟରେ ସ୍ତମ୍ଭକାର ବା ବୁଦ୍ଧିଜୀବୀମାନେ ସତର୍କ ହେବାକୁ ପଡ଼ିବ। ସରଳ ଭାଷାରେ ନୂଆ ନୂଆ ପ୍ରସଙ୍ଗକୁ ସ୍ତମ୍ଭକୁ ଆଣିବାକୁ ପଡ଼ିବ ଏବଂ ସ୍ତମ୍ଭକାରମାନେ ଡିଜିଟାଲ୍ ମାଧ୍ୟମକୁ କବଳିତ କରିବାକୁ ପଡ଼ିବ। ସ୍ତମ୍ଭକାର ସରଳ ଦାସ କହିଲେ, ସ୍ତମ୍ଭ ଲେଖିବା ପୂର୍ବରୁ ଗବେଷଣାର ଆବଶ୍ୟକତା ରହିଛି। ବିଷୟ, ଭାଷା ଓ ଉପସ୍ଥାପନା ଠିକ୍ ରହିଲେ ସ୍ତମ୍ଭ ଆଦୃତ ହେବ। ସ୍ତମ୍ଭକାର ଅଭିରାମ ବିଶ୍ବାଳ କହିଲେ, ସମ୍ଭର ଅନେକ ଆହ୍ବାନ ରହିଛି। ସ୍ତମ୍ଭ ସୃଜନଶୀଳ ଦୃଜନଶୀଳ ନୁହେଁ। ସ୍ତମ୍ଭରେ ଉଭୟ ପଦ୍ୟର କୋମ ସ୍ପର୍ଷ ଓ ଗଦ୍ୟର ଅନୁଶୀଳନ ଥାଏ। ହେଲେ ଉଭୟ ବରିଷ୍ଠ ଓ ତରୁଣମାନେ ସ୍ତମ୍ଭ ଆଡ଼କୁ ବିଶେଷ ଆଗ୍ରହ ପ୍ରକାଶ ନକରିବା ଚିନ୍ତାର ବିଷୟ। ଆଜି ସନ୍ଧ୍ୟାରେ ସଙ୍ଗୀତ ଗୁରୁ ଲକ୍ଷ୍ମୀକାନ୍ତ ପାଲିତ ସଙ୍ଗୀତ ପରିବେଷଣ କରିଥିବା ବେଳେ ପୁରୀର ଉଦିତ ନାରାୟଣ ବାରିକ ‘ନାଗାନୃତ୍ୟ’ ପରିବେଷଣ କରିଥିଲେ।
ଏହି ଅବସରରେ ସମ୍ବାଦରେ ସ୍ତମ୍ଭ ଲେଖୁଥିବା ୫ ଜଣ ଲୋକପ୍ରିୟ ସ୍ତମ୍ଭକାର ଭଗବାନ ପ୍ରକାଶ (ବିକଳ୍ପ ବିଶ୍ବ), ଚିନ୍ମୟ ହୋତା (ଚିନ୍ମୟ ଚେତନା), ସୁଭାଷ ପଟ୍ଟନାୟକ (ସରସ ରସ), ଧନଞ୍ଜୟ ସ୍ବାଇଁ (ସୁରଞ୍ଜନଙ୍କ ଡାଏରି) ଏବଂ ଗୌରାଙ୍ଗ ଚରଣ ପରିଡ଼ା (ଗାନ୍ଧୀ ଦୃଷ୍ଟି)ଙ୍କୁ ସମ୍ମାନିତ କରାଯାଇଥିଲା। ‘ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ’ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ, ‘କନକ ନ୍ୟୁଜ୍’ର ସିଇଓ ରତିକାନ୍ତ ଶତପଥୀ ଓ ‘ସମ୍ବାଦ’ ଡିଜିଏମ୍ (ଫିଚର) ସିଦ୍ଧାର୍ଥ ମହାପାତ୍ର ଅତିଥିଙ୍କୁ ସମ୍ମାନିତ କରିଥିଲେ। ‘ସମ୍ବାଦ’ର ଡେପୁଟି ଏଡିଟର ଧୃତିକାମ ମହାନ୍ତି ଧନ୍ୟବାଦ ଦେଇଥିଲେ।
ଆର୍ଜେ ଅନିଲ୍ ପ୍ରଶ୍ନ-ଉତ୍ତର ପରିଚାଳନା କରିଥିବାବେଳେ ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଆସନ୍ତାକାଲି ‘ସମ୍ବାଦ ସାହିତ୍ୟପକ୍ଷ’ର ଅଷ୍ଟମ ଦିନର ବିଷୟ ରହିଛି ‘ଜୀବନୀ ଆତ୍ମଜୀବନୀ’।