ଅନୁଦାନପ୍ରାପ୍ତ ସ୍କୁଲ, କଲେଜ ଶିକ୍ଷକଙ୍କୁ ମିଳିବ ୭ମ ବେତନ କମିସନଙ୍କ ବର୍ଧିତ ପେନ୍‌ସନ : ୧.୪୮ ଲକ୍ଷ ପାଇବେ, ବୋଝ ପ୍ରାୟ ୨୫ କୋଟି

ଭୁବନେଶ୍ୱର : ଅନୁଦାନପ୍ରାପ୍ତ ଓ ସରକାର ହାତକୁ ନେଇଥିବା ସ୍କୁଲ, କଲେଜଗୁଡ଼ିକରୁ ଅବସର ନେଇଥିବା ଶିକ୍ଷକ, କର୍ମଚାରୀମାନେ ୭ମ ବେତନ କମିସନଙ୍କ ସୁପାରିସ ଅନୁଯାୟୀ ବର୍ଧିତ ହାରରେ ବକେୟା ପେନ୍‌ସନ ପାଇବେ। ଆଜି ଏ ନେଇ ଆସିଥିବା ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଅନୁମୋଦନ ଦେଇଛନ୍ତି।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟର ପ୍ରାୟ ୧.୪୮ ଲକ୍ଷ ପେନ୍‌ସନଭୋଗୀ ଶିକ୍ଷକ, କର୍ମଚାରୀ ଉପକୃତ ହେବେ। ରାଜ୍ୟ ରାଜକୋଷ ଉପରେ ୨୦ରୁ ୨୫ କୋଟି ଟଙ୍କାର ବୋଝ ପଡ଼ିବ ବୋଲି ଆକଳନ କରାଯାଉଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ଅନୁଦାନପ୍ରାପ୍ତ ଓ ସରକାର ହାତକୁ ନେଇଥିବା ସ୍କୁଲ, କଲେଜଗୁଡ଼ିକରୁ ଅବସର ନେଇଥିବା ଶିକ୍ଷକ, କର୍ମଚାରୀଙ୍କୁ ୨୦୧୬ ଜାନୁଆରି ୧ରୁ ୨୦୧୭ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସେମାନଙ୍କୁ ୭ମ ବେତନ କମିସନଙ୍କ ସୁପାରିସ ମୁତାବକ ବର୍ଧିତ ହାରରେ ପେନ୍‌ସନ ମିଳିବ। ଏ ନେଇ ଅର୍ଥ ବିଭାଗ ପକ୍ଷରୁ ଟ୍ରେଜେରି ନିର୍ଦେଶାଳୟ ଓ କଣ୍ଟ୍ରୋଲର ଅଫ୍‌ ଆକାଉଣ୍ଟ୍‌ସଙ୍କୁ ନିର୍ଦେଶନାମା ଜାରି କରାଯାଇଛି। ପୂର୍ବରୁ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ୭ମ ବେତନ କମିସନଙ୍କ ସୁପାରିସ ଅନୁଯାୟୀ ପରିବର୍ଧିତ ବେତନ ମିଳିସାରିଛି। ଷଷ୍ଠ ବେତନ କମିସନଙ୍କ ସୁପାରିସ ଅନୁସାରେ ମଧ୍ୟ ସମସ୍ତଙ୍କୁ ବେତନ ଓ ପେନ୍‌ସନ ମିଳିଥିଲା।

ସମ୍ବନ୍ଧିତ ଖବର