ଭୁବନେଶ୍ବର : ବଲାଙ୍ଗୀର ଜିଲ୍ଲାର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ବିକାଶ ନିମନ୍ତେ ରାଜ୍ୟ ସରକାର ୮.୬୯୩ଏକର ସରକାରୀ ଜମି ଲିଜ୍ ଆକାରରେ ପ୍ରଦାନ କରିବେ। ଏଥିପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପ୍ରିମିୟମ କି ଇନସିଡେଣ୍ଟାଲ ଚାର୍ଜ ଦେବାକୁ ପଡ଼ିବନି। ହେଲେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏହି ଲିଜ୍ ନିମନ୍ତେ ବାର୍ଷିକ ଭୂ-ରାଜସ୍ବ ଓ ସେସ୍‌ ବାବଦକୁ ମାତ୍ର ୧ଟଙ୍କା ଦେବାକୁ ପଡ଼ିବ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏହି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।

Advertisment

ସେହିପରି କୋରାପୁଟ ଜିଲ୍ଲାର ମାଛକୁଣ୍ଡ ତହସିଲ ଅନ୍ତର୍ଗତ ବ୍ରାହ୍ମଣୀପୁଟ ମୌଜାରେ ଲମତାପୁଟ ଡିଗ୍ରି ମହାବିଦ୍ୟାଳୟର କୋଠା ନିର୍ମାଣ ନିମନ୍ତେ ରାଜ୍ୟ ସରକାର ୫ଏକର ସରକାରୀ ଜମି ଲିଜ୍ ସୂତ୍ରରେ ପ୍ରଦାନ କରିବେ। ଏଥିପାଇଁ ବି ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପ୍ରିମିୟମ କି ଇନସିଡେଣ୍ଟାଲ ଚାର୍ଜ ଦେବାକୁ ପଡ଼ିବନି। କିନ୍ତୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜମିର ବଜାର ମୂଲ୍ୟର ୦.୨୫% ବାର୍ଷିକ ଭୂ-ରାଜସ୍ବ ବାବଦକୁ ଓ ଭୂ-ରାଜସ୍ବର ୭୫% ସେସ୍‌ ବାବଦକୁ ଦେବାକୁ ପଡ଼ିବ।

ଏହାବାଦ୍ ଲିଜ୍ ଜମିର ଅବ୍ୟବହୃତ ଅଂଶର ଉତ୍ତମ ବ୍ୟବହାର ଦ୍ବାରା ରାଜ୍ୟରେ ଶିଳ୍ପର ବିକାଶ ନିମନ୍ତେ ଇଡ୍‌କୋ ଦ୍ବାରା ଲିଜ୍‌ ସୂତ୍ରରେ ପ୍ରଦାନ କରାଯାଇଥିବା ଉଦ୍ୟୋଗୀ/ଲିଜ୍‌ଧାରୀମାନଙ୍କୁ ପ୍ରଦତ୍ତ ଜମିର ପ୍ରତ୍ୟାର୍ପଣ/ସଂଶୋଧନ ଓ ପୁନର୍ବାର ଉକ୍ତ ଉଦ୍ୟୋଗ ନାମରେ ସେହି ଜମିର କିଛି ଅଂଶ ପୁନଃ ଲିଜ୍ ଦଲିଲ୍‌ର ନିବନ୍ଧନ ନିମନ୍ତେ ଆବଶ୍ୟକୀୟ ଷ୍ଟାମ୍ପ ଦେୟ ଓ ପଞ୍ଜୀକରଣ ଫି’କୁ ଛାଡ଼ କରାଯାଇଛି। ଏହି ପ୍ରସ୍ତାବକୁ ବି ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।