ବାଲେଶ୍ବର : ବଳରାମଗଡ଼ି ଥାନା ନାଉପାଳଗଡ଼ିରେ ଟ୍ରଲର ମାଲିକ ବିଜୟ ପ୍ରଧାନଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିବା ଓ ପରେ ଗୁଳି କରି ହତ୍ୟା କରିବା ଘଟଣାରେ ପୁଲିସ ୮ଜଣଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କ ଠାରୁ ଗୋଟିଏ ବାଇକ୍, ୨ଟି ଦେଶୀ ବନ୍ଧୁକ, ୨ଟି ଗୁଳି, ୩ଟି ତେଲଙ୍ଗା କଟୁରି ଏବଂ କେତେକ ମାରଣାସ୍ତ୍ର ଜବତ କରିଛି। ସେମାନେ ହେଲେ ବଳରାମଗଡ଼ି ଥାନା ମିର୍ଜାପୁର ଅଞ୍ଚଳର ଏସ୍କେ ନାନା ଓରଫ କୁଟିବାବୁ ଓରଫ ଏସ୍କେ ରଫିକ୍(୪୨) ସେକ୍ ଫରିଦ୍ ଓରଫ ବାବୁଲା, ଟାଉନ୍ ଥାନା ଅଞ୍ଚଳର ରବି ବାରିକ(୪୨), ପଟାପୋଲ ଅଞ୍ଚଳର ଏମ୍ଡି ହବିବ୍ ଓରଫ ବୁଲବୁଲ(୩୫), ସହଦେବଖୁଣ୍ଟା ଥାନା ଭାସ୍କରଗଞ୍ଜ ଅଞ୍ଚଳର ଆଶିଷ ଶ୍ରୀଚନ୍ଦନ ଓରଫ ପୁଣ୍ଡୁ(୨୨), ନୂଆବଜାରର ବିଶ୍ବଜିତ୍ ସେଣ୍ଢ(୨୨), ସଦର ଥାନା ହର୍ଷପୁରା ଅଞ୍ଚଳର ବିଜୟ ଦାସ ଓରଫ ବିଜୁ(୨୭), ରାଜେନ୍ଦ୍ର ମଲ୍ଲିକ ଓରଫ ରାଜୁ ଓରଫ ଜେଜେ(୨୨)। ତେବେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୁଲିସ କହିଛି। ପୁଲିସ ୮ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ଘଟଣାରେ ୧୨ଜଣ ଅଭିଯୁକ୍ତଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଛି। ଏବେ ବି ୪ ଅଭିଯୁକ୍ତ ଫେରାର୍ ଅଛନ୍ତି। ସେମାନେ ରାଜ୍ୟ ବାହାରକୁ ଚାଲିଯାଇଥିବା ଜଣା ପଡ଼ିଛି।
ପ୍ରକାଶ ଥାଉ କି, ସୋମବାର ପାଖାପାଖି ୪ଟା ବେଳେ ବିଜୟଙ୍କର ୨ଟି ଟ୍ରଲର ମାଛଧରି ନାଉପାଳଗଡ଼ିରେ ପହଞ୍ଚିବା ପରେ ସେ ସେଠାକୁ ଯାଇ ମାଛ ଅନ୍ଲୋଡ୍ କରୁଥିଲେ। ଏତିକି ବେଳେ ୪-୫ଟି ବାଇକ୍ରେ ୮-୯ଜଣ ଯୁବକ ମୁଖାପିନ୍ଧି ପହଞ୍ଚି ହଠାତ୍ ଖଣ୍ଡା ଭୁଜାଲିରେ ମୁଣ୍ଡ, ପିଠିକୁ ହାଣି ଚାଲିଥିଲେ। ସେ ଜୀବନ ବିକଳରେ ଟ୍ରଲର ଭିତରକୁ ପଶିଯାଇଥିଲେ। ରକ୍ତମୁଖା ଯୁବକମାନେ ବି ଟ୍ରଲର ଭିତରକୁ ପଶି ତାଙ୍କୁ ଆଖିବୁଜା ଗୁଳି କରି ହତ୍ୟା କରିବା ପରେ ସେମାନେ ଫେରାର୍ ହୋଇଯାଇଥିଲେ।
ରହସ୍ୟ ଘେରରେ ଘଟଣା
ବିଜୟଙ୍କୁ ହତ୍ୟା କରିବା ଘଟଣା ଏବେ ବି ରହସ୍ୟ ଘେରରେ ରହିଛି। ପୁଲିସ ଗୋଟିଏ କଥା କହୁଥିବା ବେଳେ ବାହାରେ ଆଉ ଏକ କଥା ଆଲୋଚନା ହେଉଛି। ସାମ୍ବାଦିକ ସମ୍ମିଳନରେ ଏସ୍ପି ସୁଧାଂଶୁ ଶେଖର ମିଶ୍ର କହିଛନ୍ତି ଯେ, ସଦର ଥାନା ଅଞ୍ଚଳରେ ବିଦ୍ୟୁତ ତାର ସଂଯୋଗକୁ କେନ୍ଦ୍ର କରି ବିଜୟଙ୍କ ଭଣଜାଙ୍କୁ ଆକ୍ରମଣ ହୋଇଥିଲା। ଆଉ ଏଥିରେ କେତେକ ଅଭିଯୁକ୍ତ ଗିରଫ ହୋଇଥିଲେ। ଯାହାକୁ ନେଇ ତିକ୍ତତା ବଢ଼ିଥିଲା। ଅନ୍ୟପଟେ ବିଜୟଙ୍କ ବ୍ୟବସାୟ ସହଯୋଗୀଙ୍କୁ ନେଇ ମଧ୍ୟ କଥା ଉଠୁଛି। ବିଜୟ ଓ ତାଙ୍କ ବ୍ୟବସାୟରେ ଟଙ୍କା କାରବାରକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ତେଣୁ ଟଙ୍କା କାରବାରକୁ ନେଇ ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ଆଲୋଚନା ମଧ୍ୟ ହେଉଛି। ଯଦିଓ ଘଟଣାରୁ ସମ୍ପୂର୍ଣ୍ଣ ପର୍ଦ୍ଦା ହଟିନାହିଁ। ତେବେ ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପରେ ସତ୍ୟାସତ୍ୟ ପଦାକୁ ଆସିବା ବୋଲି ଚର୍ଚ୍ଚା ଚାଲିଛି। ଆବଶ୍ୟକ ହେଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଏସ୍ପି ଶ୍ରୀ ମିଶ୍ର କହିଛନ୍ତି।
କ’ଣ ଘଟିଥିଲା ବିଜୟଙ୍କ ଭଣଜା ସହ
ଗତ ଜାନୁଆରି ୨୦ ତାରିଖରେ କେଶରପୁର ଅଞ୍ଚଳରେ ବିଦ୍ୟୁତ ତାର ସଂଯୋଗକୁ ନେଇ ବିଜୟଙ୍କ ଭଣଜା ଶତ୍ରୁଜିତ ପ୍ରଧାନଙ୍କ ଅନ୍ୟ ଏକ ଗୋଷ୍ଠୀ ସହ ବିବାଦ ସୃଷ୍ଟି ହୋଇଥିଲା। ଅନ୍ୟ ଗୋଷ୍ଠୀର କେତେକ ଯୁବକଙ୍କ ଆକ୍ରମଣ ଯୋଗୁଁ ଶତ୍ରୁଜିତ୍, ସାନଭାଇ ବିଶ୍ବଜିତ୍ ଏବଂ ବାପା ଉତ୍ତମ ପ୍ରଧାନ ଆହତ ହୋଇଥିଲେ। ଘଟଣାରେ ସଦର ଥାନା ପୁଲିସ ଶିକୁନ୍ ମାଝି ଓ ଗୋପାଳ ଦଳେଇକୁ ଗିରଫ କରିଥିଲା। ବିଜୟଙ୍କ ଚାପ ଯୋଗୁଁ ଅଭିଯୁକ୍ତ ଗିରଫ ହୋଇଥିବା ଚର୍ଚ୍ଚା ହେଉଥିଲା। ଯାହାକୁ ନେଇ ସେ ବିବାଦ ଘେରକୁ ଆସିଥିଲେ। ଆଉ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ହୋଇଥିଲା।
ହତ୍ୟା ପାଇଁ ହୋଇଥିଲା ବ୍ଲୁପ୍ରିଣ୍ଟ, ୮ ରାଉଣ୍ଡ ଗୁଳି କରିଥିଲେ
ବିଜୟଙ୍କୁ ହତ୍ୟା ପାଇଁ ସପ୍ତାହକ ପୂର୍ବରୁ ଯୋଜନା ହୋଇଥିଲା। ଯୋଜନା ମୁତାବକ ଘଟଣା ଦିନ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ୧୨ରୁ ଊର୍ଦ୍ଧ୍ବ ଯୁବକ ଏକାଠି ହୋଇଥିଲେ। ସେଠାରେ ନିଶା ଆସର ଜମାଇ ପ୍ରସ୍ତୁତି କରିଥିଲେ। କିଏ କେଉଁ ଅସ୍ତ୍ର ଧରିବ? କିଏ ଗୁଳି କରିବ? କିଏ କେମିତି ଏବଂ କେଉଁ ବାଟରେ ଯିବେ ଓ ଆସିବେ ସବୁର ନକ୍ସା ପ୍ରସୁତ ହୋଇଥିଲା। ଆଉ ଟ୍ରଲରରେ ଜଣେ ଯୁବକଙ୍କୁ ଜଗାଇଥିଲେ। ବିଜୟ ଆସିବା ମାତ୍ରେ ଖବର ଦେବାକୁ କହିଥିଲେ। ବିଜୟ ସେଠି ପହଞ୍ଚିବା ପରେ ଖବରପାଇ ଅଭିଯୁକ୍ତମାନେ ମୁଖାପିନ୍ଧି ପହଞ୍ଚି ଯାଇଥିଲେ। କିଛି ବୁଝିବା ପୂର୍ବରୁ ବିଜୟଙ୍କୁ ହାଣିଥିଲେ ଅଭିଯୁକ୍ତ। ସେ ଜୀବନ ବିକଳରେ ଦୌଡ଼ିବା ସମୟରେ ଆଶିଷ ପ୍ରଥମେ ତାଙ୍କୁ ଗୁଳି କରିଥିଲା। ପରେ ସେ ଟ୍ରଲର ଭିତରେ ପଶିଯିବାରୁ ବିଶ୍ବଜିତ ଭିତରକୁ ପଶି ସେଠାରେ ତାଙ୍କୁ ଗୁଳି କରିଥିଲା। ଉଭୟ ବିଜୟଙ୍କ ଉପରକୁ ୮ରାଉଣ୍ଡ ଗୁଳି କରିଥିଲେ। ଦୁଇ ଗୋଡ଼, ଛାତି, ବେକ, ଅଣ୍ଟାରେ ଗୁଳି ବାଜିଥିଲା। ତେବେ ମେଡିକାଲ୍ରେ ବିଜୟଙ୍କ ଦୁଇ ଗୋଡ଼ ଏବଂ ଛାତିରୁ ମୋଟ ୩ଟି ଗୁଳି ବାହାର କରାଯାଇଥିଲା। ବାକି ଗୁଳି ବିଜୟଙ୍କ ଦେହରୁ ବାହାରି ଟ୍ରଲରରେ ପଡ଼ିଥିଲା।
ବାହାରକୁ ଯିବ ସ୍ବତନ୍ତ୍ର ଟିମ୍
ଫେରାର୍ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଜିଲ୍ଲା ଏବଂ ଜିଲ୍ଲା ବାହାରେ ଚଢ଼ଉ ଜାରି ରଖିଛି। ସେମାନଙ୍କ ଠିକଣା ଠାବ ହୋଇଥିଲେ ମଧ୍ୟ ବାହାରକୁ ଚାଲିଯାଇଥିବା କାରଣରୁ ପୁଲିସ କିଛି ଅଭିଯୁକ୍ତଙ୍କୁ ଗିରଫ କରିପାରି ନାହିଁ। ତେବେ ଦୁଇ ସ୍ବତନ୍ତ୍ର ଟିମ୍ର ମଙ୍ଗ ଧରିଥିବା ମୁଖିଆ ଡିଏସ୍ପି ଅନୁପ କାନୁନ୍ଗୋ ଓ ଅମୂଲ୍ୟ ଧରଙ୍କ ନେତୃତ୍ବରେ ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟ ଓ ଆଇଆଇସି କୃଷ୍ଣଚନ୍ଦ୍ର ପଲେଇ ଚଢ଼ଉ ପାଇଁ ନକ୍ସା ପ୍ରସ୍ତୁତ କରିସାରିଛନ୍ତି। ଗୋଟିଏ ଟିମ୍ ଭୁବନେଶ୍ବର ଯାଇଥିବା ବେଳେ ଅନ୍ୟ ଏକ ଟିମ୍ ରାଜ୍ୟ ବାହାରକୁ ପଠାଇବା ପାଇଁ ଯୋଜନା କରାଯାଇଛି।
ଜାପାନୀକୁ ନେଇ ଚର୍ଚ୍ଚା
ତେବେ ଘଟଣାରେ ଜାପାନୀ ଗ୍ରୁପ୍ ସାମିଲ୍ ନେଇ ଚର୍ଚ୍ଚା ହେଉଛି। ହତ୍ୟାକାଣ୍ଡରେ ଜାପାନୀ ବନ୍ଧୁକ ଯୋଗାଇଥିବା କୁହାଯାଉଛି। ସେ ଏବଂ ତାର ସହଯୋଗୀ ଫେରାର୍ ଥିବାରୁ ପୁଲିସର ସନ୍ଦେହ ବଢ଼ିଛି। ତାକୁ ଗିରଫ ପରେ ଅଧିକ ତଥ୍ୟ ପଦାକୁ ଆସିବ ବୋଲି ଜଣାପଡ଼ିଛି।