ଖାପ୍‌ ପଞ୍ଚାୟତରେ ଲଣ୍ଡା କରି ବୁଲାଇବା ମାମଲା: ବାରିକ, ବାଜାବାଲା ସମେତ ୮ ଗିରଫ

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ତେନ୍ତୁଳିଆପାଲ୍ଲୀ ଗ୍ରାମରେ ଖାପ୍‌ ପଞ୍ଚାୟତ ମାମଲାରେ ପୁଲିସ କଠୋର ହୋଇଛି। ଜଣେ ଯୁବକଙ୍କୁ ପଞ୍ଚ ବସି ଦଣ୍ଡବିଧାନ କରିବା ଓ ଲଣ୍ଡା କରି, ମୁହଁରେ କଳା ବୋଳି ଜୋତାମାଳ ପିନ୍ଧାଇ ଗାଁରେ ବୁଲାଇବା ଅପରାଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏ ଘଟଣାରେ ପୁଲିସ ତେନ୍ତୁଳିଆପାଲ୍ଲୀ ଗ୍ରାମର ବାରିକ, ବାଜାବାଲା ସମେତ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ବିପିନ ପ୍ରଧାନ, ବିଭୂତି ପ୍ରଧାନ, ସୁକାନ୍ତ ପ୍ରଧାନ, କୁନା ପଲାଇ, କୁବେର ପ୍ରଧାନ, ଶରତ ପ୍ରଧାନ, ବସନ୍ତ ବାରିକ ଓ ରିଲୁ ପ୍ରଧାନ ବୋଲି ପୁଲିସ କହିଛି।

ଗତ ୭ତାରିଖ ବିଳମ୍ବିତ ରାତିରେ ବାଗଲପୁର ଗ୍ରାମର ସୁଶାନ୍ତ ସ୍ୱାଇଁ ନାମକ ଜଣେ ଯୁବକ ତେନ୍ତୁଳିଆପାଲ୍ଲୀ ଗ୍ରାମର ଜନୈକା ମହିଳାଙ୍କ ଘରକୁ ଯାଇଥିଲେ। ମହିଳାଙ୍କ ସହିତ ତାଙ୍କର ଅନୈତିକ ସମ୍ପର୍କ ଥିବା ନେଇ ଗ୍ରାମବାସୀ ଅଭିଯୋଗ କରୁଥିଲେ। ଏଣୁ ଗାଁର କିଛି ଲୋକ ସୁଶାନ୍ତକୁ ଅଟକ ରଖି ନାନା ନିର୍ଯାତନା ଦେଇଥିଲେ। ଗ୍ରାମବାସୀ ସୁଶାନ୍ତକୁ ଲଣ୍ଡା କରି ଜୋତାମାଳ ପିନ୍ଧାଇ ଗାଁରେ ପରିକ୍ରମା କରାଇଥିଲେ। ସେପଟେ ଲୋକଲଜ୍ଜା ଭୟରେ ମହିଳା ଜଣକ ବିଷପିଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ସୁଶାନ୍ତ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସ୍ ନମ୍ବର କେସ୍‌ ନମ୍ବର ୩୭୧/୨୨ରେ ମାମଲା ରୁଜୁ କରି ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର