ଘସିପୁରାରେ ପିସିସି ସଭାପତିଙ୍କ ଆକ୍ରମଣ ଘଟଣାରେ ୮ ଗିରଫ 

ଆନନ୍ଦପୁର: କେନ୍ଦୁଝରର ଘସିପୁରାରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଓ ସମର୍ଥକମାନେ ପିସିସି ସଭାପତି ତଥା କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଆକ୍ରମଣ ଘଟଣାରେ ପୁଲିସ୍ ୮ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ଏମାନଙ୍କ ଭିତରୁ ୪ଜଣ କଂଗ୍ରେସର ଏବଂ ୪ଜଣ ବିଜେଡିର କର୍ମୀ ବୋଲି କୁହାଯାଉଛି। ଗତକାଲି ଆହତ କଂଗ୍ରେସ କର୍ମୀ ସଦାନନ୍ଦ ନାୟକ ଥାନାରେ ଏତଲା ଦେଇଥିଲେ।

ଗତକାଲି ପ୍ରଚାରର ଶେଷ ପର୍ଯ୍ୟାୟରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଓ ସମର୍ଥକମାନେ ପିସିସି ସଭାପତି ତଥା କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଆକ୍ରମଣ କରିଥିଲେ। ଅତର୍କିତ ଆକ୍ରମଣ ସାଙ୍ଗକୁ ଗୁଳିମାଡ଼ରେ ୨୦ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଆକ୍ରମଣକାରୀମାନେ ୧୦ଟି ଚାରିଚକିଆ ଗାଡ଼ିକୁ ଭଙ୍ଗାରୁଜା କରିବା ସହିତ ଲୁଟ୍ପାଟ୍ କରିଥିବା ଅଭିଯୋଗ ହୋଇଥିଲା।

ପିସିସି ସଭାପତିଙ୍କ କହିବା ଅନୁସାରେ, ସେମାନେ କାଲି ଅପରାହ୍ଣରେ ଗଡ଼ବାନ୍ଧଗୋଡ଼ା ଗ୍ରାମର ଦାନ୍ତିଆ ଗ୍ରାମରୁ ପ୍ରଚାର ସାରି ରାମଚନ୍ଦ୍ରପୁର ଆଡ଼କୁ ଫେରୁଥିଲେ। ଫେରିବା ବାଟରେ ପ୍ରାୟ ସାଢ଼େ ୫ଟାବେଳେ ତାଙ୍କୁ ଭଣ୍ତାରିପଡ଼ା ଛକ ନିକଟରେ କେତେକ ଯୁବକ ଅଟକାଇଥିଲେ। ଶୋଭାଯାତ୍ରାରେ ଥିବା ଗୋଟିଏ ଗାଡ଼ିର ଚାବି ନେଇଯିବା ସହିତ ଡ୍ରାଇଭରଙ୍କୁ ମାଡ଼ ମାରିଥିଲେ। ସଂପୃକ୍ତ ଆକ୍ରମଣକାରୀ ଯୁବକମାନେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଫେରିଯିବାକୁ ଧମକ ଦେଇଥିଲେ।

ଏହି ସମୟରେ ଖବରପାଇ ରାମଚନ୍ଦ୍ରପୁର ଥାନା ଆଇଆଇସି ରାଜେନ୍ଦ୍ର କୁମାର ସ୍ବାଇଁ ସେଠାରେ ପହଞ୍ଚି ଗାଡ଼ିଗୁଡ଼ିକୁ ନେଇ ଆସିଥିଲେ। ସେଠାରୁ ତିନି କିଲୋମିଟର ଆସିବା ପରେ ନହଙ୍ଗିଛକ ନିକଟରେ ରାସ୍ତାରେ ଏକ ମେଟାଲ ଟ୍ରାକ୍ଟର ରଖି ଗାଡ଼ିଗୁଡ଼ିକୁ ପୁଣି ଅଟକାଇଥିଲେ। କେହି କିଛି ବୁଝିବା ପୂର୍ବରୁ ସମସ୍ତଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଥିଲା। ଗାଡ଼ିରେ ଥିବା କର୍ମୀମାନଙ୍କୁ ଘୋଷାଡ଼ି ଆଣି ଲୁହାରଡ୍, ଖଣ୍ତା, ଭୁଜାଲିରେ ଆକ୍ରମଣ କରିବା ସହିତ ନିସ୍ତୁକ ମାଡ଼ ମାରିଥିଲେ। ସମସ୍ତଙ୍କ ମୋବାଇଲ ଓ ପର୍ସ ମଧ୍ୟ ଛଡ଼ାଇ ନେଇଯାଇଥିଲେ। ଆକ୍ରମଣକାରୀମାନେ ନିରଞ୍ଜନଙ୍କ କାରର କାଚ ଭାଙ୍ଗିଦେଇଥିଲେ। ସେହି ଗାଡ଼ିରେ ବସିଥିବା କଂଗ୍ରେସର ପର୍ଯ୍ୟବେକ୍ଷକ ସାନଖେମୁଣ୍ତିର ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ ମାଡ଼ ମାରିଥିଲେ। ଫଳରେ ସେ ଆହତ ହୋଇଥିଲେ। ନିରଞ୍ଜନଙ୍କୁ ମଧ୍ୟ ସେମାନେ ଗାଳିଗୁଲଜ କରି ଠେଲାପେଲା କରିଥିଲେ। ଶୋଭାଯାତ୍ରାରେ ଥିବା ୧୦ଟି ଗାଡ଼ିକୁ ଭାଙ୍ଗି ପକାଇଥିଲେ।

 

ସମ୍ବନ୍ଧିତ ଖବର