ବ୍ରହ୍ମପୁର: ଏଚ୍‌ଆଇଭି ସଂକ୍ରମିତ ମାତା-ପିତାଙ୍କ ଠାରୁ ଜନ୍ମିତ ଅନାଥ ଶିଶୁଙ୍କୁ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ଥିବା ଶ୍ରଦ୍ଧା ସଞ୍ଜୀବନୀ ଆବାସିକ ଶିଶୁଯତ୍ନ କେନ୍ଦ୍ରରେ ଥଇଥାନ କରାଯାଉଛି। ଏହି କେନ୍ଦ୍ରରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଅନାଥ ପିଲା ରହୁଛନ୍ତି। ବର୍ତ୍ତମାନ ଏଠାରେ ୫୭ଜଣ ଏଚ୍‌ଆଇଭି ସଂକ୍ରମିତ ଶିଶୁଙ୍କ ଯତ୍ନ ନିଆଯାଉଛି। ଏହି ଶିଶୁଙ୍କ ପାଠପଢ଼ା ଓ ଖାଇବା ରହିବା ସହିତ ସମସ୍ତ ପ୍ରକାର ଯତ୍ନ ରାଜ୍ୟ ସରକାର ବହନ କରୁଛନ୍ତି। କିନ୍ତୁ ଏହି ଶିଶୁଯତ୍ନ କେନ୍ଦ୍ରରେ ରହୁଥିବା ୮ଜଣ ଅନ୍ତେବାସୀ ପେନ୍‌ସନ୍‌ ପାଇବାରୁ ବଞ୍ଚିତ ରହିଛନ୍ତି। ଅନ୍ତେବାସୀଙ୍କୁ ମଧୁବାବୁ ପେନ୍‌ସନ୍‌ ପ୍ରଦାନ କରିବା ପାଇଁ ବିଭାଗୀୟ ଅଧିକାରୀ ଉଦ୍ୟମ ଆରମ୍ଭ କରି ଆବଶ୍ୟକ କାଗଜପତ୍ର ଦାଖଲ କରିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ସେହି ପଲାଙ୍କ ପେନ୍‌ସନ୍‌ ମଂଜୁର ହୋଇପାରି ନାହିଁ।

Advertisment

ମାତା-ପିତା ଏଚ୍‌ଆଇଭି ପଜିଟିଭ୍‌ ହେବାର ପରବର୍ତ୍ତୀ ସମୟରେ ଗର୍ଭସ୍ଥ ଶିଶୁ ମଧ୍ୟ ସଂକ୍ରମିତ ହୋଇଥାଏ। ଏଚ୍‌ଆଇଭି ସଂକ୍ରମିତ ମାତା-ପିତାଙ୍କ ମୃତ୍ୟୁ ପରେ ଶିଶୁଟି ଅନାଥ ହୋଇ ଯାଉଛି। ଏଭଳି ଅନାଥ ଶିଶୁଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟ ନେଇ ଗୋପାଳପୁରରେ ଶ୍ରଦ୍ଧା ସଞ୍ଜୀବନୀ ଶିଶୁଯତ୍ନ ଗୃହ ଆରମ୍ଭ କରା ଯାଇଥିଲା। ପୂର୍ବତନ ଗଞ୍ଜାମ ଜିଲ୍ଲାପାଳ ତଥା ବର୍ତ୍ତମାନର ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍‌ଙ୍କ ଉଦ୍ୟମ କ୍ରମେ ଗତ ୨୦୦୭ରେ ଶ୍ରଦ୍ଧା ସଞ୍ଜୀବନୀ ପ୍ରତିଷ୍ଠା ହୋଇଥିଲା। ଏଠାରେ ଗଞ୍ଜାମ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ଏଚ୍‌ଆଇଭି ସଂକ୍ରମିତ ଅନାଥ ଶିଶୁଙ୍କ ଯତ୍ନ ନିଆଯାଉଛି। ୬ରୁ ୧୮ବର୍ଷ ବୟସ ଭିତରେ ରହିଥିବା ପିଲାମାନଙ୍କୁ ମାଗଣାରେ ଶିକ୍ଷା, ସ୍ବାସ୍ଥ୍ୟ, ଗୃହ ସହିତ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି। ସାମାଜିକ ସୁରକ୍ଷା ଯୋଜନାରେ ଏଠାରେ ରହୁଥିବା ଶିଶୁଙ୍କୁ ମଧୁବାବୁ ପେନସନ୍‌ ଯୋଜନାରେ ସାମିଲ କରା ଯାଇଥାଏ। ପ୍ରତ୍ୟେକ ଅନ୍ତେବାସୀଙ୍କୁ ମାସିକ ୫ଶହ ଟଙ୍କା ପେନ୍‌ସନ୍‌ ଦିଆ ଯାଇଥାଏ। ଏହି ଟଙ୍କା ଅନ୍ତେବାସୀଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଥାଏ। କିନ୍ତୁ ମାସ ମାସ ଧରି ୮ଜଣ ଶିଶୁ ଏହି ପେନ୍‌ସନ୍‌ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି ୮ଜଣ ଶିଶୁ ଗତବର୍ଷ ପର୍ଯ୍ୟାୟ କ୍ରମେ ଏହି ଶିଶୁଯତ୍ନ ଗୃହକୁ ଆସିଥିଲେ।

ଶ୍ରଦ୍ଧା ସଞ୍ଜୀବନୀ କର୍ତ୍ତୃପକ୍ଷ ଅନ୍ତେବାସୀଙ୍କ ତାଲିକା ପ୍ରସ୍ତୁତ କରି ଫେବ୍ରୁଆରି ମାସରୁ ଗଞ୍ଜାମ ଡିଏପିୟୁସିର ଡିପିଏମ୍‌ ନିକଟରେ ଦାଖଲ କରି ସାରିଛନ୍ତି। ଏହା ସହିତ ଗଞ୍ଜାମ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେହି ଅନାଥ ଶିଶୁଙ୍କ ପାଇଁ ପେନ୍‌ସନ୍‌ ବ୍ୟବସ୍ଥା ଲାଗୁ ହୋଇପାରି ନାହିଁ। ଏଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଅନ୍ତେବାସୀଙ୍କ ନିମନ୍ତେ ପେନ୍‌ସନ୍‌ ସୁବିଧା କରିବାକୁ କିଛି ସାମାଜିକ କର୍ମୀ ଦାବି କରିଛନ୍ତି।