ଭୁବନେଶ୍ବର: ପୂର୍ବାହ୍ନ ସାଢ଼େ ୧୧ଟା ବେଳକୁ ଟାଇଁ ଟାଇଁ ଖରା। ରାସ୍ତାରେ ଚାଲିଚାଲି ଯିବା ଦୂରେ ଥାଉ, ଗାଡ଼ି ଚାଳକଙ୍କ ଦେହ ହାତ ପୋଡ଼ି ହୋଇଯାଉଥିଲା। ସ୍ଥିତି ଏମିତି ହୋଇଥିଲା ଯେ କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ବାଲେଶ୍ବର, ରାଉରକେଲା, ହୀରାକୁଦ ସହରରେ ପାରା ୩୫ ଡିଗ୍ରି ଡେଇଁ ଯାଇଥିଲା। ଗତକାଲି ତୁଳନାରେ ଏହି ସହରଗୁଡ଼ିକର ତାପମାତ୍ରା ୧ରୁ ୨ ଡିଗ୍ରି ଅଧିକ ଥିଲା। ଅପରାହ୍ଣ ୨ଟା ୩୦ ବେଳକୁ ଝାରସୁଗୁଡ଼ା ଓ ସମ୍ବଲପୁର ତାପମାତ୍ରା ୪୦ ଡିଗ୍ରି ନିକଟରେ ପହଞ୍ଚିଥିଲା। ସେହି ସମୟରେ ରାଜଧାନୀ ଭୁବନେଶ୍ବର ତାପମାତ୍ରା ପ୍ରଥମ ଥର ପାଇଁ ୩୭ ଡିଗ୍ରି ଅତିକ୍ରମ କରି ୩୭.୪ ଡିଗ୍ରିରେ ପହଞ୍ଚିଥିଲା। ଅନ୍ୟ ସହରଗୁଡ଼ିକର ତାପମାତ୍ରା ମଧ୍ୟ ହୁ ହୁ ହୋଇ ବଢ଼ିବା ସହ ଅପରାହ୍ଣ ୩ଟା ବେଳକୁ ଝାରସୁଗୁଡ଼ାରେ ଚଳିତବର୍ଷର ସର୍ବୋଚ୍ଚ ତାପମାତ୍ରା ୪୧.୪ ଡିଗ୍ରିରେ ପହଞ୍ଚିଥିଲା। ଝାରସୁଗୁଡ଼ା ସମେତ ୧୫ଟି ସହରର ତାପମାତ୍ରା ୩୯ ଡିଗ୍ରି ଉପରକୁ ଚାଲିଯାଇଥିଲା। ସେଥିମଧ୍ୟରୁ ୮ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ପହଞ୍ଚିଥିଲା। ବୌଦ୍ଧରେ ୪୦.୮, ବଲାଙ୍ଗୀରରେ ୪୦.୪, ଭଦ୍ରକରେ ୪୦.୧, ଟିଟିଲାଗଡ଼ ଓ ହୀରାକୁଦରେ ୪୦.୧, ବାରିପଦା, ସମ୍ବଲପୁରରେ ୪୦, ପାରଳାଖେମୁଣ୍ଡିରେ ୩୯.୯, ଅନୁଗୁଳ ଓ ସୋନପୁରରେ ୩୯.୭, ସୁନ୍ଦରଗଡ଼ରେ ୩୯.୬, ରାଉରକେଲା, ଢେଙ୍କାନାଳ ଓ ଭବାନୀପାଟଣାରେ ୩୯.୫ ଡିଗ୍ରି ରହିଥିଲା। ଭୁବନେଶ୍ବରରେ ଚଳିତବର୍ଷର ସର୍ବୋଚ୍ଚ ତାପମାତ୍ରା ୩୮.୨ ଡିଗ୍ରିରେ ପହଞ୍ଚିଥିଲା।
ଝାରସୁଗୁଡ଼ାରେ ୪୧.୪ଂ, ରାଜ୍ୟରେ ଉତ୍ତପ୍ତ ସହର
ତିନି ଦିନ ଜଳାଇବ, ପଶ୍ଚିମ ଓଡ଼ିଶାକୁ ଅରେଞ୍ଜ ୱାର୍ଣ୍ଣିଂ
ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଆସନ୍ତା ତିନି ଦିନ ଯାଏ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ରାତି ଉଷ୍ମ ରହିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ଅଧିକ ରହିବାକୁ ଥିବା ବେଳେ ଉପକୂଳରେ ୨ରୁ ୩ ଡିଗ୍ରି ଏବଂ ଅନ୍ୟ ସ୍ଥାନଗୁଡ଼ିକରେ ସ୍ବାଭାବିକ ରହିବ। ୧୪ ତାରିଖରେ କଳାହାଣ୍ଡି, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର ଓ ସୁବର୍ଣ୍ଣପୁର ଜିଲ୍ଲାରେ ହିଟ୍ୱେଭ୍ ସୃଷ୍ଟି ହେବ। ଏହି ସମୟରେ ବାଲେଶ୍ବର, ଖୋର୍ଦ୍ଧା, କଟକ, ଗଜପତି ଓ ଭଦ୍ରକ ଜିଲ୍ଲାରେ ଗରମ ସହ ଗୁଳୁଗୁଳି ଏବଂ ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼ ଓ ବୌଦ୍ଧରେ ରାତି ଉଷ୍ମ ରହିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୧୫ ତାରିଖରେ ଝାରସୁଗୁଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ତାପମାତ୍ରା ଆହୁରି ବଢ଼ିବା ସହ ହିଟ୍ୱେଭ୍ ସ୍ଥିତି ଉପୁଜିବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। କନ୍ଧମାଳ ଓ ବରଗଡ଼ରେ ହିଟ୍ୱେଭ ହେବାକୁ ଥିବାରୁ ୟେଲୋ ଓ ବଲାଙ୍ଗୀର, ସମ୍ବଲପୁର, ବୌଦ୍ଧ ଓ ସୁନ୍ଦରଗଡ଼ ଜିଲ୍ଲାରେ ଉଷ୍ମ ରାତି ରହିବ। ୧୬ ତାରିଖରେ ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ାରେ ହିଟ୍ୱେଭ୍ ସ୍ଥିତି ଉପୁଜିବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ବଲାଙ୍ଗୀର, ସମ୍ବଲପୁର, ବୌଦ୍ଧ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଉଷ୍ମରାତି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ୧୭ ତାରିଖରେ ବଲାଙ୍ଗୀର, ନୂଆପଡ଼ା ଓ ବରଗଡ଼ରେ ହିଟ୍ୱେଭ୍ ଅନୁଭୂତ ହେବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ହିଟ୍ୱେଭ୍କୁ ନଜରରେ ରଖି ଏସ୍ଆରସିଙ୍କ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି।