ଅଷ୍ଟମ ଶ୍ରେଣୀ ଛାତ୍ରୀ ପିଲା ପ୍ରସବ ଘଟଣା: ୧୦ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ଦାରିଙ୍ଗବାଡ଼ି: ରବିବାର ଭୋର୍‌ ୪ଟା ବେଳେ ଦାରିଙ୍ଗବାଡ଼ି ସରକାରୀ ଉଚ୍ଚବିଦ୍ୟାଳୟ ଛାତ୍ରୀନିବାସ ଶୌଚାଳୟରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ପିଲା ପ୍ରସବ କରିଥିବା ଘଟଣା ପ୍ରଘଟ ହେବା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି। ପରିସ୍ଥିତି ଉତ୍ତେଜନାମୟ ହୋଇ ଉଠିଛି। ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ ଘଟଣାରେ କନ୍ଧମାଳ ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଆବାସିକ ସ୍କୁଲର ୩ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟଙ୍କ ନିଲମ୍ବିତ କରାଯାଇଛି। ଏଥିସହିତ ଜଣେ ଏଏନ୍‌ଏମ୍‌, ୨ଜଣ ମାଟ୍ରନ୍‌ଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି। ସେହିପରି ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛନ୍ତି। ୧୦ଦିନ ଭିତରେ ଏହି ଘଟଣାର ତଦନ୍ତ ରିପୋର୍ଟ ଦେବାକୁ ବାଲିଗୁଡା ଉପଜିଲ୍ଲାପାଳଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଦାରିଙ୍ଗବାଡ଼ି ଓ ଗ୍ରିନ୍ଵାଡ଼ି ଗ୍ରାମପଞ୍ଚାୟତର ସମସ୍ତ ଲୋକ ସ୍କୁଲ୍‌ ପରିସରରେ ରୁଣ୍ଡ ହୋଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଖବର ପାଇ ପୁଲିସ ଅଧିକାରୀ ସ୍କୁଲ୍‌ରେ ପହଞ୍ଚି ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ କଥାବାର୍ତ୍ତା ହୋଇ ଘଟଣା ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ। ଏହି ଘଟଣା ପ୍ରଘଟ ହେବା ପରେ ସମଗ୍ର ଦାରିଙ୍ଗବାଡ଼ିରେ ଲୋକେ ରାସ୍ତାଘାଟରେ ପୁରୁଣା ଟାୟାର ଆଦି ଜାଳି ପ୍ରତିବାଦ ପ୍ରଦର୍ଶନ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଆଣି ଥାନାରେ ରଖାଯାଇଛି। ପ୍ରସବ କରିଥିବା ଛାତ୍ରୀ ଏବଂ ତା’ ପିଲାକୁ ବାଲିଗୁଡ଼ା ଡାକ୍ତରଖାନାକୁ ପଠାଇ ଦିଆଯାଇଛି ବୋଲି ପ୍ରଧାନ ଶିକ୍ଷୟିତ୍ରୀ ପୁଲିସକୁ ଜଣାଇଛନ୍ତି। ଝିଅ ସହ ସମ୍ପର୍କ ରଖିଥିବା କଥା କୁହାଯାଉଥିବା ଜଣେ ଯୁବକଙ୍କୁ ଥାନାକୁ ଆଣି ପୁଲିସ ପଚରା ଉଚୁରା କରୁଛି ପୁଲିସ।

ସମ୍ବନ୍ଧିତ ଖବର