ପାରାଦୀପ: ସ୍ଥାନୀୟ ଲାଇଟ ହାଉସ ନିକଟରେ ଆଜି ଏକ ଅଘଟଣ ଘଟିଛି। ସ୍କୁଲରୁ ଛୁଟି ହୋଇ ଘରକୁ ଫେରିବା ବଦଳରେ ଅଷ୍ଟମ ଶ୍ରେଣୀର ଛାତ୍ର ନିଖୋଜ ହୋଇଯାଇଛି। ସମୁଦ୍ର କୂଳରେ ଛାତ୍ର ଜଣକ ଗାଧୋଉଥିବା ସମୟରେ ଭାସିଯାଇଥିବା ନେଇ କିଛି ଦେଖଣାହାରୀ ମତ୍ସ୍ୟଜୀବୀଙ୍କ ସୂତ୍ରରୁ ପ୍ରକାଶ। ଛାତ୍ର ଜଣକ ପାରାଦୀପ ବେଥାନି କନଭେଣ୍ଟ ସ୍କୁଲରୁ ଛୁଟି ହେବାପରେ କିଛି ସାଙ୍ଗଙ୍କ ସହିତ ସମୁଦ୍ର କୂଳକୁ ଯାଇଥିଲା।
ତେବେ ସମୁଦ୍ର ନିକଟରେ ପିଲାଟିର ପିନ୍ଧା ପ୍ୟାଣ୍ଟ, ସାଇକେଲ, ଆଇକାର୍ଡ ଓ ସ୍କୁଲ ବ୍ୟାଗ ପଡ଼ିଥିଲା। ଛାତ୍ର ଜଣକ ନିଖୋଜ ହେବାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ସମୁଦ୍ରରେ ଗାଧୋଉଥିବା ସମୟରେ ଭାସିଯିବା ନେଇ କିଛି ସ୍ଥାନୀୟ ଲୋକ ଆଶଙ୍କା କରୁଛନ୍ତି। ତେବେ ଲଘୁଚାପ ପରେ ସମୁଦ୍ର ଅଶାନ୍ତ ଥିବାରୁ ସମୁଦ୍ରର ପ୍ରଖର ସ୍ରୋତରେ ବାଳକ ଜଣକ ଭାସିଯାଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।
ନିଖୋଜ ଛାତ୍ର ଜଣକ ହେଲେ ପାରାଦୀପ ମଧୁବନ ଭଞ୍ଜ କଲୋନିର ବେଥାନୀ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପ୍ରମୋଦ କୁମାର ଦାସଙ୍କ ପୁଅ ପ୍ରୀତମ ଦାସ ବୋଲି ଜଣାପଡିଛି। ପାରାଦୀପ ଜଟାଧାର ମୁହାଣ ପୁଲିସ ଓ ଅଗ୍ନିଶମ ବିଭାଗ ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଥିବା ବେଳେ ସମୁଦ୍ର କୂଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ପାରାଦୀପ ସମୁଦ୍ରରେ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକମାନେ ଆସୁଥିବା ବେଳେ କୌଣସି ସୂଚନା ଫଳକ କିମ୍ବା ପ୍ରଶାସନ ତରଫରୁ କୌଣସି ପ୍ରତିରୋଧମୂଳକ ପଦକ୍ଷେପ ନାହିଁ। ଏହି କାରଣରୁ ଅନେକ ସମୟରେ ପର୍ଯ୍ୟଟକମାନଙ୍କ ସହିତ ସ୍ଥାନୀୟ ଲୋକେ ମୃତ୍ୟୁମୁଖରେ ପଡୁଥିବା ନେଇ ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/93517fd9-db0e-488d-917f-31a68939345a.jpg)