ଟିଟିଲାଗଡ଼: ଟିଟିଲାଗଡ଼-ବଲାଙ୍ଗୀର ରେଳ ଲାଇନ୍ର ଗୁଞ୍ଜିତରା ନିକଟରେ ବୁଧବାର ଏକ ଚଳନ୍ତା ମାଳବାହୀ ଟ୍ରେନ୍ରୁ ୮ଟି ବଗି ଅଲଗା ହୋଇଯାଇଥିଲା। ଫଳରେ ଗୁଞ୍ଜିତରା ନିକଟ ଖଜୁରପଡ଼ା ଫାଟକ ଦେଇ ସାଢ଼େ ତିନି ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
ସୂଚନା ଅନୁସାରେ, ବୁଧବାର ଭୁବନେଶ୍ୱରରୁ ଟିଟିଲାଗଡ଼ ଅଭିମୁଖେ ୧୦୦ ବଗି ବିଶିଷ୍ଟ କୋଇଲା ବୋଝେଇ ଡବଲ୍ଡାଇମଣ୍ଡ ମାଳବାହୀ ଟ୍ରେନ୍ ଆସୁଥିଲା। ଗୁଞ୍ଜିତରା ନିକଟରେ ୮ଟି ବଗି ହଠାତ୍ ଛିଣ୍ଡି ଅଲଗା ହୋଇଯାଇଥିଲା। ଇଞ୍ଜିନ ସହ ସଂଯୁକ୍ତ ଅନ୍ୟ ବଗିଗୁଡ଼ିକ ଷ୍ଟେସନ ଅଭିମୁଖେ ଆଗକୁ ଚାଲିଯାଇଥିବା ବେଳେ ୮ଟି ବଗି ଅଲଗା ହୋଇ ଖଜୁରପଡ଼ା ରେଳ ଫାଟକଠାରେ ରହିଯାଇଥିଲା। ସଂପୃକ୍ତ ଗାର୍ଡ ଓ ଫାଟକରେ ଥିବା କର୍ମଚାରୀ ଷ୍ଟେସନ ମାଷ୍ଟରଙ୍କୁ ଫୋନ୍ ଯୋଗେ ଜଣାଇବା ପରେ ବିଭାଗୀୟ ତତ୍ପରତା ପ୍ରକାଶ ପାଇଥିଲା।
ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରୟାସ କରିଥିଲେ। ଉଭୟ ପଟରୁ ସାମୟିକ ଭାବେ ରେଳ ଚଳାଚଳ ବନ୍ଦ କରାଯାଇ ଉକ୍ତ ଟ୍ରେନ୍କୁ ପଛକୁ ଫେରାଯାଇ ପୁଣି ୮ଟି ବଗିକୁ ସଂଯୋଗ କରାଯାଇଥିଲା। ଏହି ପ୍ରକିୟା ଯୋଗୁଁ ପ୍ରାୟ ସାଢ଼େ ୩ ଘଣ୍ଟା ଧରି ଫାଟକ ବନ୍ଦ ରହିଥିଲା। ପ୍ରକାଶଯୋଗ୍ୟ ଯେ, ୨୦୧୮ ମସିହା ଏପ୍ରିଲ ୭ ତାରିଖ ଦିନ ଟିଟିଲାଗଡ଼ ରେଳ ଷ୍ଟେସନଠାରେ ଇଞ୍ଜିନ ବଦଳାଇବା ସମୟରେ ପୁରୀ ଅହମ୍ମଦାବାଦ ଏକ୍ସପ୍ରେସ୍ ବିନା ଇଞ୍ଜିନରେ ୧୫ କିଲୋମିଟର ଯାଏ ଗଡ଼ିଯାଇଥିଲା।