ଏନ୍‌ସିଟିଇର ବିଏଡ୍ ଝଟକା: ୮ କଲେଜକୁ ମିଳିଲାନି ଅନୁମତି

୨୦ ଶିକ୍ଷାନୁଷ୍ଠାନର ହଜାରେ ସିଟ୍‌ରେ ହେବ ନାମଲେଖା

ଭୁବନେଶ୍ବର : ବିଜ୍ଞପ୍ତିରେ କୁହାଗଲା ୨୮ ଶିକ୍ଷାନୁଷ୍ଠାନର ୨୬୫୦ ବିଏଡ୍‌ ଓ ବିଏଚ୍‌ଏଡ୍‌ ସିଟ୍‌ରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା କରାଯିବ। ତେଣୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବଢ଼ିଲା। ୧ ଲକ୍ଷ ୩ ହଜାର ୬୮୪ ଛାତ୍ରଛାତ୍ରୀ ଆବେଦନ କଲେ ଏବଂ ପରୀକ୍ଷା ଦେଲେ ୯୦ ହଜାର। ଆଶା କରାଯାଉଥିଲା ଯେ ଏବର୍ଷ ୨୬୫୦ ଛାତ୍ରଛାତ୍ରୀ ପଢ଼ିବାର ସୁଯୋଗ ପାଇବେ। ମାତ୍ର ସେଭଳି କିଛି ହେଲା ନାହିଁ। ଭିତ୍ତିଭୂମି ନ ଥିବାରୁ ନ୍ୟାସନାଲ କାଉନସିଲ୍‌ ଫର୍‌ ଟିଚର ଏଜୁକେସନ(ଏନ୍‌ସିଟିଇ) ରାଜ୍ୟ ସରକାରଙ୍କୁ ବଡ଼ ଝଟକା ଦେଇଛି। ମାତ୍ର ୨୦ଟି ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ଅନୁମତି ମିଳିଛି। ବାକି ୮ଟିକୁ ଭିତ୍ତିଭୂମି ନ ଥିବା ଦର୍ଶାଇ ଅନୁମତି ଦିଆଯାଇ ନାହିଁ। ତେଣୁ ୨୬୫୦ ସିଟ୍‌ ନୁ‌ହେଁ, ବରଂ ମାତ୍ର ହଜାରେ ସିଟ୍‌ରେ ଏବର୍ଷ ନାମଲେଖା ହେବ ବୋଲି ସାମ୍‌ସ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ମୋଟ ହଜାରେ ସିଟ୍‌ ମଧ୍ୟରେ ୧୯ଟି କଲେଜର ୫୦ଟି ଲେଖାଏ ବିଏଡ୍‌ ଓ ଗୋଟିଏ କଲେଜର ୫୦ଟି ବିଏଚ୍‌ଏଡ୍‌ ସିଟ୍‌ ରହିଛି। ଯେଉଁଥିରେ ୭ଟି କଲେଜ ଟିଚର ଏଜୁକେସନ(ସିଟିଇ) ରହିଥିବା ବେଳେ ୧୨ଟି ଡିଗ୍ରି/ବିଶ୍ବବିଦ୍ୟାଳୟ ରହିଛି। ସିଟିଇଗୁଡ଼ିକ ହେଲା ଅନୁଗୁଳର ଏନ୍‌କେସି ସିଟିଇ, ବାଲେଶ୍ବର ସିଟିଇ, ବଲାଙ୍ଗୀର ସିଟିଇ, କଟକସ୍ଥିତ ଆରଏନ୍‌ଆଇଏଏସ୍‌ଇ, ଗଞ୍ଜାମର ବ୍ରହ୍ମପୁରସ୍ଥିତ ଡିପିଆଇଏଏସ୍‌ଇ, ଭୁବନେଶ୍ବରର ନଳୀନ ଦେବୀ ମହିଳା କଲେଜ, ସମ୍ବଲପୁରର ଡ. ପିଏମ୍‌ ଆଇଏଏସ୍‌ଇ। ସେଲ୍ଫ ଫାଇନାନ୍ସିଂ ମୋଡ୍‌ରେ ବିଏଡ୍‌ ପାଠ୍ୟକ୍ରମ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ହେଲା ବରଗଡ଼ ପଞ୍ଚାୟତ କଲେଜ, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ, କଟକସ୍ଥିତ ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ, ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ, କଳାହାଣ୍ଡି ବିଶ୍ବବିଦ୍ୟାଳୟ, କେନ୍ଦୁଝରର ଡିଡି କଲେଜ, ଭୁବନେଶ୍ବରର ରାଜଧାନୀ କଲେଜ ଓ ବିଜେବି କଲେଜ, ଜୟପୁରର ବିକ୍ରମ ଦେବ ସ୍ବୟଂଶାସିତ କଲେଜ, ପୁରୀର ଏସ୍‌ସିଏସ୍‌ ସ୍ବୟଂଶାସିତ କଲେଜ ଓ ସୁନ୍ଦରଗଡ଼ ସରକାରୀ କଲେଜ। ଉକ୍ତ ସମସ୍ତ ଶିକ୍ଷାନୁଷ୍ଠାନର ୫୦ଟି ଲେଖାଏ ବିଏଡ୍‌ ସିଟ୍‌ରେ ନାମଲେଖା ହେବ। ଏହାବ୍ୟତୀତ କଟକସ୍ଥିତ ସରକାରୀ ହିନ୍ଦୀ ଶିକ୍ଷକ ତାଲିମ ପ୍ରତିଷ୍ଠାନର ୫୦ଟି ବିଏଚ୍‌ଏଡ୍‌ ପାଇଁ ନାମଲେଖା ହେବ।

ନାମଲେଖା ଲାଗି କେଉଁମାନେ ଯୋଗ୍ୟତା ଅର୍ଜନ କରିଛନ୍ତି ତାହାର ଏକ ତାଲିକା ଇତିମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଛି। ୨୦ଟି ଶିକ୍ଷାନୁଷ୍ଠାନର ହଜାରେ ଛାତ୍ରଛାତ୍ରୀଙ୍କ ନାମଲେଖା ସେପ୍ଟେମ୍ବର ୨୨ ଓ ୨୩ ତାରିଖରେ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ନାମଲେଖାକୁ ସ୍ଥଗିତ ରଖାଯାଇଛି। ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ଦ୍ବାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଦୁଇ ଦିନ ଧରି ହେବାକୁ ଥିବା ବିଏଡ୍‌ ନାମଲେଖା ପ୍ରକ୍ରିୟାକୁ ସ୍ଥଗିତ ରଖାଗଲା। ଅନିର୍ବାଯ୍ୟ କାରଣବଶତଃ ଏହି ନାମଲେଖା ସ୍ଥଗିତ ରହିଛି। ପୁଣି କେବେ ନାମଲେଖା ହେବ ସେନେଇ ପରବର୍ତୀ ସମୟରେ ଜଣାଇ ଦିଆଯିବ ବୋଲି ମଧ୍ୟ କୁହାଯାଇଛି।

ଗୋଟିଏ ପଟେ ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ଓ ଶିକ୍ଷକ ଅଭାବ। ଅନ୍ୟପଟେ ଏନ୍‌ସିଟିଇର କଟକଣା ଯୋଗୁଁ ରାଜ୍ୟର ହଜାର ହଜାର ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି। ଲଗାତାର ଦୁଇ ବର୍ଷ ହେଲା ବିଏଡ୍‌ ପାଠ୍ୟକ୍ରମରେ ଶିକ୍ଷାଗ୍ରହଣ ପ୍ରଭାବିତ ହେଉଛି। ୨୦୨୦-୨୧ ଶିକ୍ଷାବର୍ଷରେ ଭିତ୍ତିଭୂମି ଅଭାବ ଦର୍ଶାଇ ଏନ୍‌ସିଟିଇ ଓଡ଼ିଶାର କୌଣସି ବି ଶିକ୍ଷାନୁଷ୍ଠାନକୁ ବିଏଡ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁମତି ଦେଇ ନ ଥିଲା। ପରିମାଣ ସ୍ବରୂପ ଲକ୍ଷାଧିକ ଛାତ୍ରଛାତ୍ରୀ ଏହି ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିବାରୁ ବଞ୍ଚିତ ହୋଇଥିଲେ। ଏହାପରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ବିଏଡ୍‌ ଶିକ୍ଷାନୁଷ୍ଠାନଗୁଡ଼ିକ ଗଣଶିକ୍ଷା ବିଭାଗ ଅଧୀନରୁ ଉଚ୍ଚଶିକ୍ଷା ବିଭାଗକୁ ଆସିଥିଲା। ଲାଗୁଥିଲା ଭିତ୍ତିଭୂମିରେ ସୁଧାର ହେବ। ମାତ୍ର ସେଭଳି ଆଖିଦୃଶିଆ ପରିବର୍ତ୍ତନ ହୋଇ ନ ଥିଲା। ବରଂ ବିଭାଗ ପକ୍ଷରୁ ଶେଷ ମୁହୂର୍ତ୍ତରେ ଅଳ୍ପ ସଂଖ୍ୟାକ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତ କରାଯିବାରୁ ଏନ୍‌ସିଟିଇ ପକ୍ଷରୁ ସର୍ତ୍ତ ରଖାଯିବା ସହ ବହୁତ କମ୍‌ ସଂଖ୍ୟକ ସିଟ୍‌ରେ ନାମଲେଖା ଲାଗି ଅନୁମତି ଦିଆଯାଇଥିଲା। ଯେଉଁ ଶିକ୍ଷାନୁଷ୍ଠାନର ୧୫୦ ସିଟ୍‌ ରହିଥିଲା ୨୦୨୧-୨୨ରେ ସେଠାରେ ମାତ୍ର ୫୦ଟିରେ ନାମଲେଖା ଲାଗି ଅନୁମତି ମିଳିଥିଲା। ଏଥର ମଧ୍ୟ ସମାନ ଅବସ୍ଥା ଉପୁଜିଥିବାରୁ ହଜାର ହଜାର ଛାତ୍ରଛାତ୍ରୀ ଏବେ ଆନ୍ଧ୍ର ମୁହାଁ ହେଲେଣି।

ସମ୍ବନ୍ଧିତ ଖବର