ବଳଦେବଜିଉ ମନ୍ଦିର ଓ ବଡ଼ଦାଣ୍ଡ ପାଇଁ ସାଢ଼େ ୮ କୋଟି, ଆଲୋକମାଳାରେ ସଜ୍ଜିତ କରାଯିବ

ବଳଦେବ ଜିଉ ଐତିହ୍ୟ ପୁଷ୍କରିଣୀର ପୁନରୁଦ୍ଧାର ହେବ, ରଥଯାତ୍ରା ପୂର୍ବରୁ ସବୁ କାମ ସରିବ

ଭୁବନେଶ୍ବର: ଗତ ସ୍ନାନ ପୂର୍ଣ୍ଣିମାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ବଳଦେବ ଜିଉ ମନ୍ଦିର ପରିଦର୍ଶନରେ ଯାଇଥିଲେ। ସେବାୟତ ଓ ସ୍ଥାନୀୟ ଲୋକ ମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେଦିନ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ବଳଦେବ ଜିଉ ମନ୍ଦିର ଓ ବଡ଼ଦାଣ୍ଡର ଉନ୍ନତୀକରଣ ହେବ। ଏଥିପାଇଁ ୮କୋଟି ୫୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନ ସମ୍ମିଳନୀ କକ୍ଷରୁ ଭିଡିଓ କନଫରେନ୍ସିଂ ଯୋଗେ କେନ୍ଦ୍ରାପଡ଼ା ସାଂସଦ, ବିଧାୟକ, ଜିଲ୍ଲାପାଳ, ମନ୍ଦିର ଟ୍ରଷ୍ଟ ଏବଂ ସେବାୟତମାନଙ୍କ ସହିତ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଏଥିରେ ବଳଦେବ ଜିଉଙ୍କ ପୀଠ ତୁଳସୀ କ୍ଷେତ୍ର‌ର ସର୍ବବିଧ ବିକାଶ କରି ଏହାକୁ ଏକ ଆକର୍ଷଣୀୟ ଧର୍ମୀୟ ପର୍ଯ୍ୟଟନ କ୍ଷେତ୍ର ଭାବରେ ବିକଶିତ କରିବା ପାଇଁ ନିଷ୍ପତ୍ତି ହୋଇଛି।ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ବଳଦେବ ଜିଉ ମନ୍ଦିର ଓ ଏହାର ପରିସରକୁ ସୁଦୃଶ୍ୟ ଆଲୋକମାଳାରେ ସୁସଜ୍ଜିତ କରିବା ସହ ବଡ଼ଦାଣ୍ଡର ଉନ୍ନତୀକରଣ କରାଯାଇ ଏହାର ଦୁଇ ପାର୍ଶ୍ବକୁ ମଧ୍ୟ ସୁଦୃଶ୍ୟ ଆଲୋକମାଳାରେ ସଜ୍ଜିତ କରାଯିବ। ସେହିପରି କେନ୍ଦ୍ରାପଡ଼ାରେ ଏକ ଆଧ୍ୟାତ୍ମିକ ଉଦ୍ୟାନ ନିର୍ମାଣ କରାଯିବା ସହିତ ବଳଦେବ ଜିଉ ଐତିହ୍ୟ ପୁଷ୍କରିଣୀର ପୁନରୁଦ୍ଧାର ହେବ। ମନ୍ଦିରରେ ଥିବା ବିଭିନ୍ନ କୀର୍ତ୍ତିରାଜିର ଉପଯୁକ୍ତ ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯିବ। ଏତଦ୍‌ବ୍ୟତୀତ ମନ୍ଦିରର ନିରାପତ୍ତା, ସୁରକ୍ଷା ଏବଂ ଜଳ ନିଷ୍କାସନ ପ୍ରଣାଳୀକୁ ସମୁନ୍ନତ କରିବା ପାଇଁ ଆବଶ୍ୟକ ପଦ‌େକ୍ଷପ ନିଆଯିବ ବୋଲି ବୈଠକରେ ସ୍ଥିର ହୋଇଛି।

ଏହିସବୁ ଉନ୍ନତୀକରଣ କାର୍ଯ୍ୟର ଗୁଣାତ୍ମକମାନ ବଜାୟ ରଖିବା ସହିତ ଆସନ୍ତା ରଥଯାତ୍ରା ପୂର୍ବରୁ ସମସ୍ତ କାମ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଏହିସବୁ କାର୍ଯ୍ୟର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ାବାସୀଙ୍କ ସହଯୋଗ ମଧ୍ୟ କାମନା କରିଥିଲେ। ଏହି ନିଷ୍ପତ୍ତି ପାଇଁ ସେବାୟତମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଥିଲା। ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର୍‌. ବାଲକ୍ରିଷ୍ଣନ, ମୁଖ୍ୟମନ୍ତ୍ରୀଙ୍କ ‘୫-ଟି’ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ, ପୂର୍ତ୍ତ ସଚିବ କ୍ରିଷନ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର