ରାଜଧାନୀରେ ୨୪ ଘଣ୍ଟାରେ ୮ ମୃତ୍ୟୁ! ମୃତକଙ୍କ ମଧ୍ୟରେ ଅଧିକାଂଶ କର୍କଟ ରୋଗୀ

ଭୁବନେଶ୍ବର : ରାଜଧାନୀରେ ଥିବା କୋଭିଡ୍‌ ହସ୍ପିଟାଲରେ ୮ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ପୂର୍ବରୁ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। କିଛି ଦିନ ପୂର୍ବରୁ ରେଫର ହୋଇ ରାଜଧାନୀର କୋଭିଡ୍‌ ହସ୍ପିଟାଲକୁ ଆସିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଥିବା କୁହଯାଉଛି। ସରକାରୀ ଭାବେ ଏହି ମୃତ୍ୟୁ ସଂପର୍କରେ ଘୋଷଣା ହୋଇନାହିଁ। ତେବେ ଏହି ମୃତ୍ୟୁ କୋଭିଡ୍‌ କିମ୍ବା ଅଣ କୋଭିଡ୍‌ ଜନିତ, ତାହା ରାଜ୍ୟ ସରକାରଙ୍କ ଘୋଷଣା ପରେ ହିଁ ସ୍ପଷ୍ଟ ହୋଇପାରିବ।

ଆଜି ସଂଧ୍ୟାରେ ସତ୍ୟନଗରସ୍ଥିତ ଶ୍ମଶାନରେ ମୃତକଙ୍କ କିଛି ସଂପର୍କୀୟ ଶବଦାହ ପାଇଁ ଆସିଥିଲେ। ଏହି ସମୟରେ ହଠାତ୍ ସେଠାରେ ୩ରୁ ଅଧିକ ଆମ୍ବୁଲାନ୍‌ସ ଓ ପୁଲିସ ଗାଡ଼ି ପହଞ୍ଚିଥିଲା। କରୋନାରେ ପ୍ରାଣ ହରାଇଥିବା ରୋଗୀଙ୍କୁ ଶ୍ମଶାନକୁ ପୋଡ଼ିବା ଲାଗି ଅଣାଯାଇଥିବା ଖବର ବିଜୁଳି ବେଗରେ ବ୍ୟାପି ଯାଇଥିଲା। ସ୍ଥାନୀୟ ଲୋକ ମଧ୍ୟ ଆତଙ୍କିତ ହୋଇଯାଇଥିଲେ। ଭୟରେ ପୂର୍ବରୁ ସେଠାରେ ଶବଦାହ କରିବାକୁ ଆସିଥିବା ମୃତକଙ୍କ ପରିବାର ସେମାନଙ୍କ ଶବ ଛାଡ଼ି ଶ୍ମଶାନରୁ ପଳାଇଥିଲେ। ବେଶ୍ କିଛି ସମୟ ପାଇଁ ସତ୍ୟନଗର ଶ୍ମଶାନରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ଆଜି ସଂଧ୍ୟାର ଏହି ଘଟଣାରୁ ରାଜଧାନୀରେ କୋଭିଡ ଜନିତ ମୃତ୍ୟୁ ଏକପ୍ରକାର ସ୍ପଷ୍ଟ ହେବାରେ ଲାଗିଛି।

ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀର ଦୁଇଟି ହସ୍ପିଟାଲରେ ୮ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ଦୁଇ ହସ୍ପିଟାଲରୁ କେଉଁ ହସ୍ପିଟାଲରେ କେତେ ରୋଗୀ ପ୍ରାଣ ହରାଇଛନ୍ତି, ତାହା ସ୍ପଷ୍ଟ ହୋଇପାରି ନାହିଁ। କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ରୋଗୀ ପଜିଟିଭ୍ ଚିହ୍ନଟ ହେବା ପରେ ଦୁଇ ଦିନ ତଳେ ସେମାନଙ୍କୁ ଭୁବନେଶ୍ବରସ୍ଥିତ କୋଭିଡ୍‌ ହସ୍ପିଟାଲ୍‌କୁ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ଅନେକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିଲା।

ତେବେ ଏନେଇ ସରକାରୀ ଭାବେ କୌଣସି ଘୋଷଣା କରାଯାଇ ନାହିଁ କି ଅଧିକାରୀମାନେ ତଥ୍ୟ ଦେଉନାହାନ୍ତି। ଏମିତିକି ବିଏମ୍‌ସି ଅଧିକାରୀ ମୃତ୍ୟୁଜନିତ କୌଣସି ତଥ୍ୟ ନ ଥିବା କହି ଫୋନ୍ କାଟି ଦେଇଛନ୍ତି।

ସମ୍ବନ୍ଧିତ ଖବର