୨୮୫ଟି ଗାଡ଼ିର ଲୋକାର୍ପଣ: ୮ କୋଟି ୧୮ଲକ୍ଷ ଟଙ୍କ‌ା ଖର୍ଚ୍ଚ

କଟକ: ପୁଲିସ ଡିଜି ଅରୁଣ କୁମାର ଷଡଙ୍ଗୀ ଆଜି ଅପରାହ୍ଣରେ ପୁଲିସ ‌ସେବାରେ ବ୍ୟବହାର ପାଇଁ ୮ କୋଟି ୧୮ଲକ୍ଷ ଟଙ୍କା ବ୍ୟୟରେ କିଣାଯାଇଥିବା ୨୮୫ଟି ଗାଡ଼ିର ଲୋକାର୍ପଣ କରିଛନ୍ତି। କଟକସ୍ଥିତ ଷଷ୍ଠ ବାଟାଲିୟନ୍‌ ପରିସରରେ ୭୧ଟି ବୋଲେରୋ, ୯୪ଟି ବାଇକ ଓ ୧୨୦ଟି ସ୍କୁଟି ଲୋକାର୍ପଣ କରାଯାଇଛି। ଏହି ଗାଡ଼ି ପୁଲିସର କାର୍ଯ୍ୟଦକ୍ଷତା ବୃଦ୍ଧି ହେବା ସହିତ ଅପରାଧ ତଦନ୍ତ, ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ, ଅପରାଧର ସମାଧାନ, ନ୍ୟାୟ ସୁନିଶ୍ଚିତ କରିବା ଓ ଜରୁରୀ ସମୟରେ ତ୍ୱରିତ ପଦକ୍ଷେପ ଆଦିରେ ଉନ୍ନତି ଆଣିବାରେ ସହାୟକ ହେବ ବୋଲି ଡିଜି ଶ୍ରୀ ଷଡଙ୍ଗୀ ମତବ୍ୟକ୍ତ କରିଥିଲେ।

ରାଜ୍ୟରେ ମହିଳା ଓ ଶିଶୁଙ୍କ ବିରୋଧରେ ଘଟୁଥିବା ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ‘ନିର୍ଭୟା ଯୋଜନା’ରେ ୧୨୦ଟି ସ୍କୁଟି ପ୍ରଦାନ କରାଯାଇଥିଲା। ଏହାଦ୍ବାରା ମହିଳା ପୁଲିସ ଅଭିଯୋଗ ଶୁଣାଣି ଏବଂ ଅପରାଧର ତଦନ୍ତ ତୁଲାଇବାରେ ସକ୍ଷମ ହୋଇପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଏଚ୍‌ଆର୍‌ପିସି) ଲଳିତ ଦାସ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଆର୍‌. କେ. ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ୍‌ବ୍ରାଞ୍ଚ) ଅରୁଣ କୁମାର ବୋଥ୍ରା ଓ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଆଇ.ଜି. ଏସ୍‌. ସାଇନି ବକ୍ତବ୍ୟ ରଖିଥିଲେ। ଆଇ.ଜି (ପ୍ରୋଭିଜନିଂ) ଯତୀନ୍ଦ୍ର କୋୟଲ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର