ଜୀବିକା ପାଇଁ ଜୀବନ ଗଲା : ଶ୍ରମିକଙ୍କୁ ନେଇ ଗୁଜରାଟ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ; ୮ ମୃତ, ୨୦ ଆହତ

ଗଞ୍ଜାମରୁ ସୁରତ ଯାଉଥିଲେ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ୨ ଲକ୍ଷ ସହାୟତା ଘୋଷଣା

ମାଲକାନଗିରି : ଗଞ୍ଜାମ ଜିଲ୍ଲାରୁ ଶ୍ରମିକଙ୍କୁ ନେଇ ଗୁଜୁରାଟର ସୁରତ ଯାଉଥିବା ଗୋଟିଏ ବସ୍ ଶନିବାର ଭୋର୍ ସମୟରେ ଛତିଶଗଡ଼ର ରାଜଧାନୀ ରାୟପୁରଠାରୁ ଅଳ୍ପ ଦୂରରେ ଏକ ମର୍ମନ୍ତୁଦ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବିପରୀତ ଦିଗରୁ ଆସୁଥିବା ଗୋଟିଏ ଟ୍ରକ୍ ସହ ବସ୍‌ଟିର ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ହିଁ ୬ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଡାକ୍ତରଖାନାରେ ଅନ୍ୟ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତମାନଙ୍କୁ ମେକାହାର ହସପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ପ୍ରାୟ ୧୦ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ସୂଚନା ମିଳିଛି। ଏହି ଦୁଃଖଦ ଘଟଣାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିବା ସହିତ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

ଲକ୍‌ଡାଉନ୍ ଯୋଗୁଁ ଗୁଜରାଟରୁ ବହୁ ସଂଖ୍ୟାରେ ପ୍ରବାସୀ ନିଜ ନିଜ ଭିଟାମାଟିକୁ ଫେରିଥିଲେ। କିନ୍ତୁ ପ୍ରାୟ ୪ ମାସ କାଳ ରହିବା ପରେ ପୁଣି ସେମାନେ ଜୀବିକା ସନ୍ଧାନରେ କର୍ମଭୂମି ସୁରତ ଫେରିବା ଆରମ୍ଭ କରିଛନ୍ତି। ଏଭଳି ସ୍ଥିତିରେ ମିଳିଥିବା ସୂଚନା ଅନୁଯାୟୀ, ଶିବାଂଶ ନାମକ ଏକ ଘରୋଇ ବସ୍ (ଏନ୍‌ଏଲ୍‌ ୦୩ବି ୦୯୮୭) ଗୁରୁବାର ଆସିକାରେ ପହଞ୍ଚିଥିଲା। ଗତକାଲି ଅର୍ଥାତ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ପ୍ରାୟ ୬୭ଜଣ ଯାତ୍ରୀଙ୍କୁ ନେଇ ବସ୍‌ଟି ଆସିକାରୁ ସୁରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ବସ୍‌ରେ ଆସିକା, ବେଲଗୁଣ୍ଠା, ଭଞ୍ଜନଗର, ହିଞ୍ଜିଳି ଓ ଛତ୍ରପୁର ଆଦି ଅଞ୍ଚଳର ଶ୍ରମିକ ରହିଥିଲେ। ଛତିଶଗଡ଼ ରାଜ୍ୟ ରାୟପୁର ନିକଟସ୍ଥ ଚେରିଖେଡ଼ି ନିକଟରେ ବସ୍‌ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଆଜି ଭୋର୍‌ ପ୍ରାୟ ୩ଟା ବେଳେ ରାୟପୁର ପୂର୍ବରୁ ତେଲିବାନ୍ଧା ଥାନା ଅନ୍ତର୍ଗତ ଛେଡ଼ଖାରି ନିକଟରେ ଟ୍ରକ୍‌ଟି ଭୁଲ ପାର୍ଶ୍ବ‌ରେ ଆସି ବସ୍‌କୁ ଧକ୍କା ଦେଇଥିଲା। ଉଭୟ ଗାଡ଼ିର ବେଗ ଅଧିକ ଥିବାରୁ ବସ୍‌ର ଗୋଟିଏ ପାର୍ଶ୍ବ ଚୂରମାର୍‌ ହୋଇଯାଇଥିଲା ଏବଂ ବସ୍‌ର ସମ୍ମୁଖ ଭାଗରେ ବସିଥିବା ୮ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ‌ଯେ ବସ୍‌ର ଗୋଟିଏ ପାଖ ଚେପା ହୋଇ ମୃତ ଶ୍ରମିକଙ୍କ ଶବ ବାହାରକୁ ଝୁଲି ରହିଥିଲା।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନେ ହେଲେ ବେଲଗୁଣ୍ଠା ବ୍ଲକ୍‌ ବୋରି ଗାଁର ନାରାୟଣ ଗୁରୁ (୩୨), ବାଘୁଆପଲ୍ଲୀ ଗାଁର ସୁଶାନ୍ତ ସ୍ବାଇଁ (୩୬), ଛତ୍ରପୁର ବ୍ଲକ୍‌ ସୁନ୍ଦରପୁର ଗାଁର ମୀର ମହାଙ୍କୁଡ଼ (୧୭), ଆସିକା ବ୍ଲକ୍‌ ନୂଆଗାଁର ଯୁଧିଷ୍ଠିର ନାୟକ (୨୬), ଘାଟକୁରୀ ଗାଁର ବିଶ୍ବନାଥ ଗୌଡ଼ (୫୫), ହିଞ୍ଜିଳିକାଟୁ ବ୍ଲକ୍‌ ବାଦିଆମ୍ବ ଗାଁର କୈଳାସ ଜେନା (୩୬), ବିଭୂତିଆ ଗାଁର ତପନ ନାଇକ (୨୦), ସୋରଡ଼ା ବ୍ଲକ୍‌ର ଡାଲୁ ଡାକୁଆ (୪୫)।

ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଡ୍ରାଇଭର ଗାଡ଼ିକୁ ଗୋଟିଏ ଧାନ ମିଲ୍ ସମ୍ମୁଖରେ ରଖି ଫେରାର ହୋଇଯାଇଥିଲା। ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌କୁ ଜବତ କରିଥିଲା। ରାୟପୁର ଏସ୍‌ଏସ୍‌ପି ଅଜୟ ୟାଦବ ସହକର୍ମୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଟ୍ରକ୍ ଡ୍ରାଇଭର ଏବଂ ଗାଡ଼ି ମାଲିକଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର