ତପ୍ତପାଣି ଘାଟିରେ ଓଲଟିଲା ବସ୍‌ : ମା, ଝିଅ ସମେତ ୮ ମୃତ, ୩୯ ଆହତ

ଉଦ୍ଧାର କାର୍ଯ୍ୟରେ ୫ ଦମକଳ ବାହିନୀ, ୩ ଆମ୍ବୁଲାନ୍ସ
ମାସକ ମଧ୍ୟରେ ଘଟିଲାଣି ୫ ଦୁର୍ଘଟଣା
୨ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର/ପାଟପୁର : ମଙ୍ଗଳବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟିରେ ପୁଣି ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

ଜାତୀୟ ରାଜପଥ-୩୨୬ ତପ୍ତପାଣିଠାରୁ ମାତ୍ର ୧କିଲୋମିଟର ଦୂର ପାଲୁଖଳାରେ ରାୟଗଡ଼ାରୁ ବ୍ରହ୍ମପୁର ଆସୁଥିବା ମାରୁତି ବସ୍‌ (ଓଆର୍‌୦୫ ଏବି ୩୫୩୦) ବ୍ରିଜ୍‌ ତଳକୁ ଖସି ପଡ଼ିବା ଫଳରେ ମା, ଝିଅଙ୍କ ସମେତ ମୋଟ ୮ଜଣଙ୍କ ମୃତ୍ୟୁ ଘଟିଛି। ପ୍ରାୟ ୩୯ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଏହି ଛାତିଥରା ଦୁର୍ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରି ଦେଇଥିବାବେଳେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଘନ କୁହୁଡ଼ି ସାଙ୍ଗକୁ ଗାଡ଼ିର ବ୍ରେକ୍‌ ଫେଲ୍‌ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ନେଇ ଯାତ୍ରୀମାନେ କହିଛନ୍ତି।

ମୃତକମାନେ ହେଲେ ରାୟଗଡ଼ାର ଅଶୋକ ମହାପାତ୍ରଙ୍କ ପତ୍ନୀ ସଂଘମିତ୍ରା ମହାପାତ୍ର (୪୩) ଓ ତାଙ୍କ ଝିଅ ଅନ୍ବେଷା ମହାପାତ୍ର (୧୨), କବିସୂର୍ଯ୍ୟନଗର ଥାନା ବାଲିଆସରା ଗ୍ରାମର ବାମଦେବ ନାୟକଙ୍କ ଝିଅ କରିସ୍ମା ନାୟକ (୨୫), ବ୍ରହ୍ମପୁର ପାଣ୍ଡବ ନଗରର ପ୍ରଫୁଲ୍ଲ ନାୟକଙ୍କ ପୁଅ ତଥା ଡ୍ରାଇଭର୍‌ ସୁନୀଲ ନାୟକ (୨୬), ଚମାଖଣ୍ଡି ଥାନା ପୁଟବଗଡ଼ର ଝୁନୁ ବେହେରା(୪୨), ରାୟଗଡ଼ାର ଜେକେପୁରର ବିଦ୍ୟୁତ ନାୟକ(୪୨), ପୁରୁଷୋତ୍ତମପୁର ଖୋସଳାପଲ୍ଲୀ ରମେଶ ବେହେରା(୫୨), ଦିଗପହଣ୍ଡି ଥାନା କରପଡ଼ାର ଉମେଶ ମହାରଣାଙ୍କ ପତ୍ନୀ ସୁବାସିନୀ ମହାରଣା(୩୪)। ଗୁରୁତର ତୁଷାରକାନ୍ତ ମହାନ୍ତିଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଦମକଳବାହିନୀ, ପୁଲିସ ଓ ପ୍ରାଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବାବେଳେ ୬ ଘଣ୍ଟା କାଳ ଅକ୍ଳାନ୍ତ ପରିଶ୍ରମ କରି ସମସ୍ତଙ୍କୁ ଉଦ୍ଧାର କରି ଦିଗପହଣ୍ଡି, ବ୍ରହ୍ମପୁର ପଠାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ରାୟଗଡ଼ାରୁ ଗତକାଲି ରାତି ପ୍ରାୟ ୯ଟା ବେଳେ ବସ୍‌ଟି ବ୍ରହ୍ମପୁର ଅଭି‌ମୁଖେ ବାହାରିଥିଲା। ବସ୍‌ରେ ପ୍ରାୟ ୪୫ଜଣ ଯାତ୍ରୀ ଥିଲେ। ସେଥି ମଧ୍ୟରୁ ଗୋଟିଏ ପରିବାରର ୧୩ଜଣ ସଦସ୍ୟ ଥିଲେ। ଗତରାତି ପ୍ରାୟ ୧୨ଟା ବେଳେ ଲୁହାଗୁଡ଼ି ଢ଼ାବାରେ ବସ୍‌ ରହିଥିଲା। କିଛି ଯାତ୍ରୀ ସେଠାରେ ଓହ୍ଲାଇ ସେଠାରେ ଖିଆପିଆ କରିଥିଲେ। ଏହି ସମୟରେ ବସ୍‌ର ବ୍ରେକ୍‌ରେ କିଛି ସମସ୍ୟା ଥିବା ନେଇ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ କଥାବାର୍ତ୍ତା କରିବା ସହ ଏହାର ମରାମତି କରିଥିଲେ। ସେଠାରୁ ପୁଣିଥରେ ବସ୍‌ ଛାଡ଼ିଥିଲା। ଭୋର୍ ସାଢ଼େ ୩ଟା ବେଳେ ବସ୍‌ ତଣ୍ଡପାଣି ଘାଟି ଅତିକ୍ରମ କରୁଥିଲା। ଘନ କୁହୁଡ଼ି ଯୋଗୁଁ ରାସ୍ତା ଆଦୌ ଦେଖା ଯାଉ ନଥିବା ବେଳେ ବସ୍‌ଟି ଘାଟି ତଳକୁ ଓହ୍ଲାଉଥିଲା। ହେଲେ କୁହୁଡ଼ି ଯୋଗୁଁ ଡ୍ରାଇଭର୍ ସୁନୀଲ ବସ୍‌ର ବେଗକୁ ନିୟନ୍ତ୍ରଣ କରିପାରି ନଥିଲେ। ଏପରିକି ବ୍ରେକ୍‌ ଫେଲ୍‌ ହୋଇଯାଇଥିବା ନେଇ ସୁନୀଲ ଚିତ୍କାର କରିଥିଲେ। ନିମିଷକ ମଧ୍ୟରେ ବସ୍‌ଟି ବାମପଟ ବ୍ରିଜ୍‌ ତଳକୁ ଖସି ପଡ଼ିଥିଲା। ବସ୍‌ ଓଲଟି ଚକ ଉପର ହୋଇ ପଡ଼ି ରହିଥିଲା। ଯାତ୍ରୀମାନେ ଭିତରେ ଚାପି ହୋଇ ଚିତ୍କାର କରୁଥିଲେ। ବଡ଼ କଷ୍ଟରେ ସାମାନ୍ୟ ଆହତ ହୋଇଥିବା ଜଣେ ଦୁଇଜଣ ଯାତ୍ରୀ ବସ୍‌ରୁ ବାହାରିଥିଲେ। ଦୁର୍ଘଟଣା ସମ୍ପର୍କରେ କୌଣସି ସୂତ୍ରରୁ ପାଟପୁର ଥାନା ଓ ଦମକଳ ବାହିନୀ ଖବର ପାଇବା ପରେ ପ୍ରଥମେ ପାଟପୁର ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଦିଗପହଣ୍ଡି, ଶେରଗଡ଼, ମୋହନା ଓ ବ୍ରହ୍ମପୁରର ଗୋଟିଏ ପରେ ଗୋଟିଏ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ତେବେ ଅନ୍ଧାର ଓ ଘନ କୁହୁଡ଼ି ଯୋଗୁଁ ଉଦ୍ଧାର କାର୍ଯ୍ୟ ମନ୍ଥର ହୋଇଥିଲା। ଆହତମାନଙ୍କୁ ୩ଟି ଆମ୍ବୁଲାନ୍ସ ସହାୟତାରେ ଦିଗପହଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମୃତକଙ୍କୁ ଦମକଳବାହିନୀର ଗାଡ଼ିରେ ଦିଗପହଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ଦିଗପହଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରରେ ମୋଟ ୪ ଡାକ୍ତରଙ୍କ ମଧ୍ୟରୁ କେବଳ ଜଣେ ମାତ୍ର ମହିଳା ଡାକ୍ତର ଉପସ୍ଥିତ ଥିଲେ। ଫଳରେ ଏତେ ସଂଖ୍ୟାରେ ଆହତଙ୍କୁ ଚିକିତ୍ସା ସେବା ଯୋଗାଇବାରେ ଅସୁବିଧା ହୋଇଥିଲା। ଏହାକୁ ନେଇ ସେଠାରେ କିଛି ସମୟ ଧରି ଚାପା ଉତ୍ତେଜନା ଦେଖାଦେଇଥିଲା। ଜଣେ ମାତ୍ର ଡାକ୍ତର ଚିକିତ୍ସା ସେବା ଯୋଗାଇବାରେ ବିଳମ୍ବ ହେବାରୁ ଆହତମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ଅନ୍ୟପକ୍ଷରେ ମୃତକଙ୍କ ପଞ୍ଚନାମା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଏଫ୍‌ଏମ୍‌ଟି ବିଭାଗକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଭୋର୍‌ ୪ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ପ୍ରାୟ ୬ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ତଥାପି କିଛି ଯାତ୍ରୀ ବସ୍‌ ଭିତରେ ଚାପି ହୋଇ ରହି ଯାଇଥିଲେ। ପ୍ରଥମେ ଗୁରୁତରଙ୍କୁ ଉଦ୍ଧାର କରାଯାଇଥିଲା। ଏହାପରେ ଗ୍ୟାସ୍‌ କଟର୍‌ ଅଣାଯାଇ ଲୁହା କାଟି ବସ୍‌ ଭିତରୁ ମୃତକଙ୍କୁ ଉଦ୍ଧାର କରାଯାଇଥିଲା। ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗଞ୍ଜାମ ଏସ୍‌.ପି. ବ୍ରିଜେଶ ରୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।

ଗତ ୧ମାସ ମଧ୍ୟରେ ଏହି ଘାଟିରେ ୫ଟି ଦୁର୍ଘଟଣା ଘଟିଲାଣି। ଜିଲ୍ଲାପାଳ କହିଛନ୍ତି, ଘନ କୁହୁଡ଼ି ଯୋଗୁଁ ରାସ୍ତା ଦେଖା ନଯିବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ ହେଉଛି। ଦମକଳବାହିନୀ ଓ ପ୍ରଶାସନ ମିଳିତ ଭାବେ ଯାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବଡ଼ ଡାକ୍ତରଖାନା ପଠାଇଛନ୍ତି। ତେବେ ଏହି ଘାଟିରେ ବାରମ୍ବାର କାହିଁକି ଦୁର୍ଘଟଣା ଘଟୁଛି ଏହାର ତଦନ୍ତ ହେବ। ଜାତୀୟ ରାଜପଥ, ପୂର୍ତ୍ତ, ପରିବହନ ବିଭାଗ ଓ ପ୍ରଶାସନର ଟିମ୍‌ ମିଳିତ ଭାବେ ଅନୁଧ୍ୟାନ କରିବେ। ସ୍ଥାୟୀ ଭାବେ ଏହି ଘାଟିରେ ଆମ୍ବୁଲାନ୍ସ ଓ କ୍ରେନ୍‌ ରଖିବା ପାଇଁ ଯୋଜନା କରାଯାଉଛି।

ଏସ୍‌.ପି. ଶ୍ରୀ ରୟ କହିଛନ୍ତି ଯେ ପୁଲିସ ଓ ଦମକଳବାହିନୀ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି। ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ କରାଯିବ। ରିପୋର୍ଟକୁ ଜିଲ୍ଲା ସଡ଼କ ସୁରକ୍ଷା କମିଟିରେ ଉପସ୍ଥାପନ କରାଯାଇ କାରଣ ସମ୍ପର୍କରେ ତର୍ଜମା କରାଯିବ। କୁହୁଡ଼ି ଯୋଗୁଁ ରାସ୍ତା ଦେଖା ନଯିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ପାଟପୁର ଥାନାରେ କେସ୍ ନମ୍ବର ୧୫/୨୦ ଦଫା ୨୪୯/୩୩୭/୩୩୮/୩୦୪(କ) ମାମଲା ରୁଜୁ ହୋଇଛି।

ଅନ୍ୟପକ୍ଷରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଶବ ବ୍ୟବ‌ଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ତେବ‌େ ଡାକ୍ତରଖାନା ପରିସରରେ ଆଜି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଆତ୍ମୀୟ ଓ ସଂପର୍କୀୟଙ୍କ କାନ୍ଦବୋବାଳିରେ ପରିସର ଫାଟି ପଡ଼ୁଥିଲା। ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଏଏସ୍‌ପି ପ୍ରଶାନ୍ତ କୁମାର ମିଶ୍ର, ଟାଉନ୍‌ ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି ପ୍ରମୁଖ ଉପସ୍ଥିତ ରହି ‌ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଥିଲେ। ଘଟଣାସ୍ଥଳରେ ୩ଟି ଜେସିବି ମେସିନ୍‌ ପହଞ୍ଚି ଅପରାହ୍‌ଣ ପ୍ରାୟ ୩ଟା ବେଳେ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ବ୍ରିଜ୍‌ ତଳୁ ବାହାର କରିଥିଲା। ସେଠାରେ ଯାତ୍ରୀଙ୍କ ମୂଲ୍ୟବାନ୍ ସାମଗ୍ରୀ ପଡ଼ିରହିଥିଲା। ପୁଲିସ ସଂଗ୍ରହ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି।

ସମ୍ବନ୍ଧିତ ଖବର

Comments are closed.