ଦୁର୍ଘଟଣା ନେଲା ୮ଜୀବନ

ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ ନହଟାଇବାର ଫଳ ଭୋଗିଲେ ୩ ଯୁବକ
ସୁନ୍ଦରଗଡ଼/ସବଡେଗା : ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ରାସ୍ତାରୁ ନ ହଟାଇବାର ଫଳ ଭୋଗିଛନ୍ତି ୩ ଜଣ ନିରୀହ ଯୁବକ। ସେଥିରେ ଧକ୍କାହୋଇ ବାଇକ୍‌ରେ ଆସୁଥିବା ଏହି ୩ ଯୁବକଙ୍କର ଅକାଳ ମୃତ୍ୟୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ପୁଲିସର ଏଭଳି ଦାୟିତ୍ବହୀନ କାର୍ଯ୍ୟକୁ ସାଧାରଣରେ ତୀବ୍ର ସମାଲୋଚନା କରାଯାଇଛି।

ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଅନ୍ତର୍ଗତ ସବଡେଗା ରାଜ୍ୟ ରାଜପଥ-୩୧ ଉପରେ କୁଲିହାଯୋର ନିକଟରେ। ଗୁରୁବାର ବିଳମ୍ବିତ ରାତିରେ ୩ ଯୁବକ ବାଲିଶଙ୍କରାରୁ ଏକ ବାଇକ୍‌ (ସିଜି-୧୩ ଏଏ- ୭୬୭୩)ରେ ଘରକୁ ଫେରୁଥିବାବେଳେ ଅନ୍ଧାରରେ ଜାଣି ନପାରି ରାସ୍ତା ଉପରେ ଠିଆ ହୋଇଥିବା ଦୁଇଟି ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ ଭିତରୁ ଗୋଟିକୁ ପଛପଟୁ ଜୋର୍‌ରେ ଧକ୍କା ଦେଇଥିଲେ। ବାଇକ୍‌ ଚାଳକ ହେଲ୍‌ମେଟ୍‌ ପିନ୍ଧିଥିଲେ ବି ଟ୍ରକ୍‌ରେ ପିଟିହୋଇ ତାହା ଛିଟକି ପଡ଼ିଥିଲା। ଆଉ ଘଟଣାସ୍ଥଳରେ ହିଁ ୩ ଯୁବକଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ବ୍ୟବଚ୍ଛେଦ ପରେ ୩ ଯୁବକଙ୍କ ମୃତଦେହକୁ ନିଜ ନିଜ ଗାଁରେ ଶୋକାକୁଳ ପରିବେଶରେ ଦାହ ସଂସ୍କାର କରାଯାଇଛି। ମୃତକମାନେ ହେଲେ ସବ‌ଡେଗାର ଲିଙ୍ଗରାଜ ଭୋଇ (୨୦), କୁରେଇ ଜାମଦରହର ଲୋକନାଥ ପ୍ରଧାନ (୨୧) ଓ ଟାଙ୍ଗରବାହାଲର କୃଷ୍ଣଚନ୍ଦ୍ର ମାଝୀ (୩୫)। ପୁଲିସ ଯୁବକମାନଙ୍କ ମୃତ ଶରୀରକୁ ଉଦ୍ଧାର ପରେ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି ଏବଂ ଘଟଣାର ତଦନ୍ତ କରୁଛି।

ବଞ୍ଚାଇବା ପାଇଁ ଅଟକିଲେ, ନିଜେ ଚାଲିଗଲେ
କବାଟବନ୍ଧ : ଚଣ୍ତିଖୋଲ–ଡୁବୁରି ୫୩ ନମ୍ବର ଜାତୀୟ ରାଜପଥର ଜେନାପୁର ଥାନା ଅନ୍ତର୍ଗତ ବାଘୁଆଛକରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଦୁଇ ଜଣ ଯୁବକଙ୍କ ଜୀବନ ଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଶହ ଶହ ଉତ୍ତ୍ୟକ୍ତ ଲୋକେ ରୁଣ୍ଡ ହୋଇ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଆଜି ଅପରାହ୍‌ଣ ୩ଟା ବେଳେ ସୁକିନ୍ଦାର ବନମାଳୀ ଦ୍ବିବେଦୀଙ୍କ ପୁଅ ଚନ୍ଦ୍ରଶେଖର (୪୨) ବାଇକ୍‌ ଯୋଗେ ଚଣ୍ତିଖୋଲରୁ ଡୁବୁରି ଅଭିମୁଖେ ଯାଉଥିବା ବେଳେ ବାଘୁଆଛକ ନିକଟରେ ସାମ୍‌ନାରୁ ଆସୁଥିବା ଏକ ୧୦ ଚକିଆ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ସେହି ସମୟରେ ଜେନାପୁର ଥାନା କବାଟବନ୍ଧ ଗ୍ରାମର କାଙ୍ଗାଳି ବେହେରାଙ୍କ ପୁଅ ଅଜୟ ଓରଫ ଟିକିନା (୪୫) ନିଜ ବାଇକ୍‌ ଯୋଗେ ଚଣ୍ତିଖୋଲ ଆଡେ ଯାଉଥିଲେ। ଦୁର୍ଘଟଣା ଦେଖି ବାଇକରୁ ଓହ୍ଲାଇ ଆମ୍ବୁଲାନ୍ସକୁ ଫୋନ କରୁଥିବାବେଳେ ଚଣ୍ତିଖୋଲପଟୁ ଡୁବୁରି ଯାଉଥିବା ଏକ ସିମେଣ୍ଟ ବୋଝେଇ ୧୦ ଚକିଆ ଟ୍ରକ ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଟିକିନାଙ୍କର ମୃତ୍ୟୁ ଘଟିଥିଲା। ଚନ୍ଦ୍ରଶେଖରଙ୍କର ସମ୍ପର୍କୀୟ ଲୋକେ ପହଞ୍ଚି ତାଙ୍କୁ କଳିଙ୍ଗନଗର ସ୍ଥିତ ଟାଟା ମେଡିକାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଜଣା ଗାଡ଼ି ଧକ୍କାରେ ୨ ମୃତ
କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା- ଖଡ଼ିଆଳ ୫୯ ନମ୍ବର ଜାତୀୟ ରାଜପଥର ବୋରବାହାଲ ଗାଁ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ବୋରବାହାଲ ଗାଁର ବିଜୟ ପୁଟେଲ(୧୮) ଓ ଜିତେନ୍ଦ୍ର ପୁଟେଲ (୨୫)। ପ୍ରକାଶ ଯେ, ବିଜୟ ଓ ଜିତେନ୍ଦ୍ର ଦୁଇ ସାଙ୍ଗ ସବୁଦିନ ପରି ଶୁକ୍ରବାର ମଧ୍ୟ ସନ୍ଧ୍ୟାରେ ଚାଲିବାକୁ ଯାଇଥିଲେ। ସନ୍ଧ୍ୟା ୭ଟା ସମୟରେ ପଛପଟୁ ଏକ କାର୍‌ ଆସି ଉଭୟଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭତ୍ତି କରାଯାଇଥିଲା। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ହାଇୱାକୁ ଧକ୍କା ଦେଲା ଟ୍ରାଭଲର୍, ଜଣେ ମୃତ, ୫ ଗୁରୁତର
ଛତ୍ରପୁର : ଗଞ୍ଜାମ ଜିଲ୍ଲା ଚମାଖଣ୍ତି ଥାନା ମାଣ୍ତିଆପଲ୍ଲୀ ଛକ ପଞ୍ଜାବୀ ଢାବା ନିକଟରେ ଆଜି ଭୋର୍‌ରେ ରାସ୍ତା କଡ଼ରେ ପାର୍କିଂ ହୋଇଥିବା ହାଇୱାକୁ ଧକ୍କା ଦେଇ ଏକ ଟ୍ରାଭଲର୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମାଲକାନଗିରିର ଟ୍ରେଜେରି କର୍ମଚାରୀ ଓ ପୁଲିସଙ୍କୁ ମିଶାଇ ୫ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ, ଟ୍ରାଭଲେର୍ ଗାଡ଼ିର ମାଲିକଙ୍କ ଭଣଜା ତଥା ମାଲକାନଗିରିର ସୌରଭ ବେପାରୀ।

ସମ୍ବନ୍ଧିତ ଖବର