ଦୁର୍ଘଟଣାରେ ୮ମୃତ : ଭ୍ୟାନ୍‌ ଓଲଟି ୩୦ ଆହତ, କନ୍ୟା ଡାକରା ହେଲା ଶେଷ ଯାତ୍ରା, ସାଲେପୁରରେ ଶଳା-ଭିଣୋଇ ମୃତ

ରାୟଗଡ଼ା/ସାଲେପୁର/ବାହାନଗା/ବ୍ରହ୍ମପୁର : ଆଜିର ରବିବାର କେତେ ଜଣଙ୍କ ପାଇଁ ଅଶୁଭ ପାଲଟିଛି। ରାଜ୍ୟର ୪ଟି ସ୍ଥାନରେ ଦୁର୍ଘଟଣା ଘଟି ୮ ଜଣଙ୍କର ମୃତ୍ୟୁ ହୋଇଛି। ରାୟଗଡ଼ାଠାରେ ଘଟିଥିବା ଦୁର୍ଘଟଣାରେ କନ୍ୟା ଡାକରା ପାଇଁ ଯାଉଥିବା ବରପକ୍ଷର ଏକ ଗାଡ଼ି ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। କଟକ ସାଲେପୁର ଦୁର୍ଘଟଣାରେ ଶଳା-ଭିଣୋଇଙ୍କର ମୃତ୍ୟୁ ହୋଇଛନ୍ତି। ଅନ୍ୟ ୨ଟି ଦୁର୍ଘଟଣା ବ୍ରହ୍ମପୁର ଓ ବାଲେଶ୍ବର ଓ ମୟୂରଭଞ୍ଜଠାରେ ଘଟିଛି।

ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ବ୍ଲକର ଧାରାପୁର ଗ୍ରାମକୁ କନ୍ୟା ଡାକରା ପାଇଁ ଗୁଡାରି ବ୍ଲକ ବୁଡାଗୁଡା ଗ୍ରାମରୁ ୩୦ରୁ ଊର୍ଧ୍ବ ଜଣ ଆଜି ସକାଳେ ଏକ ଭ୍ୟାନ୍(ଓଡି ୧୮ ୬୯୭୪) ଯୋଗେ ବାହାରିଥିଲେ। କିନ୍ତୁ ସକାଳ ପ୍ରାୟ ୧୦ଟାରେ ଗୁଡାରି ବଲକର କିନିଡି ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଭ୍ୟାନ୍‌ଟି ରାସ୍ତା ପାର୍ଶ୍ବକୁ ଓଲଟି ପଡିଥିଲା। ଏଥି‌ଯୋଗୁଁ ଘଟଣାସ୍ଥଳରେ ହିଁ ବୁଡାଗୁଡା ଗ୍ରାମର ଜାନକୀ ଶବରଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟମାନେ ଆହତ ହୋଇଥିଲେ। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ନାଇରା ଗ୍ରାମର ନୀଳ କୈବର୍ତଙ୍କ ମୃତ୍ୟୁ ଘଟିଛି। ଆସନ୍ତାକାଲି ଧୁମ୍‌ଧାମରେ ବାହାଘର ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏହି ଖବର ପାଇବା ପରେ ବୁଡାଗୁଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ଥାନା ଅଧୀନ ଭାତପଡ଼ା ଛକ ନିକଟରେ ଆଜି ପୂର୍ବାହ୍ଣରେ ଏକ ବାଇକ୍ ଉପରେ ପିକ୍ଅପ୍ ଭ୍ୟାନ୍ ଚଢ଼ିଯିବାରୁ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତ ବ୍ୟକ୍ତି ହେଲେ ମାହାଙ୍ଗା ଥାନା ଅଧୀନ ପୋଡ଼ାମରାଇ ଗ୍ରାମର ନୃସିଂହ ଚରଣ ରାଉତ(୫୨) ଓ ବରାହିପୁର ଗ୍ରାମର ମହେନ୍ଦ୍ର କୁମାର ରାଉତ (୪୮)। ଉଭୟ ସଂପର୍କରେ ଶଳା-ଭିଣୋଇ ବୋଲି ଜଣାଯାଇଛି।

ସେହିଭଳି, ଆଜି ସକାଳେ ଭଦ୍ରକ ଜିଲ୍ଲା ଗ୍ରାମାଂଚଳ ଥାନା ଅଧୀନ ସାବରଙ୍ଗ ଗ୍ରାମର ମୁକ୍ତିକାନ୍ତ ସାମନ୍ତଙ୍କ ପୁଅ ସୌମ୍ୟରଂଜନ (୩୦) ଓଡି-୨୨-ଜେ-୯୨୨୨ ନମ୍ବରର ଏକ ବୁଲେଟ୍‌ରେ ବାଲେଶ୍ୱରରୁ ଭଦ୍ରକ ଯାଉଥିଲେ। ଏହି ସମୟରେ ଖନ୍ତାପଡ଼ା ଥାନା ଅଧୀନ ଶେରଗଡ଼ ଫାଣ୍ଡି ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥରେ ସୌମ୍ୟରଂଜନ ଆଗରେ ଯାଉଥିବା ଏନ୍‌ଏଲ୍‌-୦୧-କ୍ୟୁ-୯୦୦୭ ନମ୍ବରର ଏକ ଟ୍ରେଲର ପଛରେ ଧକ୍କା ଦେଇଥିଲେ। ଫ‌ଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମୟୂରଭଂଜର ବାଙ୍ଗିରିପୋଷି ବ୍ଲକ୍‌ ଅଧୀନ ମଣଦା ଗ୍ରାମର ହରି ସିଂ (୫୬)ଙ୍କର ଦୁର୍ଘଟଣା ଯୋଗୁ ମୃତ୍ୟୁ ହୋଇଯାଇଛି।

ଅନ୍ୟପକ୍ଷରେ, ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବରପଲ୍ଲୀ ଗ୍ରାମ ଡାଲଖାଇ ମନ୍ଦିର ନିକଟରେ ଆଜି ସନ୍ଧ୍ୟାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ମାନେ ହେଲେ ସଦରଥାନା ଶିକୁଳିପଲ୍ଲି ଗ୍ରାମର ଏସ୍.ସୁନୀଲ (୩୮) ଓ ହିଞ୍ଜିଳିକାଟୁ ଥାନା ମକରଝୋଳ ଗ୍ରାମର ଜି.ମୋହନ (୪୦)। ଗୁରୁତର ଆଶିଷଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର