ଦୁର୍ଘଟଣାରେ ୮ ମୃତ : ପଶ୍ଚିମବଙ୍ଗରୁ ଫେରୁଥିବାବେଳେ ୪ ମୃତ, ୭ ଗୁରୁତର

ଭବାନୀପାଟଣାରେ ଟ୍ରାକ୍ଟର ଓଲଟି ୪ ଶ୍ରମିକ ମୃତ, ୧୧ ଆହତ

ବାଲେଶ୍ବର/ଭବାନୀପାଟଣା : ‘କରୋନା’ ପାଇଁ ସାରା ରାଜ୍ୟରେ ଆତଙ୍କ ଖେଳିଯାଇଛି। ଏହିଭଳି ଅବସ୍ଥାରେ ୨ଟି ସ୍ଥାନରେ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଥିରେ ୮ ଜଣ ପ୍ରାଣ ହରାଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କରୋନା ପାଇଁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ବାଲେଶ୍ବରର ୪ ଜଣ ପ୍ର‌ାଣ ହରାଇଛନ୍ତି। ୭ ଜଣ ଗୁରୁତର ଆହତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କାଦୋପଦର ଛକ ନିକଟରେ ଅନ୍ୟ ଏକ ଦୁର୍ଘଟଣାରେ ୪ ଜଣ ଶ୍ରମିକ ପ୍ରାଣ ହରାଇଥିବାବେଳେ ୧୧ ଜଣ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲାର କେତେଜଣ କୋଲକାତାରେ ରହି ରୋଷେଇ ଓ ପୂଜାପାଠ କରୁଥିଲେ। କରୋନା କଟକଣା ପାଇଁ ଦୋକାନ ବଜାର ବନ୍ଦ ହେବା ପରେ ସେଠାରୁ ଏକ ମହିନ୍ଦ୍ରା ଜାଇଲୋ ଗାଡି ଭଡ଼ା କରି ଆଜି ଘରକୁ ଫେରୁଥିଲେ। ଜଳେଶ୍ବରଠାରୁ ମାତ୍ର ୨୦ କିଲୋମିଟର ପୂର୍ବରୁ ନେକୁରସୁନି ନିକଟ ବିବେକାନନ୍ଦ ହାଇସ୍କୁଲ ସାମ୍‌ନାରେ ଏକ ଗାଈକୁ ବଞ୍ଚାଇବାକୁ ଯାଇ ଏକ ଟ୍ରକ୍‌କୁ ପଛରୁ ପିଟିଥିଲା ସେମାନଙ୍କ ଗାଡ଼ି। ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ହୋଇ ଯାଇଥିଲା। ମୃତକମାନେ ହେଲେ, ଖଇରା ଥାନା ତରାଙ୍ଗ ଗାଁର ଜିତେନ୍ଦ୍ର ପଣ୍ଡା, ସିମୁଳିଆ ଥାନା ଆନନ୍ଦପୁର ଗାଁର ସୁନୀଲ ପାଢ଼ୀ, ସୋର ଥାନା ତଳନଗର ଗାଁର ରମେଶ ବେହେରା ଓ ଜାଇଲୋ ଗାଡିର ଚାଳକ କୁହାଯାଉଥିବା କୋଲକାତା ଅଞ୍ଚଳର ଜଣେ ଯୁବକ। ଦୁର୍ଘଟଣାରେ ଖଇରା ଥାନା ମିରିପୁର ଗାଁର ଉମାକାନ୍ତ ଦାଶ, ଅମର ଦାଶ, ଖଇରା ଥାନା ତରାଙ୍ଗ ଅନନ୍ତପୁର ଶାସନର ସୁରେନ୍ଦ୍ର ମିଶ୍ର, ମୋହନ ମିଶ୍ର, ଦାମୋଦର ମିଶ୍ର, ଚୈତନ୍ୟ ମିଶ୍ର, ଖଇରା ଥାନା ବାଲିପଦା ଶାସନ ଗାଁର ମଦନମୋହନ ମିଶ୍ର ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ପଶ୍ଚିମବଙ୍ଗର ଦାନ୍ତୁନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସେହିଭଳି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କାଦୋପଦର ଛକ ନିକଟରେ ସୋମବାର ରାତିରେ ଏକ ଟ୍ରାକ୍ଟର ଓଲଟି ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ୧୧ ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ଲାବଣ୍ୟସର ଗ୍ରାମର ଦ୍ରୌପଦୀ ମାଝୀ (୧୭), ତିରମେ ମାଝୀ (୩୩), ସାଇବନୀ ମାଝୀ (୪୫) ଓ ମାନସ ମାଝୀ (୨୮)। ଆହତମାନଙ୍କ ମଧ୍ୟରୁ ଅହଲ୍ୟା ମାଝୀ (୫୦), ସପୁରୀ ମାଝୀ (୪୦), ଲକ୍ଷ୍ମୀ ମାଝୀ (୩୦), ପାନି ମାଝୀ (୬୦) ଓ ଲାତାନ ମାଝୀ (୩୮)ଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର