କରୋନା ପାଇଁ ଆସିବେନି ଏମ୍‌ସିଆଇ ଟିମ୍‌, ଭିଡିଓ କନ୍‌ଫରେନ୍ସିଂରେ ନେବେ ତଥ୍ୟ

ଏସ୍‌ସିବିର ୮ଟି ବିଭାଗରେ ଚାଲିଛି ପ୍ରସ୍ତୁତି

କଟକ: କରୋନା ପାଇଁ ଏମ୍‌ସିଆଇ ଟିମ୍‌ କଟକ ବଡ଼ଡାକ୍ତରଖାନା (ଏସ୍‌ସିବି)କୁ ପରିଦର୍ଶନରେ ଆସିବେନି। କିନ୍ତୁ, ଭିଡିଓ କନ୍‌ଫେରେନ୍ସିଂ ଜରିଆରେ ବିଭାଗର ତଥ୍ୟ ନେବେ। ଭିତ୍ତିଭୂମିଠାରୁ ଆରମ୍ଭ କରି ପରୀକ୍ଷା ପରିଚାଳନା ସହ ଯାହା କିଛି ତଥ୍ୟ ଟିମ୍‌ ଚାହିଁବେ, ସେ ସବୁକୁ ଭିଡିଓ କନ୍‌ଫରେନ୍ସିଂରେ ସେମାନଙ୍କୁ ଦେଖାଇ ଦିଆଯିବ। ପରୀକ୍ଷାର ରେକର୍ଡିଂ ମଧ୍ୟ ପଠାଯିବ। ଏସବୁ ଦେଖି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ୮ଟି ବିଭାଗର ପିଜି ସିଟ୍‌ ମୂଲ୍ୟାଙ୍କନ କରିବେ ଏମ୍‌ସିଆଇ ଟିମ୍‌। ଏସ୍‌ସିଆଇ ଟିମ୍‌ଙ୍କ ଭିଡିଓ କ‌ନ୍‌ଫେରେନ୍ସିଂ ପୂର୍ବରୁ ଏସ୍‌ସିବିରେ ତତ୍‌ପରତା ପ୍ରକାଶ ପାଇଛି। ସ୍ବାସ୍ଥ୍ୟବିଭାଗ ଖାଲିଥିବା ପଦ ପୂରଣ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ୮ଟି ବିଭାଗର ପିଜି ସିଟ୍‌ ସଂପର୍କରେ ତଦାରଖ କରି‌େବ ଏମ୍‌ସିଆଇ ଟିମ୍‌। ହେଲେ ମେଡିକାଲ କଲେଜରେ ଖାଲି ପଡ଼ିଥିବା ବିଶେଷଜ୍ଞ ପଦବି ପୂରଣ ହୋଇପାରିନି। ଏହାକୁ ନେଇ ଏସ୍‌ସିବି କର୍ତ୍ତୃପକ୍ଷ ଓ ସ୍ବାସ୍ଥ୍ୟବିଭାଗକୁ ଚିନ୍ତା ଘାରିଛି। ଏମସିଆଇ ଗାଇଡ୍‌ଲାଇନ୍ ଅନୁସାରେ ପଦବି ପୂରଣ ହୋଇ ନ ଥିଲେ ସ୍ବୀକୃତି କଟିବା ଆଶଙ୍କା କରାଯାଉଛି। ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟଙ୍କ ପଦବି ସହିତ ୧୦୦ରୁ ଅଧିକ ବିଶେଷଜ୍ଞ ପଦ ଏସସିବିରେ ଖାଲି ପଡ଼ିଛି। ଏଭଳି ପ୍ରସଙ୍ଗକୁ ନେଇ ‘ଏସ୍‌ସିବିକୁ ଘାରିଛି ଏମ୍‌ସିଆଇ ଚିନ୍ତା’ ଶୀର୍ଷକ ଖବର ଗତ ୨୮ତାରିଖ ଦିନ ‘ସମ୍ବାଦ’ ରେ ପ୍ରକାଶ ପାଇଥିଲା। ଫଳରେ ଏମ୍‌ସିଆଇ ପାଇଁ ଜରୁରୀ ଥିବା ଦର୍ଶାଇ ଡିଏମ୍‌ଇଟିଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ୬ଟି ମେଡିକାଲ କଲେଜ ପାଇଁ ଚୁକ୍ତିଭିତ୍ତିରେ ତଥା ଡେପୁଟେସନ୍‌ରେ ୬୦ ଜଣ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେମାନଙ୍କୁ ଚୁକ୍ତିଭିତ୍ତିରେ ଓ ଡେପୁଟେସନ୍‌ରେ ‘ୱାକ୍‌-ଇନ୍‌ ଇଣ୍ଟରଭ୍ୟୁ ମାଧ୍ୟମରେ ନିଯୁକ୍ତି ଦିଆଯିବ। ଅନ୍ୟପଟେ ଯେଉଁମାନେ ରାଜ୍ୟର ଅନ୍ୟ ମେଡିକାଲ କଲେଜରେ ଏହି ପଦବିରେ ରହିଛନ୍ତି ବା ଭିମ୍‌ସାର, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଡେପୁଟେସନ୍‌ ଓ ରେଗୁଲାର ଭିତ୍ତିରେ ରହିଛନ୍ତି, ସେମାନେ ଏହି ପଦ ପାଇଁ ଆବେଦନ କରିପାରିବେ ନାହିଁ। ସେହିପରି ସିନିୟର ରେସିଡେଣ୍ଟ(ଏସ୍‌ଆର), ଟ୍ୟୁଟର ମଧ୍ୟ ଚୁକ୍ତିଭିତ୍ତିରେ ନିଯୁକ୍ତି ଦିଆଯିବ। ରାଜ୍ୟର ୫ଟି ମେଡିକାଲ କଲେଜରେ ୩୩ଜଣ ଟ୍ୟୁଟର, ସିନିୟର ରେସିଡେଣ୍ଟ (ସ୍ପେସାଲିଟି) ବିଭା‌ଗ ପାଇଁ ୫୮ ପଦ ଓ ସିନିୟର ରେସିଡେଣ୍ଟ (ସୁପର ସ୍ପେସାଲିଟି) ବିଭାଗ ପାଇଁ ୨୨ଜଣଙ୍କୁ ନିୟୁକ୍ତି ଦିଆଯିବା ନେଇ ଡିଏମ୍‌ଇଟିଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।

ପ୍ରକାଶଥାଉକି, ଏସ୍‌ସିବିରେ ୨୫୦ ଏମ୍‌ବିବିଏସ୍‌ ସିଟ୍‌ ପାଇଁ ଏମ୍‌ସିଆଇ ମଂଜୁରି ରହିଛି। ହେଲେ ବିଭିନ୍ନ ବିଭାଗରେ ୩ବର୍ଷ ତଳେ ଖୋଲିଥିବା ପିଜି ସିଟ୍‌ ଭିତ୍ତିଭୂମି ଯାଞ୍ଚ ପାଇଁ ଏମ୍‌ସିଆଇ ଟିମ୍‌ର ମୋହର ଅପେକ୍ଷାରେ ରହିଛି। ଏସ୍‌ସିବିର ସର୍ଜରି, ଚକ୍ଷୁ, ସ୍ତ୍ରୀ-ରୋଗ ପ୍ରସୂତି ବିଭାଗ, ଅର୍ଥୋପେଡିକ୍‌, ସ୍କିନ୍‌, ମେଡିସିନ୍‌, ପଲ୍‌ମ୍ୟୁନାରି ମେଡିସିନ୍‌, ରେଡିଓଲୋଜି, ମାନସକି ରୋଗ ବିଭାଗ ଭଳି ୮ଟି ବିଭାଗରୁ ଜୁନ୍‌ ୨୯ ସୁଦ୍ଧା ଏମ୍‌ସିଆଇ ଟିମ୍‌ ଭିଡିଓ କନ୍‌ଫରେନ୍ସିରେ ତଥ୍ୟ ନେବେ । ଏଥିପାଇଁ ପ୍ରତି ବିଭାଗରେ ପୂର୍ବରୁ ଥିବା ୱାଇଫାଇ ବ୍ୟବସ୍ଥା ଓ କ୍ୟାମେରା କାର୍ଯ୍ୟକ୍ଷମ ରହିଛି। ସେ ସବୁକୁ ପ୍ରସ୍ତୁତ କରାଯାଇଛି। ସେଉଁସବୁ ବିଭାଗର ତଥ୍ୟ ଏମ୍‌ସିଆଇ ଟିମ୍‌ ଯାଞ୍ଚ କରିବେ ସେ ସବୁ ବିଭାଗ ପ୍ରସ୍ତୁତ ଥିବା ଏସ୍‌ସିବି ଡିନ୍‌ ତଥା ଅଧ୍ୟକ୍ଷା ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର