ଭୁବନେଶ୍ବର: ଆଜି ନିଖିଳ ଓଡ଼ିଶା ଜିପିଏଲ୍‌ଏଫ୍‌ଇସି ସଂଘର ଆହ୍ୱାନରେ ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଗ୍ରାମ ପଞ୍ଚାୟତସ୍ତରୀୟ ଇସି ସଦସ୍ୟାମାନେ ଗାନ୍ଧୀମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି। ତେବେ ଟାଣଖରାରେ ବିକ୍ଷୋଭ ବେଳେ ୬ ଜଣ ମହିଳା ଓ ସହାୟତା କରୁଥିବା ୨ଜଣ ପୁରୁଷ ବେହୋସ ହୋଇ ଯାଇଥିଲେ। ସେମାନଙ୍କୁ ତୁରନ୍ତ କ୍ୟାପିଟାଲ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା‌। ସଂଘର ଉପଦେଷ୍ଟା ତଥା ଏଆଇଟିୟୁସି ରାଜ୍ୟ ସମ୍ପାଦକ ଜୟନ୍ତ ଦାସ ବିକ୍ଷୋଭରେ ଅଧ୍ୟକ୍ଷତା କରି ଦାବି ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଲେ, ଓଡ଼ିଶା ସରକାର ଜିପିଏଲ୍‌ଏଫ୍‌ ଇସିମାନଙ୍କର ମାସିକ ଦରମା ୫୦୦ ଟଙ୍କା ବୃଦ୍ଧିକରିବା ମହିଳା କର୍ମୀଙ୍କ ଦାରିଦ୍ର‌୍ୟକୁ ପରିହାସ ଭଳି। ଯଦି ପ୍ରକୃତରେ ସରକାର ସହଯୋଗ କରିବାକୁ ଚାହୁଛନ୍ତି, ତେବେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ମାସିକ ୨୬ ହଜାର ଟଙ୍କା ଦରମା ଦିଅନ୍ତୁ। ଜିପିଏଲ୍‌ଏଫ୍‌ଇସି ମହିଳା କର୍ମୀଙ୍କୁ ୱାର୍କର ମାନ୍ୟତା ପ୍ରଦାନ କରି ବିଭିନ୍ନ ସାମାଜିକ ନିରାପତ୍ତା, ଯଥା- ବିଏସ୍‌କେୱାଇ ବୀମା କାର୍ଯ୍ୟକାଳ ୬୨ବର୍ଷକୁ ଧାର୍ଯ୍ୟ କରିବା, କାର୍ଯ୍ୟକାଳ ମଧ୍ୟରେ ମୃତ୍ୟୁହେଲେ ୫ଲକ୍ଷ ଟଙ୍କାର ସହାୟତା ରାଶି, କାର୍ଯ୍ୟରୁ ଅବ୍ୟାହତି ପରେ ୫ଲକ୍ଷ ଟଙ୍କାର ସହାୟତା, ଅବସର ପରେ ମାସିକ ପେନସନ ୧୦ ହଜାର ଟଙ୍କା ଘୋଷଣା ଇତ୍ୟାଦି ଦାବି କରିଥିଲେ। ଏହି ଦାବି ପୂରଣ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆନ୍ଦୋଳନ ଚାଲୁ ରହିବ ବୋଲି ରାଜ୍ୟ ସମ୍ପାଦକ ଜାନକୀ ଲତା ନାୟକ, ଏଆଇଏସ୍‌ଏଫ୍‌ର ରାଜ୍ୟ ସଭାପତି ସଂଘମିତ୍ର ଜେନା, ଏଆଇଟିୟୁସିର ନେତା ସୁର ଜେନା, ଉମେଶ ଚନ୍ଦ୍ର ନାୟକ, ତପନ କୁମାର ସିଟ୍ ପ୍ରମୁଖ ଚେତାବନୀ ଦେଇଥିଲେ। ଶେଷରେ ଏକ ପ୍ରତିନିଧି ଦଳ ଜୟନ୍ତ ଦାସ ଓ ଜାନକୀ ଲତା ନାୟକଙ୍କ ନେତୃତ୍ୱରେ ମିଶନ ଶକ୍ତି ବିଭାଗରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓଡ଼ିଶା ଜୀବିକା ମିଶନର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ବବିତା ମହାପାତ୍ର ଓ ସ୍ୱତନ୍ତ୍ର ଅଧିକାରୀ ଏସ୍‌ଏସ୍‌ ନାୟକଙ୍କୁ ଦାବିପତ୍ର ଦେଇଥିଲେ।