୮ ଜୁଆଡ଼ି ଗିରଫ: ୬୦ ହଜାର ଟଙ୍କା, ୩ ବାଇକ ଓ ୬ ମୋବାଇଲ ଜବତ

ବାଲିଅନ୍ତା: ବାଲିଅନ୍ତା ଥାନା ପୁଲିସ ପକ୍ଷରୁ ଗତକାଲି ବିଳମ୍ବିତ ରାତିରେ ଟୋଲକପଡ଼ା ଗ୍ରାମ ନିକଟସ୍ଥ ଧନୁଆ ନଦୀପଠା ଅଞ୍ଚଳରେ ଏକ ଜୁଆ ଆଡ଼ାରେ ଚଢ଼ଉ କରାଯାଇ ୮ ଜଣ ଜୁଆଡ଼ିକୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ନଗଦ ୬୦ ହଜାର ଟଙ୍କା ଜବତ କରାଯାଇଛି। ଏଥିସହିତ ଘଟଣାସ୍ଥଳରୁ ପୁଲିସ ଜୁଆଡ଼ିଙ୍କ ବ୍ୟବହୃତ ୩ଟି ବାଇକ୍‌ ଓ ୬ଟି ମୋବାଇଲ ଫୋନ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଆଜି ସେମାନଙ୍କ ସ୍ବାସ୍ଥ୍ୟପରୀକ୍ଷା କରିବା ପରେ କୋର୍ଟ ଚାଲାଣ କରାଯାଇଛି।

ଗିରଫ ଜୁଆଡ଼ିମାନେ ହେଲେ ବାଲିଅନ୍ତା ଥାନା ଅଧୀନ ଗୋତଳଗ୍ରାମର କାଳନ୍ଦୀ ପ୍ରଧାନ ଓରଫ କାଳୁ(୨୯), ଅନାମ ନାଥ ଓରଫ ନାଲୁ(୨୯), ଟୋଲକପଡ଼ା ଗ୍ରାମର ପ୍ରଣବ ସିଂହଦେଓ ଓରଫ ନୁନୁ(୪୮), ଇନ୍ଦ୍ରପାଳ ଗ୍ରାମର ମୁଖ୍ୟ ଜୁଆଡ଼ି ପ୍ରମୋଦ କୁମାର ରାଉତ(୫୭), ଭିଙ୍ଗାରପୁର ଗ୍ରାମର ଶଙ୍କର ସାହୁ(୫୩), ବାଲିପାଟଣା ଥାନା ଅଧୀନ ବାରିଲୋ ଗ୍ରାମର କାଶୀନାଥ ପାଲ ଓରଫ କାଶୀ(୫୫), ସୁଶାନ୍ତ ମଲ୍ଲିକ ଓରଫ ମଣିଆ(୩୫) ଏବଂ ବଡ଼ଗଡ଼ ଥାନା ଅଧୀନ ବଡ଼ଗଡ଼ ଉପରସାହିର ଅଜୟ କୁମାର ଜେନା ଓରଫ ଅଜୟ(୪୬)। କୋର୍ଟରେ ସମସ୍ତଙ୍କ ଜାମିନ ଖାରଜ ହୋଇଯିବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଥାନାର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ଗିରଫ ସମସ୍ତ ଜୁଆଡ଼ି ପେସାଦାର। ଦୀର୍ଘଦିନ ଧରି ସେମାନେ ଟୋଲକପଡ଼ା ନିକଟରେ ଜୁଆଖେଳ ଚଳାଇଥିଲେ। କିଛିଦିନ ପୂର୍ବେ ଏକ ଆପାର୍ଟମେଣ୍ଟରେ ଚାଲିଥିବା ଜୁଆଆଡ଼ାରେ ଚଢ଼ଉ କରି ଉକ୍ତ ଥାନା ପୁଲିସ ପ୍ରମୋଦକୁ ଗିରଫ କରି ଜେଲ ପଠାଇଥିଲା। ହେଲେ ପ୍ରମୋଦ ଜାମିନରେ ଆସି ପୁଣି ଜୁଆ ଖେଳ ଚଳାଇଥିବା ଜଣାପଡ଼ିଛି। ଗତକାଲି କୌଣସି ସୂତ୍ରରୁ ଖବର ପାଇ ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ବାଇଁ ସଦଳବଳେ ଟୋଲକପଡ଼ା ଧନୁଆ ନଦୀ ପଠା ଅଞ୍ଚଳରେ ଚଢ଼ଉ କରି ସେମାନଙ୍କୁ କାବୁ କରିଥିଲେ। ତେବେ ପୁଲିସ ଚଢ଼ଉ ସମୟରେ ଆଉ ୫ ଜଣ ଜୁଆଡ଼ି ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କ ବାଇକ୍‌ ଜବତ କରି ପୁଲିସ ଥାନାକୁ ଆଣିଛି। ଜବତ ବାଇକ୍‌ ନମ୍ବରକୁ ଆଧାର କରି ପୁଲିସ ଫେରାର ଜୁଆଡ଼ିକୁ ଗିରଫ କରିବା ପାଇଁ ଚେଷ୍ଟା ଚଳାଇଛି।

ସମ୍ବନ୍ଧିତ ଖବର