ଅଗ୍ନିକାଣ୍ଡରେ ନବବଧୂ ଜୀବନ୍ତଦଗ୍ଧ

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଉଦପୁର ପଞ୍ଚାୟତର ଓଗାଳପୁର ଗ୍ରାମରେ ଆଜି ଦିନ ଗୋଟାଏ ବେଳେ ଭୟାବହ ଅଗ୍ନିକାଣ୍ଡ ଘଟି ୨ ପରିବାରର ୮ ବଖରା ଘର ଜଳିଯାଇଛି। ଏଥିସହିତ ଘ‌େର ଥିବା ଜଣେ ନବବଧୂ ଜୀବନ୍ତଦଗ୍ଧ ହୋଇଛନ୍ତି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ଛାରଖାର ହୋଇଯାଇଛି।

ଭଦ୍ରକ ବ୍ଲକ୍‌ର ବାଉଦପୁର ପଞ୍ଚାୟତ ଅନ୍ତର୍ଗତ ଓଗାରପୁର ଗ୍ରାମର ମାଝୀସାହିରେ ମଙ୍ଗଳ ଟୁଡୁଙ୍କ ନବ ବିବାହିତା ପୁତ୍ରବଧୂ ପଙ୍କଜିନୀ(୨୦) ରୋଷେଇ କରୁଥିବା ବେଳେ ରୋଷେଇ ଚୂଲିରୁ ନିଆଁ ଝୁଲ ଉଡ଼ି ଘରେ ନିଆଁ ଲାଗିଯାଇଥିଲା। ଏହି ନିଆଁ ଲାଗିବା ପରେ ଚାହୁଁ ଚାହୁଁ ନିଆଁ ସବୁଆଡ଼େ ବ୍ୟାପିଯାଇଥିଲା। ନିଆଁ ତାଙ୍କ ପଡ଼ୋଶୀ ବିଶ୍ବନାଥ ହାଁସଦାଙ୍କ ଘରକୁ ମଧ୍ୟ ବ୍ୟାପି ଯାଇଥିଲା। ଘରେ ନିଆଁ ଲାଗିଯିବା ଦେଖି ପଙ୍କଜିନୀ ବଡ଼ପାଟିରେ ଡାକ ପକାଇଥିଲେ। ଡାକ ଶୁଣି ପାଖ ପଡ଼ୋଶୀ ଦୌଡ଼ି ଆସିବା ବେଳକୁ ଚାରିଆଡ଼େ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିବାରେ ଲାଗିଥିଲା। ପଙ୍କଜିନୀଙ୍କର ଶ୍ବଶୁର ମଙ୍ଗଳ ଟୁଡୁ କିମ୍ବା ତାଙ୍କ ସ୍ବାମୀ ଦୁର୍ଗାଚରଣ ଟୁଡୁ ମଧ୍ୟ ଘରେ ନ ଥିଲେ। ନିଆଁରେ ଘରେ ଥିବା ଜିନିଷପତ୍ର ପୋଡ଼ି ଯାଉଥିବା ଦେଖି ଘର ଭିତରୁ ପଶି ପଙ୍କଜିନୀ ଜିନିଷପତ୍ର ବାହାର କରିବାକୁ ଯାଉଥିବା ବେଳେ ତାଙ୍କ ଉପରେ ଚାଳରୁ ନିଆଁ ଖସି ତାଙ୍କ ଦେହରେ ଲାଗିଯାଇଥିଲା। ଫଳରେ ଘର ଭିତରୁ ଆଉ ପଙ୍କଜିନୀ ବାହାରକୁ ଆସିପାରି ନ ଥିଲେ ଏବଂ ଘର ଭିତରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ପରେ ତାଙ୍କୁ ସେଠାରୁ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ଅଣାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପଙ୍କଜିନୀଙ୍କର ବାପଘର ବାଲେଶ୍ବର ଜିଲ୍ଲାର ମାର୍କୋଣା ଅଞ୍ଚଳରେ। ସେ ମାତ୍ର ୧୫ ଦିନ ତଳେ ମଙ୍ଗଳ ଟୁଡୁଙ୍କ ପୁଅ ଦୁର୍ଗା ଚରଣଙ୍କୁ ବିବାହ କରିଥିଲେ।

ଖବର ପାଇ ଭଦ୍ରକ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ସବୁ କିଛି ପୋଡ଼ି ପାଉଁଶ ହୋଇଯାଇଥିଲା। ମଙ୍ଗଳ ଟୁଡୁ ଓ ତାଙ୍କ ପଡୋଶୀ ବିଶ୍ବନାଥ ହାଁସଦାଙ୍କର ୮ବଖରା ଭସ୍ମୀଭୂତ ହୋଇଯାଇଥିଲା।

ସମ୍ବନ୍ଧିତ ଖବର