ରାୟଗଡା: ଓଡ଼ିଶା ସୀମାନ୍ତ ଆନ୍ଧ୍ରର କମରୋଡା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ମାଲବାହୀ ଟ୍ରକ୍ ଯାତ୍ରୀବାହୀ ଅଟୋକୁ ସମ୍ମୁଖରୁ ଧକ୍କା ଦେବା ଯୋଗୁ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିମାନେ ହେଲେ ମେଲେକା ଆମୁଡାମା, ହୁଇକା ଲକ୍ଷ୍ମୀ, ହୁଇକା ନରସିଂହ, ମେଲେକା ଭେଙ୍କେଟି, ମେଲେକା ସାରଦା। ଆଉ ଜଣେ ମୃତକଙ୍କ ପରିଚୟ ଜଣାପଡିନାହିଁ। ସମସ୍ତଙ୍କ ଘର ପାର୍ବତୀପୁରମ୍ ମାନ୍ୟମ ଜିଲ୍ଲା କମରୋଡା ଥାନା ଆଣ୍ଟିୱାଲସା ଗାଁରେ। ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ  ଚିକିତ୍ସା ପାଇଁ ସମସ୍ତଙ୍କୁ ପାର୍ବତୀପୁରମ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। କମରୋଡା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗସ୍ତ ଟ୍ରକ୍-ଅଟୋକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଆଣ୍ଟିୱାଲସା ଗାଁର ମେଲେକା ଆମୁଡାମାଙ୍କ ପରିବାର ଏକ ବିବାହ ପ୍ରସ୍ତାବ ଦେଖିବା ପାଇଁ ତୁମଲାୱାଲସା ଗାଁକୁ ଆସିଥିଲେ। ବନ୍ଧୁ ଘରେ ବିବାହ ପ୍ରସ୍ତାବ ସଂପର୍କରେ ଆଲୋଚନା ସରିବା ପରେ ଅପରାହଣ୍ ୩ଟାରେ ସଭିଁଏ ଅଟୋ ଯୋଗେ ନିଜ ଗାଁକୁ ଫେରୁଥିଲେ। ଚୋଲାପଦମ ଜଙ୍କସନରେ ପାର୍ବତୀପୁରମରୁ ରାୟଗଡ଼ା ଅଭିମୁଖେ ଆସୁଥିବା ମାଲବାହୀ ଟ୍ରକ୍ ନଂ-ଏପି୩୯ଏକ୍ସ-୧୪୪୯ ଅଟୋକୁ ଧକ୍କା ଦେଇଥିଲା। ମାଲବାହୀ ଟ୍ରକର ଗତି ଏତେ ତୀବ୍ର ଥିଲା ଯେ ଧକ୍କାରେ ଅଟୋଟି ସମ୍ପୂର୍ଣ୍ଣ ଚୁରମାର ହୋଇଯିବା ସହ ରାସ୍ତାକଡକୁ ଫୋପାଡି ହୋଇ ପଡିଥିଲା। ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଛି।