ପାଣିକୋଇଲି : ଘଟଗାଁରୁ ମା’ ତାରିଣୀ ଓ ଆରଡ଼ି ଆଖଣ୍ଡଳମଣିଙ୍କ ଦର୍ଶନ ସାରି ଫେରୁଥିବାବେଳେ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହେବାରୁ ୮ ଜଣ ଗୁରୁତର ହୋଇଛନ୍ତି। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ୧୬ ନମ୍ବର ଜାତୀୟ ରାଜପଥର ବଡ଼ତ୍ରିଲୋଚନପୁର ଟିକରପୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଫଳରେ ଗାଡ଼ିରେ ଥିବା ୧୧ ଜଣଙ୍କ ମଧ୍ୟରୁ ୯ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଅଞ୍ଚଳରୁ ଏକ ବୋଲେରୋ (ଓଡି ୦୭ ଏନ୍ ୧୦୦୨) ଯୋଗେ ୧୧ ଜଣ ଘଟଗାଁ ମା’ ତାରିଣୀ ଓ ଭଦ୍ରକର ଆଖଣ୍ଡଳମଣି ଦର୍ଶନ କରିବାକୁ ଆସିଥିଲେ। ଦର୍ଶନ ସାରି ଫେରିବାବେଳେ ରାଜପଥର ଟିକରପୋଲ ନିକଟରେ ଏକ ଟ୍ରକ୍‌ (ଓଡି ୨୧ ଏମ୍ ୧୫୫୮) ପଛ​ରେ ବୋଲେରୋଟି ଧକ୍କା ଦେଇଥିଲା। ଫଳରେ ଡ୍ରାଇଭରଙ୍କୁ ମିଶାଇ ୯ ଜଣ ଆହତ ହୋଇଥିଲେ। ଆହତମାନେ ହେଲେ ବିନୋଦିନୀ ଦଳେଇ, ମିନି ଦଳେଇ, ସଜନୀ ଦାସ, ସୁଦଶା ଦାସ, ଶଶୀ ଦାସ, ତମ୍ପଲା ଗୌଡ଼, ଶଙ୍କର ନାୟକ, ରାମ ଦାସ ଓ ସମୀର କୁମାର ସାହୁ। ସମୀରଙ୍କ ୪ ବର୍ଷର ପୁଅ ତାଙ୍କ କୋଳରେ ଶୋଇଥିବାରୁ ସଂପୂର୍ଣ୍ଣ ସୁରକ୍ଷିତ ରହିଛି। ସେହିପରି ଜଣେ ନାବାଳିକା ଝିଅ ମଧ୍ୟ ନିରାପଦ ଅଛନ୍ତି।

ଖବର ପାଇ ଜାତୀୟ ରାଜପଥ ପାଟ୍ରୋଲିଂ ପୁଲିସ ସବ୍‌-ଇନ୍ସପେକ୍ଟର ଅଶୋକ କୁମାର ବଳ ସ୍ଥାନୀୟ ସ୍ବେଚ୍ଛାସେବୀଙ୍କ ସହଯୋଗରେ ​ଆହତଙ୍କୁ ଉଦ୍ଧାର କରି ପାଟ୍ରୋଲିଂ ଗାଡ଼ି ଏବଂ ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଇଥିଲେ। ପାଣିକୋଇଲି ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଅନୁସନ୍ଧାନ ଜାରି ରଖିଛି। ଗୁରୁତର ରୋଗୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।