ଅଭିମନ୍ୟୁ ବଧ ଦୃଶ୍ୟ ବେଳେ ଫୁଟିଲା ବାଣ : ବିସ୍ଫୋରଣରେ ୪ ନାବାଳକଙ୍କ ସମେତ ୮ ଆହତ

ମଞ୍ଚ ତଳେ ରଖା ଯାଇଥିଲା ବାଣ

ଧରାକୋଟ : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଧୀନ ଢଉଗାଁ ପଞ୍ଚାୟତର କେ.ରାମଚନ୍ଦ୍ରପୁର (କଇଠିରା) ଗ୍ରାମରେ ଗତକାଲି ରାତିରେ ଦୋଳପୂର୍ଣ୍ଣମୀ ପାଇଁ ମହାଭାରତ ନାଟକ ମଞ୍ଚସ୍ଥ ସମୟରେ ଅଘଟଣ ଘଟିଛି। ଅଭିମନ୍ୟୁ ବଧ ଦୃଶ୍ୟରେ ବ୍ୟବହୃତ ଚକ୍ରବାଣର ନିଆଁଝୁଲରେ ମଞ୍ଚ ତଳେ ଗଚ୍ଛିତ ରଖାଯାଇଥିବା ବାଣ ଫୁଟିଯିବାରୁ ଏଥିରେ ୪ ନାବାଳକଙ୍କ ସମେତ ମୋଟ ୮ଜଣ ଆହତ ହୋଇଛନ୍ତି। ଆସିକା ଉପଖଣ୍ଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ମଧ୍ୟରୁ ଗୁରୁତର ୫ଜଣଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଯାଇଛି।

ଆହତମାନେ ହେଲେ, କୁଶରାବ ଗ୍ରାମର ବିଜୟ ଗୌଡ଼ (୪୦), ଚାକୁଣ୍ଡାର ଚନ୍ଦନ ବିଷୋୟୀ (୮), ବାବୁ ବିଷୋୟୀ (୮), ଓମ୍ ଗୌଡ଼ (୮), ରାମଚନ୍ଦ୍ରପୁରର ଅରୁଣ ବିଷୋୟୀ (୧୯), ଚାକୁଣ୍ଡାର ରାଜା ଗୌଡ଼ (୧୨), କଇଠାରର ସୁମନ ରେଡ୍ଡୀ ଓ ବିଜୟ ରେଡ୍ଡୀ। ଆହତଙ୍କ ମଧ୍ୟରେ ନାଟକ କର୍ମଚାରୀ ମଧ୍ୟ ଅଛନ୍ତି। ‌ମିଳିଥିବା ସୂଚନାନୁସାରେ, ଦୋଳପୂର୍ଣ୍ଣମୀ ପାଇଁ ସୋରଡ଼ା ନିକଟସ୍ଥ ସରାବାଡ଼ି ପଞ୍ଚାୟତ ଚାକୁଣ୍ଡା ଗ୍ରାମର ନାଟକଦଳ ପକ୍ଷରୁ କଇଠିରାରେ ‘ରକ୍ତରଞ୍ଜିତ କୁରୁକ୍ଷେତ୍ର, ଅଭିମନ୍ୟୁ ବଧ ମହାଭାରତ’ ନାଟକ ମଞ୍ଚସ୍ଥ ହୋଇଥିଲା। ଉପସ୍ଥିତ ଦର୍ଶକଙ୍କୁ ଅଧିକ ଆକର୍ଷିତ କରିବା ଲାଗି ଅଭିମନ୍ୟୁ ବଧ ଦୃଶ୍ୟରେ ଚକ୍ରବାଣ ଫୁଟାଯାଇଥିଲା। କିନ୍ତୁ ଅସାବଧାନତାବଶତଃ ବାଣର ନିଆଁଝୁଲ ମଞ୍ଚର ଚାରିପଟେ ବି‌ଛେଇ ହୋଇ ପଡ଼ିଥିଲା। ଆଉ ମଞ୍ଚ ତଳେ ଗଚ୍ଛିତ ଥିବା ବାଣ ଏହାର ପ୍ରଭାବରେ ଆସି ଫୁଟିଯାଇଥିଲା। ଫଳରେ ନାଟକ କମିଟିର କିଛି ସଦସ୍ୟଙ୍କ ସ‌ମେତ ଦର୍ଶକ ଭାବେ ସାମ୍ନାରେ ବସିଥିବା ନାବାଳକମାନେ ଆହତ ହୋଇଥିଲେ। ସମସ୍ତଙ୍କୁ ଆସିକା ଡାକ୍ତରଖାନାକୁ ଅଣାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ୫ଜଣଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା।

ଧରାକୋଟ ଥାନା ଅଧିକାରୀ ସହଦେବ ମହାପାତ୍ର ଘଟଣାସ୍ଥଳରେ ସଳଦବଳ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏନେଇ ପୁଲିସ ନିଜ ଆଡ଼ୁ କେସ୍ ନମ୍ବର ୪୦ ଅନୁସାରେ ଏକ ମାମଲା ରୁଜୁ କରିଛି। ନାଟ୍ୟ କମିଟିର ଜଣେ ସଦସ୍ୟଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି। କରୋନା ପାଇଁ ସରକାର ଜନସମାଗମ ଓ ଧାର୍ମିକ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇଥିବା ବେଳେ କାହା ଅନୁମତିରେ ଗ୍ରାମରେ ନାଟକ ଆୟୋଜିତ ହୋଇଥିଲା, ଏହାକୁ ପୁଲିସ ତଦନ୍ତ ପରିସରଭୁକ୍ତ କରିଛି। ସେହିପରି ନାଟକରେ ବାଣ ବ୍ୟବହାରକୁ ନିଷେଧ କରାଯାଇଥିଲା। ପୁଲିସ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଜାରି ରଖିଛି ବୋଲି ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର