କେବିକେ ଜିଲ୍ଲା ପାଇଁ କେନ୍ଦ୍ରୀୟ ଯୋଜନାରେ ୮ଟି ଜଳସେଚନ ପ୍ରକଳ୍ପ କାମ ଜାରି

୧୪ ହଜାର ୮୯୯ କୋଟିରୁ ଓଡ଼ିଶା ଖର୍ଚ୍ଚ କରିବ ୧୩ ହଜାର ୩୬ କୋଟି

ଭୁବନେଶ୍ବର : କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ କେବିକେ ଅଞ୍ଚଳର ୮ଟି ଜିଲ୍ଲାରେ ୧୪ ହଜାର ୮୯୯ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ୮ଟି ପ୍ରକଳ୍ପ କାମ ଚାଲୁଛି। ଏସବୁ ପ୍ରକଳ୍ପ ବାବଦରେ ଅର୍ଥ ବିନିଯୋଗ ନେଇ ରାଜ୍ୟ ସରକାରଙ୍କ ବଡ଼ ଅଂଶ ଥିବାବେଳେ କେନ୍ଦ୍ର ସରକାର ମାତ୍ର ଅଳ୍ପ ଅର୍ଥ ଖର୍ଚ୍ଚ କରୁଛନ୍ତି। ୨୦୧୯ ମସିହା ଡିସେମ୍ବର ମାସରୁ ଏ ସଂକ୍ରାନ୍ତ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ବନ୍ଦ ହେଲାଣି। ରାଜ୍ୟରେ ୨୦୧୬-୧୭ ମସିହାରୁ ଏସବୁ ଜଳସେଚନ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲେ ବି ୨୦୨୦ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ହୋଇପାରିନଥିଲା। କିନ୍ତୁ ପରେ ଚାଲୁ ରହିଥିବା ପ୍ରକଳ୍ପ କାମ ସାରିବାକୁ ଅର୍ଥ ପ୍ରଦାନ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଚଳିତବର୍ଷ ମାର୍ଚ୍ଚ ୩୧କୁ ସଂଶୋଧିତ ତାରିଖ ଧାର୍ଯ୍ୟ କରିଛି। ତଥାପି ଏହି ପ୍ରକଳ୍ପ କାମ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ହେବ କି ନାହିଁ ସେ ନେଇ ଆଶଙ୍କା ପ୍ରକାଶ ପାଇଛି।

ଗତକାଲି ଲୋକସଭାରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ଏ ସଂକ୍ରାନ୍ତ ଅଣତାରକା ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରତନ ଲାଲ୍‌ ଖଟାରିଆ କହିଛନ୍ତି, ସାରା ଦେଶରେ ପ୍ରଧାନମନ୍ତ୍ରୀ କୃଷି ସିଚାଇ-ଆକ୍ସିଲରେଟେଡ୍‌ ଇରିଗେସନ୍‌ ବେନିଫିଟ୍‌ ପ୍ରୋଗ୍ରାମ୍‌ (ପିଏମ୍‌କେଏସ୍‌ଓ୍ବାଇ-ଏଆଇବିପି) ଯୋଜନା ଓ ‘ହର୍‌ କ୍ଷେତ୍‌କୋ ପାନି’ ଯୋଜନାରେ ଜଳକଷ୍ଟ ଭିତରେ ଥିବା ଅଞ୍ଚଳରେ ଦେଶରେ ୯୯ଟି ପ୍ରକଳ୍ପ ୨୦୧୬-୧୭ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିଲା। ଏହି କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅର୍ଥ ଖର୍ଚ୍ଚ କରିବେ ବୋଲି ସର୍ତ୍ତ ଥିଲା। ସେହି ଅନୁଯାୟୀ ଓଡ଼ିଶାର ୮ଟି କେବିକେ ଜିଲ୍ଲାରେ ୮ଟି ଜଳ ସେଚନ ପ୍ରକଳ୍ପ ପାଇଁ ମୋଟ ୧୪ ହଜାର ୮୯୯ କୋଟି ୪୨ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏସବୁ ପ୍ରକଳ୍ପ ବାବଦରେ ରାଜ୍ୟ ସରକାର ୧୩ ହଜାର ୩୬ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ। ବାକି ଅର୍ଥ କେନ୍ଦ୍ର ସରାକର ଖର୍ଚ୍ଚ କରିବାକୁ ହିସାବ କରାଯାଇଛି। ଏହି ଯୋଜନା ଅନ୍ତର୍ଗତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନେଇ ରାଜ୍ୟ ସରକାର କୌଣସି ପ୍ରସ୍ତାବ ପଠାଇନଥିଲେ।

ମନ୍ତ୍ରୀ ଶ୍ରୀ ଖଟାରିଆ ଦର୍ଶାଇଛନ୍ତି ଅପର୍‌ ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୬୯ କୋଟି ୮୪ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ ରାଜ୍ୟ ସରକାର ୫୭୦.୦୨ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ଜଳସେଚନ ସୁବିଧା ମିଳିବ। ସେହିପରି ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାକୁ ଜଳସେଚନ ଯୋଗାଇବା ପାଇଁ ଚାଲୁ ରହିଥିବା ଲୋୟର ଇନ୍ଦ୍ର ପ୍ରକଳ୍ପ ପାଇଁ ୧୨୧.୬୦୨ କୋଟି କେନ୍ଦ୍ର ଖର୍ଚ୍ଚ କରୁଥିବାବେଳେ ରାଜ୍ୟ ସରକାରଙ୍କ ଭାଗ ୧୫୨୮.୪୬ କୋଟି। ସୁନ୍ଦରଗଡ଼ ଜିଲ୍ଲା ପାଇଂ ରୁକୁରା ପ୍ରକଳ୍ପ ବାବଦରେ କେନ୍ଦ୍ର ଖର୍ଚ୍ଚ କରିବ ୧୫୨.୩୮ କୋଟି ଓ ରାଜ୍ୟ ସରକାର ଖର୍ଚ୍ଚ କରିବେ ୪୭୭.୪୨ କୋଟି। ମୟୂରଭଞ୍ଜ ଓ ବାଲେଶ୍ବର ପାଇଁ ସୁବର୍ଣ୍ଣରେଖା ପ୍ରକଳ୍ପ ବାବଦରେ କେନ୍ଦ୍ର ସରକାରଙ୍କ ଅଂଶ ୭୪୩.୯୦ କୋଟି ଥିବାବେଳେ ରାଜ୍ୟ ସରକାରଙ୍କ ୪,୦୪୬.୧୫ କୋଟି ଅଂଶ ରହିଛି। କେନ୍ଦୁଝର ଜିଲ୍ଲାର ଇଣ୍ଟିଗ୍ରେଟେଡ଼ ଆନନ୍ଦପୁର ବ୍ୟାରେଜ୍‌ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଖର୍ଚ୍ଚ କରିବେ ୧୧୪.୭୬୪ କୋଟି ଓ ରାଜ୍ୟ ସରକାର ୨୯୧୪.୪୫ କୋଟି। କଳାହାଣ୍ଡି ଜିଲ୍ଲାର ରେଟ ପ୍ରକଳ୍ପ ପାଇଁ ୧୫୪.୮୧୨ କୋଟି କେନ୍ଦ୍ର ଖର୍ଚ୍ଚ କରିବ ଓ ରାଜ୍ୟ ଖର୍ଚ୍ଚ କରିବ ୬୯୩.୦୯ କୋଟି। କେନ୍ଦୁଝର କାନପୁର ପ୍ରକଳ୍ପ ପାଇଁ ୨୮୦.୪୯ ଅର୍ଥ କେନ୍ଦ୍ର ବିନିଯୋଗ କରିବାକୁ ଥିବାବେଳେ ରାଜ୍ୟ ସରକାର ୨୦୫୨.୪୪ କୋଟି ବିନିଯୋଗ କରିବେ। ସେହିପରି କୋରାପୁଟର ତେଲେଙ୍ଗିରି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଖର୍ଚ୍ଚ କରିବେ ୨୨୫.୪୬୨ କୋଟି ଓ ରାଜ୍ୟ ସରକାର ଖର୍ଚ୍ଚ କରିବେ ୭୫୪.୩୭୪ କୋଟି ଟଙ୍କା।

ସମ୍ବନ୍ଧିତ ଖବର