ଖସିଗଲେ ୨, ପୁଲିସ ନଜରରେ ଯନ୍ତ୍ରୀ
୪ ଦାମୀ କାର, ୨ ବାଇକ୍ ଜବତ
ଆନ୍ଧ୍ର ଓ ପଶ୍ଚିମବଙ୍ଗକୁ ଲମ୍ବିଥିଲା ଚେର
ରସୁଲଗଡ଼ରେ ହେଉଥିଲା କାରବାର
ପୁରୀ : ବହୁଦିନର ବ୍ୟବଧାନ ପରେ ପୁରୀ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ବର୍ଷ ବର୍ଷ ଧରି ଲୁଟ୍ର କାୟା ମେଲାଇଥିବା ଏକ ବଡ଼ ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗ୍କୁ ପୁରୀ ପୁଲିସ ଧରିବାକୁ ସମର୍ଥ ହୋଇଛି। ଏମାନଙ୍କ ଠାରୁ ୩୦ ଲକ୍ଷରୁ ଅଧିକ ଟଙ୍କାର ଚୋରି ସୁନା, ରୁପା ଅଳଙ୍କାର ସହ ଦାମୀ କାର, ବାଇକ୍, ଘରଭଙ୍ଗା ସରଞ୍ଜାମ ଆଦି ଜବତ କରାଯାଇଛି। ପୁଲିସ ଏହି ଗ୍ୟାଙ୍ଗ୍ର ୮ ଜଣ ସଦସ୍ୟଙ୍କୁ କାବୁ କରିଥିବାବେଳେ ଅନ୍ୟ ଦୁଇ ସଦସ୍ୟ ଖସିଯିବାକୁ ସମର୍ଥ ହୋଇଛନ୍ତି। ସେପଟେ ଏହି ଘଟଣାରେ ପପୁ ନାମକ ଜନୈକ କନିଷ୍ଠ ଯନ୍ତ୍ରୀଙ୍କ ସମେତ ଆହୁରି ୧୫ ଜଣ ସଂପୃକ୍ତ ଥିବା ପୁଲିସ ସ୍ପଷ୍ଟ କରିଛି। ଏମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଗିରଫ ଅଭିଯୁକ୍ତଙ୍କ ଭିତରେ ପୁରୀ ଜିଲ୍ଲାର ଦୁଇ ଜଣ ଅଭିଯୁକ୍ତ ଥିବାବେଳେ ବାକି ନୟାଗଡ଼, କଟକ, ଯାଜପୁର, ଜଗତସିଂହପୁର ଜିଲ୍ଲାର ବୋଲି ପୁରୀ ଆରକ୍ଷୀ ଅଧୀକ୍ଷକ ଉମାଶଙ୍କର ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଏ ସଂପର୍କରେ ସୂଚନା ଦେଇ ଆରକ୍ଷୀ ଅଧୀକ୍ଷକ ଡା. ଦାଶ ଗଣମାଧ୍ୟମକୁ କହିଛନ୍ତି, ଏହି ଗ୍ୟାଙ୍ଗ୍ ପିପିଲି ଥାନା ଦକ୍ଷିଣ ନୂଆଗାଁ ଓ ମଙ୍ଗଳପୁରର ଗ୍ରାମରୁ ଲୁଟ୍ପାଟ କରିଥିବା ନେଇ ଅଭିଯୋଗ େହାଇଥିଲା। ଗତକାଲି ପୁରୀ ପୁଲିସର ଏକ ସ୍ବତନ୍ତ୍ର ସ୍କ୍ବାଡ୍ ଚଢ଼ଉ କରି ଭୁବନେଶ୍ବରରୁ ଅଭିଯୁକ୍ତମାନଙ୍କୁ ଧରିବାକୁ ସମର୍ଥ ହୋଇଛି। ଏମାନଙ୍କ ଠାରୁ ବହୁ ସୁନା ଚେନ୍, କାନଫୁଲ, ମୁଦି, ବାହୁଟି, ଲକେଟ୍, ମଙ୍ଗଳସୂତ୍ର ଆଦି ଜବତ କରାଯାଇଛି। ଏହି ସୁନା ଅଳଙ୍କାରର ଓଜନ ୬୪୦.୩୪ ଗ୍ରାମ । ସେହିଭଳି ୬ କେଜିର ରୁପା ଅଳଙ୍କାର ଓ ପାତ୍ର ଆଦି ଜବତ କରାଯାଇଛି। ଅଭିଯୁକ୍ତମାନେ ବ୍ୟବହାର କରୁଥିବା ତିନୋଟି ଇନୋଭା କାର, ଗୋଟିଏ ଟାଟା ଇଣ୍ଡିଗୋ କାର, ଦୁଇଟି ପଲ୍ସର ବାଇକ୍, ଗୋଟିଏ ସୋନି ଏଲ୍ଇଡି ଟିଭି, ୮ଟି ମୋବାଇଲ୍ ଫୋନ୍ ଆଦି ଜବତ କରାଯାଇଛି।
ଅଭିଯୁକ୍ତମାନେ ଆନ୍ଧ୍ର ଓ ପଶ୍ଚିମବଙ୍ଗ ସମେତ ଓଡ଼ିଶାର ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଭୁବନେଶ୍ବର, ଖୋର୍ଧା, ପୁରୀ, ନୟାଗଡ଼, ସମ୍ବଲପୁର, ଗଞ୍ଜାମ ଜିଲ୍ଲାରେ କାୟା ବିସ୍ତାର କରି ରଖିଥିଲେ। ରସୁଲଗଡ଼ରେ ବି କାରବାର ହେଉଥିଲା। ଘରେ ପଶି ବନ୍ଧୁକ ମୁନରେ ଲୁଟ୍ପାଟ କରିବା ପରେ ଏହାକୁ ନିର୍ଦ୍ଦିଷ୍ଟ କିଛି ସୁନା ଦୋକାନୀଙ୍କୁ ବିକ୍ରି କରୁଥିଲେ। ଓଡ଼ିଶାରେ ଅସୁବିଧା ହେଲେ ଏହାକୁ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ବିକ୍ରି କରୁଥିଲେ ବୋଲି ଏସ୍ପି ଶ୍ରୀ ଦାଶ କହିଛନ୍ତି।