ମା ଛେଉଣ୍ଡ ୮ ମାସର ଶିଶୁକନ୍ୟା ପୁଷ୍ଟିହୀନତାର ଶିକାର

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଚକଳାପଦର ପଞ୍ଚାୟତର କୁସୁମବାହାଲ ଗ୍ରାମରେ ଜଣେ ୮ ମାସର ମା ଛେଉଣ୍ଡ ଶିଶୁକନ୍ୟା ପୁଷ୍ଟିହୀନତାର ଶିକାର ହୋଇଥିବା ଦେଖିବାକୁ ମିଲିଛି। ସୂଚନାନୁଯାୟୀ କୁସୁମବାହାଲ ଗ୍ରାମର ରାମ ଜାନୀ ୨ ବର୍ଷ ତଳେ ଚନ୍ଦାହାଣ୍ଡି ବ୍ଳକର ପାଆଝୁରି ଗ୍ରାମର ସମ୍ବରି ଜାନୀକୁ ବିବାହ କରିଥିଲେ। ପରେ କିଛି ମାସ ପରେ ସମ୍ବରି ଗର୍ଭବତୀ ହୋଇଥିଲେ।

ଗତ ବର୍ଷ ଜୁନ ମାସରେ ସମ୍ବରିଙ୍କୁ ପ୍ରସବ ବେଦନା ହୋଇଥିଲା। ତେବେ ସଚେତନତା ଅଭାବ ସହ କୁସୁମବାହାଲ ଗ୍ରାମକୁ ରାସ୍ତା ଶୋଚନୀୟ ଥିବା ହେତୁ ଆମ୍ବୁଲାନ୍ସ ଆସିପାରିନଥିଲା। ଶେଷରେ ସମ୍ବରି ବୟୋଜ୍ୟେଷ୍ଠମାନଙ୍କ ସହାୟତାରେ ଘରେ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ। କିନ୍ତୁ ସମ୍ବରିର ଫୁଲ ନଝଡ଼ିବା ହେତୁ ଘରେ ହିଁ ଗୁରୁତର ହୋଇ ମୃତ୍ୟୁ ହୋଇଯାଇଥିବା ପରିବାର ଲୋକ ଅତି ଦୁଃଖର ସହ କହିଥିଲେ। ସମ୍ବରିର ମୃତ୍ୟୁ ପରେ ୮ ମାସ ହେବ ଶିଶୁ କନ୍ୟାର ଲାଳନପାଳନ ୧୫ ବର୍ଷର ପିଉସୀ ମାଗାଇ ଜାନୀ କରୁଛନ୍ତି। ଆଠ ମାସର ଶିଶୁ କୁ ଗାଈ କ୍ଷୀର କିଣି ଦେଉଛନ୍ତି। ଗାଈ କ୍ଷୀର ନମିଳିଲେ ଅମୁଲ କ୍ଷୀର ଦେଉଥିବା କହିଛନ୍ତି। ତେବେ ବୟସ ଅନୁଯାୟୀ ଆଠ ମାସର ଶିଶୁ କନ୍ୟାର ସ୍ୱାସ୍ଥ୍ୟରେ ଉନ୍ନତି ହୋଇନଥିବା ଅନୁମାନ କରାଯାଉଛି। ଓଜନ କମ୍ ରହିବା ସହ ହାତ ,ଗୋଡ଼ ସରୁ ଥିବା ବେଳେ ମୁଣ୍ଡ ଓ ପେଟ ବଡ଼ ରହିଛି, ଯାହାକି ପୁଷ୍ଟିହୀନତାର ଶିକାର ରହିଥିବା ଅନୁମାନ କରାଯାଉଛି। ତେବେ ପ୍ରଶାସନ ତରଫରୁ ଦୃଷ୍ଟି ଦେବାପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର