କଟକ: ୮ ମାସ ଧରି ୪ଶହ କୋଚିଂ ସେଣ୍ଟର୍‌ରେ ତାଲା

ଜୀବିକା ହରାଇଛନ୍ତି ଯୁବପିଢ଼ି, ଅନ୍‌ଲାଇନ୍‌ ପଢ଼ାକୁ ୫୦ ପ୍ରତିଶତ ବୁଝିି କରିପାରୁ ନାହାନ୍ତି

କଟକ: କରୋନା ସଂକ୍ରମଣକୁ ଦେଖି ଗତ ମାର୍ଚ୍ଚରୁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ସ୍କୁଲ ଓ କଲେଜ ଦୀର୍ଘ ୮ମାସ ଧରି ବନ୍ଦ ଥିବାବେଳେ ସହରର ସମସ୍ତ ଘରୋଇ କୋଚିଂ ସେଣ୍ଟର୍‌ରେ ବି ତାଲା ପଢିଛି। ସହରର ୭୦ ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ ପାଠପଢା ଅପେକ୍ଷା କୋଚିଂ ସେଣ୍ଟର୍‌ର ପଢ଼ାକୁ ଅଧିକ ଗୁରୁତ୍ବ ଦେଇଥାନ୍ତି। ଏବେ ସେଣ୍ଟରଗୁଡିକ ଅନ୍‌ଲାଇନ୍‌ରେ ପିଲାଙ୍କୁ ପଢ଼ାଉଥିବା ବେଳେ ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଖୁସି ନାହାନ୍ତି।

ସେପଟେ ଘରୋଇ ଶିକ୍ଷାଦାନକୁ ଜୀବିକା କରିଥିବା ଅନେକ ଶିକ୍ଷିତ ଯୁବକ ଓ ଯୁବତୀଙ୍କ ସହିତ କୋଚିଂ ସେଣ୍ଟରଗୁଡିକ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଏପରିକି ଅନେକ ସେଣ୍ଟର୍‌ ମାଲିକ ଘରଭଡ଼ା ଦେବାରେ ବି ସମସ୍ୟାରେ ପଡ଼ିଥିବା କହିଛନ୍ତି।

ମହାମାରୀ ପାଇଁ ରାଜ୍ୟ ସରକାର ଚଳିତବର୍ଷ ମାର୍ଚ୍ଚ ୧୪ରୁ ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖିଛନ୍ତି। ଏଥିରେ ଛାତ୍ରଛାତ୍ରୀଙ୍କ ପଢ଼ାରେ ବିଶେଷ କ୍ଷତି ହୋଇଛି। ସେପଟେ ସଂକ୍ରମଣକୁ ଦେଖି ସହରର ସମସ୍ତ କୋଚିଂ ସେଣ୍ଟର୍‌ ବି ବନ୍ଦ ରହିଛି। ସହରରେ ୪ଶହରୁ ଅଧିକ ଘରୋଇ କୋଚିଂ ସେଣ୍ଟର୍‌ ଥିବାବେଳେ ଏଥିରେ ୭୦ ପ୍ରତିଶତ ପିଲା ପଢ଼ିଥାନ୍ତି। ସ୍କୁଲ ଓ କଲେଜର କ୍ଲାସ୍‌ରୁମ ଶିକ୍ଷା ଅପେକ୍ଷା ଆଜିର ଛାତ୍ରଛାତ୍ରୀ କୋଚିଂ ସେଣ୍ଟର୍‌ର ପଢ଼ାକୁ ଅଧିକ ପସନ୍ଦ କରିଥାନ୍ତି। ସେଣ୍ଟରଗୁଡିକ ସ୍କୁଲ ଓ କଲେଜର ପଢ଼ାକୁ ଛାତ୍ରଛାତ୍ରୀଙ୍କ ମନେ ରଖିବା ପାଇଁ ଅଧିକ ସରଳ ଓ ସହଜ କରିଥାନ୍ତି। ମାତ୍ର ଏବେ ସ୍କୁଲ ଓ କଲେଜ ସହିତ ସମସ୍ତ କୋଚିଂ ସେଣ୍ଟର୍‌ଗୁଡିକ ବନ୍ଦ ରହିଛି।

ପିଲାମାନଙ୍କୁ ସେଣ୍ଟର୍‌ ପକ୍ଷରୁ ଅନ୍‌ଲାଇନ୍‌ରେ ପଢ଼ାଯାଉଛି। ମାତ୍ର ତାହା କ୍ଲାସରୁମ୍‌ ପଢ଼ା ସହିତ ସମାନ ହେଉ ନାହିଁ ବୋଲି ସେଣ୍ଟର୍‌ଗୁଡିକ ପକ୍ଷରୁ କୁହାଯାଇଛି। ଏଥିରେ ଶହେ ପିଲାଙ୍କ ମଧ୍ୟରୁ ମାତ୍ର ୨୦/୩୦ ଜଣ ଛାତ୍ରଛାତ୍ରୀ ପଢ଼ାଯାଉଥିବା ପାଠର ୭୦ରୁ ୮୦ ପ୍ରତିଶତ ବୁଝି ପାରୁଥିବାବେଳେ ବାକି ପିଲା ୪୦ରୁ ୫୦ ପ୍ରତିଶତ ପାଠ ବୁଝି ପାରୁଛନ୍ତି। ଅନ୍ୟପଟେ ଅନ୍‌ଲାଇନ୍ ପଢା ଯୋଗୁଁ ସେଣ୍ଟରଗୁଡିକର ଆୟ ୩୦ରୁ ୫୦ ପ୍ରତିଶତ ହ୍ରାସ ପାଇଛି। ଘରୋଇ ସେଣ୍ଟରଗୁଡିକରେ ଶିକ୍ଷାଦାନ କରି ଶତାଧିକ ଶିକ୍ଷିତ ବେକାର ଯୁବକ ଓ ଯୁବତୀ ସେମାନଙ୍କ ଜୀବିକା ପାଇଥିଲେ।

ଏବେ ସେଣ୍ଟରଗୁଡିକର ୮୦ ପ୍ରତିଶତ କର୍ମଚାରୀଙ୍କ ଭବି‌ଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି। ୮ମାସ ଧରି ସ୍କୁଲ ଓ କଲେଜ ବନ୍ଦ ଥିବାବେଳେ ଏଥିରେ ଶିକ୍ଷା ‌କ୍ଷେତ୍ରରେ ଅନେକ ସମସ୍ୟା ଦେଖାଦେଲାଣି। ରାଜ୍ୟ ସରକାର ଆସନ୍ତା ନଭେମ୍ବରରେ ପ୍ରଥମ ପର୍ଯ୍ୟାୟରେ କୋଭିଡ୍‌ କଟକଣା ମଧ୍ୟରେ ଦଶମ ଓ ଯୁକ୍ତଦୁଇ ଶେଷବର୍ଷର ପିଲାଙ୍କ ପାଇଁ ଶିକ୍ଷା ଅନୁଷ୍ଠାନ ଖୋଲିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର