ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଆନ୍ଦୋଳନ କରି ବିଚାରପତିଙ୍କ ଚାମ୍ବରରେ ପଶି ବ୍ୟାପକ ଭଙ୍ଗାରୁଜା ଓ ହିଂସା ମାମଲାରେ ଆଉ ୮ଜଣଙ୍କୁ ବାନ୍ଧିଛି ପୁଲିସ। ସମ୍ବଲପୁର ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ର ଓ ଜିଲ୍ଲା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ପ୍ରଦୀପ ବହିଦାରଙ୍କ ସମେତ ୮ ଜଣ ଓକିଲଙ୍କୁ ଗତକାଲି ବିଳମ୍ବିତ ରାତିରେ ପୁଲିସ ଗିରଫ କରିଥିବା ଜଣାଯାଇଛି। ସିସିଟିଭି ଫୁଟେଜରୁ ମିଳିଥିବା ତଥ୍ୟ ଆଧାରରେ ପୁଲିସ ଅନ୍ୟ ଆନ୍ଦୋଳନକାରୀମାନଙ୍କୁ ଗିରଫ କରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଏନେଇ ସମ୍ବଲପୁର ଏସପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି। ଏଯାଏ ୨୩ ଜଣଙ୍କୁ ଗିରଫ କରିଛି ପୁଲିସ।

Advertisment

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ କଡ଼ା ଆଦେଶ ପରେ ସମ୍ବଲପୁର ଟାଉନ ଥାନା ପୁଲିସ ମଧ୍ୟ ତତ୍ପରତା ଦେଖାଇଥିଲା ପୂର୍ବରୁ ୨ ଜଣ ମହିଳା ଆଇନଜୀବୀଙ୍କ ସମେତ ମୋଟ୍ ୧୫ ଜଣ ଆଇନଜୀବୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା` ଜାମିନ ନମିଳିବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।
ସୁପ୍ରିମକୋର୍ଟଙ୍କ ଆଦେଶ ପରେ ସିଏସି ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଅଧୀନରେ ଥିବା ସବୁ ଓକିଲ ସଂଘ ସହିତ ଆଲୋଚନା କରାଯିବା ପରେ ବର୍ତ୍ତମାନ ଚାଲିଥିବା ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ପଶ୍ଚିମ ଓଡ଼ିଶାର ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ସ୍ଥାପନ ଦିଗରେ ସିଏସି ଏବଂ ସମ୍ବଲପୁର ଓକିଲ ସଂଘ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଓଡ଼ିଶା ହାଇକୋର୍ଟଙ୍କ ଉପରେ ଉଚ୍ଚ ଆଶା ପୋଷଣ କରିଥିଲା। ସବୁ ସାମ୍ବିଧାନିକ ବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ଉପରେ ବି ସଂପୂର୍ଣ୍ଣ ଆସ୍ଥା ପ୍ରକଟ କରାଯାଇ ଆନ୍ଦୋଳନ ସ୍ଥଗିତ ରଖାଯାଇଥିଲା।