ଭୁବନେଶ୍ୱର: କୋଭିଡ୍ ମୁକାବିଲାକୁ ବ୍ୟାପକ କରିବା ଲାଗି ରାଜ୍ୟର ୩ଟି ଜିଲ୍ଲାରେ ୮ଟି ନୂଆ କୋଭିଡ-୧୯ ହସ୍ପିଟାଲ ଖୋଲାଯିବ। କଟକ, ଖୋର୍ଦ୍ଧା ଓ କୋରାପୁଟ ଜିଲ୍ଲାରେ ଥିବା ସରକାରୀ ଓ ଘରୋଇ ହସ୍ପିଟାଲରେ ଏହି କୋଭିଡ-୧୯ ହସ୍ପିଟାଲଗୁଡ଼ିକ ଖୋଲାଯିବ। ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହି ସୂଚନା ଦେଇଛନ୍ତି। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କଟକ, ଖୋର୍ଦ୍ଧା ଓ କୋରାପୁଟ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।
ଶ୍ରୀ ମହାପାତ୍ରଙ୍କ ଚିଠି ଅନୁସାରେ ଏସ୍ସିବି ମେଡିକାଲ କଲେଜର ନୂଆ ମେଡିସିନ ବ୍ଲକରେ ୨୦୦ ଶଯ୍ୟାବିଶିଷ୍ଟ ଉତ୍ସର୍ଗୀକୃତ କୋଭିଡ-୧୯ ହସ୍ପିଟାଲ ଖୋଲିବ। ଏଠାରେ ୩୯ଟି ଆଇସିୟୁ ରହିବ। ସେହିଭଳି ଏସ୍ସିବିର ପୋଷ୍ଟମର୍ଟମ କୋଠା ଓ ପ୍ରସୂତୀ ବିଭାଗର ପ୍ରଥମ ମହଲାକୁ କୋଭିଡ-୧୯ ଓ୍ଵାର୍ଡ ଭାବେ ବ୍ୟବହାର କରାଯିବ।
କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ ଓ ହସ୍ପିଟାଲରେ ମଧ୍ୟ ଉତ୍ସର୍ଗୀକୃତ କୋଭିଡ-୧୯ ହସ୍ପିଟାଲ ଖୋଲାଯିବ। ଏଠାରେ ୬୫ଟି ବେଡ ଓ ୫ଟି ଆଇସିୟୁ ରହିବ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ଖୋଲିବ ବୋଲି ନିଷ୍ପତ୍ତି ହୋଇଛି।
ଭୁବନେଶ୍ୱରସ୍ଥିତ ଆଦିତ୍ୟ ଅଶ୍ମିନୀ ହସ୍ପିଟାଲରେ ୨୫ଟି ଅତିରିକ୍ତ ଆଇସିୟୁ ବେଡ ଥିବା କୋଭିଡ୍ ହସ୍ପିଟାଲ୍ ହେବ। ଏଠାରେ ପୂର୍ବରୁ ୩୦ଟି ଆଇସିୟୁ କାର୍ଯ୍ୟକ୍ଷମ ହେଉଛି। ଭୁବନେଶ୍ୱର ଡୁମଡୁମାସ୍ଥିତ କାନୁନଗୋ ଇଷ୍ଟିଚ୍ୟୁଟ ଅଫ୍ ଡାଇବେଟିଜ୍ (କିଡ୍ସ)ରେ ମଧ୍ୟ ଉତ୍ସର୍ଗୀକୃତ କୋଭିଡ-୧୯ ହସ୍ପିଟାଲ ଖୋଲାଯିବ। ଏଠାରେ ୬୬ଟି,ସାଧାରଣ ବେଡ, ୩୪ଟି ଆଇସିୟୁ ସମେତ ମୋଟ ୧୧୨ଟି ଶଯ୍ୟା ରହିବ।
ସେହିପରି କଟକ ତୁଳସୀପୁରସ୍ଥିତ ସନ୍ ହସ୍ପିଟାଲରେ ମଧ୍ୟ ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଠାରେ ୧୦୫ଟି ଶଯ୍ୟା ଓ ୩୦ଟି ଆଇସିୟୁର ବ୍ୟବସ୍ଥା ରହିବ ଏବଂ ଆବଶ୍ୟକସ୍ଥଳେ ଏହାରେ ଆଇସିୟୁ ସଂଖ୍ୟା ୫୦କୁ ବୃଦ୍ଧି କରାଯାଇପାରେ। କଟକର କାଠଗୋଲା ସାହିରେ ଥିବା ସୃଷ୍ଟି ହସ୍ପିଟାଲରେ ମଧ୍ୟ ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ଖୋଲାଯିବ। ଏଥିରେ ୬୦ଟି ସାଧାରଣ ଶଯ୍ୟା ଓ ୧୫ଟି ଆଇସିୟୁ ରହିବ। ଦରକାର ପଡ଼ିଲେ ଆଇସିୟୁ ବେଡ ସଂଖ୍ୟା ୫୦କୁ ବୃଦ୍ଧି କରାଯିବ ବୋଲି ରାଜ୍ୟ ସରକାର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/plbapl12-covid-19-hospital.jpg)