ଆଉ ୮ଜଣଙ୍କ ମୃତ୍ୟୁ, ରାଜ୍ୟରେ କରୋନାଜନିତ ମୃତକଙ୍କ ସଂଖ୍ୟା ୫୪୬କୁ ବୃଦ୍ଧି

ଭୁବନେଶ୍ବର:  ଆଜି ରାଜ୍ୟରେ କରୋନାରେ ୮ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୪୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଆଜି ଯେଉଁ ୮ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରେ ଗଞ୍ଜାମରୁ ୪ଜଣ ଥିବା ବେଳେ ଖୋର୍ଦ୍ଧା, କୋରାପୁଟ, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ପ୍ରାଣ ହରାଇଥିବା ଜଣାଯାଇଛି। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।
ଗଞ୍ଜାମର ଯେଉଁ ୪ ପୁରୁଷ ମୃତକ ଅଛନ୍ତି, ସେମାନଙ୍କ ବୟସ ଯଥାକ୍ରମେ ୪୫, ୭୮, ୫୬ ଓ ୪୮ ବର୍ଷ। ରାୟଗଡ଼ା ଜିଲ୍ଲାର ଯେଉଁ କରୋନା ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି ତାଙ୍କର ବୟସ ୩୮ ବର୍ଷ। ଖୋର୍ଦ୍ଧା ଜିଲ୍ଲାର ମୃତକଜଣକ ଭୁବନେଶ୍ବରର ୪୮ବର୍ଷ ବୟସ୍କ ପୁରୁଷ। ସୁନ୍ଦରଗଡ଼ର ଜଣେ ୮୦ ବର୍ଷିୟ ପୁରୁଷଙ୍କ ପ୍ରାଣହାନି ଘଟିଛି। ଅପରପକ୍ଷରେ କୋରାପୁଟର ଜଣେ ୪୯ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ହୋଇଛି।

ଏଣେ ଆଜି ରାଜ୍ୟରେ ୩୮୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୮୬ ଓ ସ୍ଥାନୀୟ ଅଞ୍ଚଳରୁ ୧୫୨୪ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୨୪ ହଜାର ୩୧କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏବେ ରାଜ୍ୟରେ ମୋଟ୍ ୯୩, ୭୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯,୬୫୮ ରହିଛି।

ସମ୍ବନ୍ଧିତ ଖବର