ରାଉରକେଲା: ଜାଗା ବିବାଦର ସମାଧାନ ପରେ ସୁନ୍ଦରଗଡ଼ରେ ଶିଳାନ୍ୟାସ ହେବାକୁ ଯାଉଛି ପ୍ରତୀକ୍ଷିତ ଆଉ ୮ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ। ଦିନକ ପରେ ଅର୍ଥାତ୍‌ ଆସନ୍ତା ୧୯ରେ ଶିଳାନ୍ୟାସ କରିବେ କେନ୍ଦ୍ରଆଦିବାସୀ ମନ୍ତ୍ରୀ ବିଶେଶ୍ବର ଟୁଡୁ ଓ ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଜୁଏଲ ଓରାମ। ଗୋଟିଏ ଦିନରେ ଜିଲ୍ଲା ଭିନ୍ନ ଭିନ୍ନ ବ୍ଲକରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ୧୯ ତାରିଖ ପୂର୍ବାହ୍ନ ୯ଟାରେ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଓ ସାଂସଦ ଶ୍ରୀ ଓରାମ ବିଭାଗୀୟ ଅଧିକାରୀଙ୍କ ସହ ମୟୁରଭଞ୍ଜରୁ ବାହାରିବେ। ୧୦ଟାରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିବେ। ୧୦ଟା ୧୫ ମିନିଟ୍‌ରେ ରାଉରକେଲା ବିମାନ ବନ୍ଦରରୁ ହେଲିକେପ୍ଟର ଯୋଗେ କୋଇଡା ବ୍ଲକ ଅଭିମୁଖେ ବାହାରିବେ। ୧୧ଟାରେ କୋଇଡା ବ୍ଲକ ପାଟମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ସର୍ଗିଗଡ଼ା ଖେଳ ପଡ଼ିଆରେ ଆୟୋଜିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ।

Advertisment

ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ କରିବା ସହ ଜନସେବାକୁ ଉଦ୍‌ବୋଧନ ଦେବେ। ପୂର୍ବାହ୍ନ ୧୧ଟା ୪୦ ମିନିଟ୍‌ରେ ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଭାଲୁଡୁଙ୍ଗୁରିପଡ଼ିଆରେ ବଣାଇ ଓ ଗୁରୁଣ୍ଡିଆ ବ୍ଲକ ପାଇଁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ କରିବେ। ଅପରାହ୍ନ ୧୨ଟା ୪୦ ମିନିଟ୍‌ରେ ଗୁରୁଣ୍ଡିଆରୁ ହେଲିକେପ୍ଟରରେ ବାହାରିବେ। ଅପରାହ୍ନ ୧ଟା ୧୦ ମିନିଟ୍‌ରେ ନୂଆଗାଁ ବ୍ଲକ ଅନ୍ତର୍ଗତ ଫୁଲଝର ଖେଳ ପଡ଼ିଆରେ ଆୟୋଜିତ ସଭାରେ ଯୋଗଦେବେ। ସେଠାରେ ନୂଆଗାଁ ଓ ଲାଠିକଟା ବ୍ଲକରେ ନିର୍ମାଣ ହେବାକୁ ଥିବା ଦୁଇଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ କରିବେ। ଅପରାହ୍ନ ୨ଟା ୧୦ ମିନିଟ୍‌ରେ ନୂଆଗାଁରୁ ହେଲିକେପ୍ଟରରେ ବାହାରି ୨ଟା ୪୦ ମିନିଟ୍‌ରେ ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ବାଲିଶଙ୍କରା ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ପହଞ୍ଚିବେ।

ସେଠାରେ ବାଲିଶଙ୍କରା ଓ କୁତ୍ରା ଦୁଇଟି ବ୍ଲକରେ ନିର୍ମାଣ ହେବାକୁ ଥିବା ଦୁଇଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ କରିବେ। ଅପରାହ୍ନ ୩ଟା ୨୦ ମିନିଟ୍‌ରେ ବାଲିଶଙ୍କରାରୁ ହେଲିକେପ୍ଟରରେ ବାହାରି ୩ଟା ୫୦ ମିନିଟ୍‌ରେ ଟାଙ୍ଗରପାଲି ବ୍ଲକ ନିଆଳିପାଣି ପଞ୍ଚାୟତ ଅନ୍ତର୍ଗତ ଚରୁଆଧଳ ଖେଳ ପଡ଼ିଆରେ ପହଞ୍ଚିବେ। ସେଠାରେ ଟାଙ୍ଗରପାଲି ଓ ଲେଫ୍ରିପଡା ବ୍ଲକ‌ ହେବାକୁ ଥିବା ଦୁଇଟି ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟର ଶିଳାନ୍ୟାସ କରିବେ। ଟାଙ୍ଗରପାଲି କାର୍ଯ୍ୟକ୍ରମ ପରେ ହେଲିପ୍ଟେରରେ ଝାରସୁଗୁଡା ଯିବାର କାର୍ଯ୍ୟକ୍ରମ ରହିଛି। ପ୍ରତ୍ୟେକ ବିଦ୍ୟାଳୟ ନିର୍ମାଣ ପାଇଁ କେନ୍ଦ୍ର ସରକାର ପକ୍ଷରୁ ୨୫ କୋଟି ଅର୍ଥ ମଞ୍ଜୁର ହୋଇଛି। ୪ଟି ଏକଲବ୍ୟ ଆବସିକ ବିଦ୍ୟାଳୟ ନିର୍ମାଣ କାମ ଜାରି ରହିଛି। ଅନ୍ୟ ୪ଟି କାର୍ଯ୍ୟକ୍ଷମ ‌ହୋଇ ସାରିଛି।