ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୁଣି ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା। ରାଜ୍ୟରେ ବିଜେପି ସରକାର ଆସିବା ପରେ ନକ୍ସଲ ଦମନରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ନାରାୟଣପୁର ଜିଲ୍ଲାର ଅତିସମ୍ବେଦନଶୀଳ ଅଂଚଳ ଆବୁଝମାଡ ଜଂଗଲର କୁତୁର ଗ୍ରାମ ନିକଟରେ ଯବାନଙ୍କ ଏନକାଉଣ୍ଟରରେ ୮ ଜଣ ନକ୍ସଲଙ୍କୁ ମାରିଛନ୍ତି। ଆବୁଝମାଡ଼ ଜଂଗଲରେ ନକ୍ସଲ ଲୁଚି ରହିଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିବା ପରେ ଗତ ଦୁଇ ଦିନ ତଳେ ନାରାୟଣପୁର, ଦନ୍ତେୱାଵାଡା, କାଂକେର ଏବଂ କୋଣ୍ଡାଗାଓଁରେ ଅବସ୍ଥାପିତ ଏସଟିଏଫ, ଡିଆରଜି ଏବଂ ଆଇଟିବିପିର ଯବାନ ଆବୁଝମାଡ ଜଂଗଲକୁ ଚାରିଆଡେ ଘେରିଥିଲେ।

Advertisment

ସୂଚନାଯୋଗ୍ୟ ଯେ ଆବୁଝମାଡ ଜଂଗଲ ନକ୍ସଲଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ ଏବଂ ଏହି ଅଂଚଳର କୁଟୁର ଗ୍ରାମ ନକ୍ସଲଙ୍କର ରାଜଧାନୀ। କୁଟୁର ଅଂଚଳକୁ ଚାରିପଟୁ ଘେରିବା ପରେ ଗତକାଲି ଠାରୁ ଯବାନଙ୍କ ସାମ୍ନା ନକ୍ସଲଙ୍କ ସହ ହୋଇଥିଲା। ଗତ ୪୦ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଦୁଇ ପଟରୁ ଗୁଳିବିନିମୟ ହୋଇଥିଲା। ଆଜି ଧୀରେଧୀରେ ଯବାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଯବାନଙ୍କୁ ୮ ଜଣ ନକ୍ସଲଙ୍କ ଶବ ମିଳିଥିଲା। ଆହୁରି ଅଧିକା ନକ୍ସଲ ମୃତ୍ୟୁବରଣ କରିଥିବା ଓ ଆହତ ହୋଇଥିବା ଯବାନ ଅନୁମାନ କରୁଛନ୍ତି।

ତେବେ ଏହି ଗୁଳିବିନିମୟରେ ଜଣେ ଏସଟିଏଫ ଯବାନ ସହିଦ ହୋଇଥିବା ବେଳେ ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଯବାନଙ୍କୁ ତୁରନ୍ତ ଏୟାର ଲିଫ୍ଟ କରାଯାଇଛି। ଘଟଣାସ୍ଥଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ କରାଯାଇଛି। ଅସ୍ତ୍ରଶସ୍ତ୍ର ମଧ୍ୟରେ ୩୦୩ ରାଇଫଲ, ଇନସାସ, ବିଜିଏଲ ଲଞ୍ଚର ଜବତ କରାଯାଇଛି।

ତେବେ ମିଳିଥିବା ସୂଚନା ଅନୁଯାୟୀ ଏହି ଏନକାଉଣ୍ଟରରେ ନକ୍ସଲ ଡାକ୍ତର ସୁଖଲାଲ ଓ ଡିଭିଜିନାଲ କମିଟି ଚଳାଉଥିବା ମହିଳା କମାଣ୍ଡର ଅନୀତା ମଧ୍ୟ ମୃତ୍ୟୁବରଣ କରିଛି।ପ୍ରକାଶ ଥାଉକି ଗତ ୫ ମାସ ମଧ୍ୟରେ ଛତିଶଗଡ଼ରେ ଏନକାଉଣ୍ଟରରେ ୧୨୩ ଜଣ ନକ୍ସଲଙ୍କୁ ମରାଯାଇଛି। ଶତାଧିକ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି। ଏବେ ମଧ୍ୟ ଜଂଗଲ ପ୍ରାୟ ୩୦ କିଲୋମିଟର ଭିଦରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ପୁଲିସ କହିଛି। ଯବାନ ଜଂଗଲରୁ ଫେରିବା ପରେ ହିଁ ସବୁ ବିବରଣୀ ପ୍ରଦାନ କରାଯିବ ବୋଲି ପୁଲିସ କହିଛି।