ଭୁବନେଶ୍ବର: ଓଡ଼ିଶାର ନମ୍ବର-୧ ଏଫ୍.ଏମ୍ ରେଡିଓ ଚକଲେଟ୍ ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ‘ହେବେ ବି ରଜ ଆର୍ଜେ’ର ଶ୍ରେଷ୍ଠ ୮ ସଫଳ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ସେମାନେ ହେଲେ, ଐଶ୍ୱର୍ଯ୍ୟା ରଥ, ସୁପ୍ରସାଦ ମହାନ୍ତି, ଚିନ୍ମୟୀ ସାହୁ, ସ୍ମିତା ପତି, ପ୍ରଦୀପ କୁମାର ଦାସ, ସଂଘମିତ୍ରା ପଟ୍ଟନାୟକ, ପାୟଲ ଏବଂ ରଜତ କୁମାର ରାଉତ। ରେଡିଓ ଚକଲେଟ୍ର ଅଫିସ୍ରେ ସେମାନଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଛି। ଏହି ୮ ଜଣ ଆସନ୍ତା ୧୫ ତାରିଖ ସକାଳ ୫ଟାରୁ ରାତି ୧୦ ପର୍ଯ୍ୟନ୍ତ ରେଡିଓ ଚକଲେଟ୍ର ବିଭିନ୍ନ କାର୍ଯ୍ୟକ୍ରମକୁ ଆର୍ଜେ ସାଜି ଉପସ୍ଥାପିତ କରିବେ।
ସୂଚନାଯୋଗ୍ୟ, ପ୍ରତିବର୍ଷ ରଜରେ ରେଡିଓ ଚକଲେଟ୍ ଭିନ୍ନଭିନ୍ନ ମନୋରଂଜନଧର୍ମୀ କାର୍ଯ୍ୟକ୍ରମ କରି ଶ୍ରୋତାମାନଙ୍କ ମନ ଜିତିଥାଏ। ଗତ ମାସ ୨୮ ତାରିଖରୁ ଏପରି ଏକ ଭିନ୍ନଧରଣର ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏଥିରେ ୧୬ ବର୍ଷରୁ ଊର୍ଦ୍ଧ୍ୱ ପ୍ରାୟ ୨୫୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ୪୫ ସେକେଣ୍ଡ୍ର ଅଡିଓକୁ ଆଧାର କରି ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ବଛା ଯାଇଥିଲା। ବିଶିଷ୍ଟ ଫ୍ୟାସନ୍ ଡିଜାଇନର୍ ରାମୁଲୀ ଏବଂ ଲୋକପ୍ରିୟ ଭଏସ୍ ଆର୍ଟିଷ୍ଟ ରାକ୍ଷୀ ପ୍ରତିଯୋଗିତାର ବିଚାରକ ଥିଲେ। ବନଦୁର୍ଗା ରିୟଲକନ୍ ପ୍ରାଇଭେଟ୍ ଲିମିଟେଡ୍, ସାହୁଜି ଶାଢ଼ି ପ୍ୟାଲେସ୍ ଏବଂ ଛପନ ଭୋଗ ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ।