ରାଉରକେଲା: ପାନପୋଷ ସ୍ବୟଂ ଶାସିତ ସରକାରୀ କଲେଜ ପଛ ପାର୍ଶ୍ବରେ ଚାଲିଥିବା ଜୁଆ ଆଡା ଉପରେ ରଘୁନାଥପାଲୀ ପୁଲିସ ଚଢ଼ଉ କରିଛି। ୮ ଜୁଆଡିଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପାନପୋଷ ବସ୍ତିର ଜଗନ୍ନାଥ ସାହୁ (୫୦), ରୁପେଶ ଜସ୍ବାଲ (୩୨), ପାନପୋଷ ଶୁକ୍ରବାର ହାଟର ରାଜେଶ ବର୍ମା ଓ ବାଲା (୫୧), ଜଗନ୍ନାଥମନ୍ଦିର କଲୋନିର ଅରୁଣ ସାଗର (୩୦), କହ୍ନା ବୈଶାଳ (୨୩), ବ୍ରାହ୍ମଣୀତରଙ୍ଗ ବେଦବ୍ୟାସର ଶିବ ବାହାଦୁର (୩୫), ପାନପୋଷ ବସ୍ତିର ସତୀଶ ସାହୁ (୩୦) ଓ ବାଲୁଘାଟର ବରୁଣ ସାଗର (୩୦)। ଘଟଣାସ୍ଥଳରୁ ପୁଲିସ ୮ ମୋଟରବାଇକ୍, ୫ଟି ମୋବାଇଲ ଓ ନଗଦ ୬୬ ହଜାର ୧୬୫ ଟଙ୍କା ଜବତ କରିଛି। ଜବତ ବାଇକ୍ଗୁଡ଼ିକ ମଧ୍ୟରେ ରହିଛି ଆକ୍ଟିଭା (ଓଡି୧୪ଏଚ୍-୧୯୮୪), ହିରୋ ପେସନ୍ (ଓଡି୧୪ଏଚ୍-୧୬୮୪), ହିରୋ ଡିଲକ୍ସ (ଓଡି୧୪ବି ୨୫୯୨), ହିରୋ ଗ୍ଲାମର (ଓଆର୍ ୧୫ କ୍ୟୁ-୭୧୨୨), ଆକ୍ଟିଭା ୬ ଜି (ଓଡି୧୪ଏବି-୩୧୨୩), ବଜାଜ୍ ପଲ୍ସର (ଓଡି୨୩ଡି ୧୭୨୦)।
ଗତକିଛି ଦିନ ଧରି ପାନପୋଷ ସରକାରୀ ସ୍ବୟଂ ଶାସିତ କଲେଜ ପଛପାର୍ଶ୍ବରେ ଜୁଆ ଖେଳ ଚାଲୁଥିଲା। ସଂଧ୍ୟା ହେଲେ ଜୁଆ ଆଡାରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମୁଥିଲା। ଛୋଟବଡ ବ୍ୟବସାୟୀ ଓ କିଛି ଯୁବକ ଜୁଆ ଖେଳ ସାମିଲ ହେଉଥିବା ନେଇ ସ୍ଥାନୀୟ ଲୋକ ରଘୁନାଥପାଲୀ ଥାନାରେ ଅଭିଯୋଗ କରିଥିଲେ। ଲୋକଙ୍କ ଅଭିଯୋଗ ଆଧରରେ ରଘୁନାଥପାଲୀ ପୁଲିସ ସ୍ବତନ୍ତ୍ର ଟିମ୍ ଗତକାଲି ସଂଧ୍ୟା ସାଢ଼େ ୭ଟାରେ ଚଢ଼ଉ କରିଥିଲା। ପୁଲିସ ୮ ଜୁଆଡିଙ୍କୁ ଘଟଣାସ୍ଥଳରେ କାବୁ କରିବାରେ ସକ୍ଷମ ହୋଇଥିଲା, ଅନ୍ୟମାନେ ସେଠାରୁ ଖସିଯାଇଥିଲେ। ଘଟଣାରେ ଗିରଫ ୮ ଜୁଆଡି ନା ଏହି ଗ୍ୟାଙ୍ଗ୍ରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି ପୁଲିସ ତା’ର ତଦନ୍ତ ଚଳାଇଛି। ଉଲ୍ଲେଖଯୋଗ୍ୟ, ସହରର କେବଳ ପାନପୋଷ ସରକାରୀ କଲେଜ ପଛପାର୍ଶ୍ବରେ ନୁହେଁ ଲେବରଟେନାମେଣ୍ଟ ନିକଟ ଦୁର୍ଗାପୁର ପାହାଡ, ବାଲୁଘାଟ, ଇସ୍ପାତ ସହରାଞ୍ଚଳର କିଛି ସ୍ଥାନରେ ସଂଧ୍ୟା ହେଲେ ଜୁଆ ଖେଳ ଚାଲୁଛି। ଦୈନିକ ଲକ୍ଷ ଲକ୍ଷ ଟଙ୍କା ଉଡୁଥିଲେ ହେଁ, ପୁଲିସ ଏହାର ଟେର ପାଉନି।