ଛତ୍ରପୁର: ଅଗ୍ନିଶମ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ୍‌ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ପେଟ୍ରୋଲ୍‌ ପମ୍ପ୍‌, ମଲ୍‌ ଓ ଗ୍ୟାସ୍‌ ଗୋଦାମ ଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି ଯାଞ୍ଚ୍‌‌ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆସିଷ୍ଟାଣ୍ଟ୍‌ ଫାୟାର୍‌ ଅଫିସର୍‌ ବିଶ୍ବନାଥ ମହାନ୍ତିଙ୍କ ନେତୃତ୍ବରେ ଛତ୍ରପୁର ଅଗ୍ନିଶମ ଜିଲ୍ଲା ଅଧୀନ ୧୬ଟି ବ୍ଲକ୍‌ରେ ଥିବା ୩୮ଟି ଗ୍ୟାସ୍‌ ଗୋଦାମ, ୫୨ଟି ପେଟ୍ରୋଲ୍‌ ପମ୍ପ୍‌ରେ ଯାଞ୍ଚ କରା ଯାଇଥିଲା। ସେଥି ମଧ୍ୟରୁ ଛତ୍ରପୁର ଅଞ୍ଚଳର ଗୋଟିଏ, ଆସିକାର ଦୁଇଟି, କୋଦଳାର ଗୋଟିଏ, ହିଞ୍ଜିଳିକାଟୁର ଦୁଇଟି, ପୁରୁଷୋ ମପୁରର ଦୁଇଟି ସମେତ ମୋଟ ୮ଟି ପେଟ୍ରୋଲ୍‌ ପମ୍ପ୍‌ର ଅଗ୍ନି ନିରାପ ତ୍ତା ପ୍ରମାଣପତ୍ର ନଥିବା ଜଣାପଡ଼ିଛି।

Advertisment

ଏଥିସହ କିଛି ପେଟ୍ରୋଲ୍‌ ପମ୍ପ୍‌ରେ ଅଗ୍ନି ନିରାପତ୍ତା ସୁରକ୍ଷା ନିମନ୍ତେ ବିଭିନ୍ନ ଯନ୍ତ୍ରପାତି ଉପଲବ୍ଧ ନଥିବା ଦେଖାଯାଇଛି। ସେହିପରି ଗ୍ୟାସ୍‌ ଗୋଦାମ୍‌ରେ ଯାଞ୍ଚ୍‌ ବେଳେ ଛତ୍ରପୁର, ସୋରଡ଼ା, ବୁଗୁଡ଼ା, ହିଞ୍ଜିଳିକାଟୁ ଭଞ୍ଜନଗର ଓ ପୁରୁଷୋ ମପୁର ଅଞ୍ଚଳର ଗୋଟିଏ ଲେଖାଁଏ ମୋଟ ୬ଟି ଗୋଦାମର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନ ଥିବା ଦେଖିବାକୁ ମିଳିଛି। ଏନେଇ କାର୍ଯ୍ୟାଳୟ ପକ୍ଷରୁ ସଂପୃକ୍ତ ପେଟ୍ରୋଲ୍‌ ପମ୍ପ୍‌ ଓ ଗ୍ୟାସ୍‌ ଗୋଦାମ୍‌ ମାଲିକଙ୍କୁ ନୋଟିସ୍‌ ଜାରି କରାଯାଇଛି। ଅନ୍ୟପକ୍ଷରେ ଛତ୍ରପୁର ସହର ସ୍ଥିତ ଏଚ୍‌ପି ଗ୍ୟାସ୍‌ ଗୋଦାମକୁ ବାରମ୍ବାର ନୋଟିସ୍‌ ସତ୍ତ୍ବେ ଏ ପର୍ଯ୍ୟନ୍ତ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନେଇ ନଥିବା ଆସିଷ୍ଟାଣ୍ଟ୍‌ ଫାୟାର୍‌ ଅଫିସର ଶ୍ରୀ ମହାନ୍ତି କହିଛନ୍ତି। ଆବଶ୍ୟକ ପଡ଼ିଲେ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି। ସେହିପରି ଛତ୍ରପୁର ଜାତୀୟ ରାଜପଥ ନିକଟରେ ମା' ଆଦିଶକ୍ତି ଫିଲିଂ ଷ୍ଟେସନ୍‌ (ବିପିସିଏଲ୍‌) ମଧ୍ୟ ଅଗ୍ନି ନିରାପ ତ୍ତା ପ୍ରମାଣପତ୍ର ନେଇ ନ ଥିବା ସେ କହିଛନ୍ତି।