ଭୁବନେଶ୍ବର: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ମନଖୋଲା ଘୋଷଣା କରୁଛନ୍ତି। ସେଥିରୁ ସରକାରୀ କର୍ମଚାରୀ ବି ବାଦ୍ ପଡ଼ିନାହାନ୍ତି। ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ତାହାର ଆଭାସ ମିଳିଛି। ବିଭିନ୍ନ ସେବା କ୍ୟାଡର୍ର ପୁନର୍ଗଠନ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି। କର୍ମଚାରୀଙ୍କୁ ଖୁସି କରାଇବାକୁ ଏହା ସରକାରଙ୍କ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ବୋଲି କୁହାଯାଉଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା। ଏଥିରେ ସ୍ବାସ୍ଥ୍ୟ ବିଭାଗର ୬ଟି, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଜଳସମ୍ପଦ ବିଭାଗର ଗୋଟିଏ ଲେଖାଏ ପ୍ରସ୍ତାବ ପାରିତ ହୋଇଥିଲା। ମହିଳା ଓ ଶିଶୁ ବିଭାଗ ବିଭାଗ ଅଧୀନସ୍ଥ ୫୦୪ ଜଣ ଚୁକ୍ତିଭିତ୍ତିକ ସୁପର୍ଭାଇଜର୍ଙ୍କ ଚାକିରି ନିୟମିତକରଣ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏହି ନିୟମିତକରଣ ଦ୍ବାରା ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳରେ ଶିକ୍ଷିତ ମହିଳାମାନେ ନିଷ୍ଠାର ସହ ସୁପର୍ଭାଇଜର୍ ଭାବେ କାର୍ଯ୍ୟ କରିବା ପାଇଁ ଅନୁପ୍ରାଣିତ ହେବେ, ଯାହା ସେବା ପ୍ରଦାନ ବ୍ୟବସ୍ଥାର ସାମଗ୍ରିକ ବିକାଶରେ ସହାୟକ ହେବ ବୋଲି ସରକାର ଆଶା ରଖିଛନ୍ତି। ଏଥିପାଇଁ ସରକାରଙ୍କୁ ୧୮.୫୧ କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବାକୁ ପଡ଼ିବ।
ସ୍ବାସ୍ଥ୍ୟ ବିଭାଗର ଅଧୀନରେ ଓଡ଼ିଶା ଲାବୋରେଟୋରି ଟେକ୍ନସିଆନ୍ ସେବା କ୍ୟାଡର୍ର ପୁନର୍ଗଠନ କରାଯାଇଛି। ଏହାର ଚୟନ ପ୍ରକ୍ରିୟାରେ ମଧ୍ୟ ସଂଶୋଧନ କରାଯାଇଛି। ଏହି କ୍ୟାଡର୍ର ୨୨୩୫ଟି ମୂଳ ପଦବିରୁ ୭୯୦ଟି ପଦବି ଉଚ୍ଛେଦ କରାଯାଇ ୧୦୩୦ଟି ନୂଆ ପଦୋନ୍ନତି ଭିତ୍ତିକ ପଦବିରେ ବୃଦ୍ଧି କରାଯାଇଛି। ସମୁଦାୟ ମଞ୍ଜୁରିପ୍ରାପ୍ତ ପଦବି ସଂଖ୍ୟା ୨୫୮୧ ହୋଇଛି। ମୁଖ୍ୟ ବୈଷୟିକ ଅଧିକାରୀ ଓ ସହକାରୀ ନିର୍ଦ୍ଦେଶକ ପଦୋନ୍ନତି ଭିତ୍ତିକ ପଦବି ସୃଷ୍ଟି ହୋଇଛି। ଲାବୋରେଟୋରି ଟେକ୍ନିସିଆନ୍ଙ୍କ ପ୍ରତ୍ୟକ୍ଷ ନିଯୁକ୍ତି ନିମନ୍ତେ ମେଡିକାଲ ଲାବୋରେଟୋରି ଟେକ୍ନୋଲୋଜିରେ ସ୍ନାତକ ଯୋଗ୍ୟତା ଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ। ପଦୋନ୍ନତି ପାଇଁ ସର୍ବନିମ୍ନ ସମୟସୀମାକୁ ହ୍ରାସ କରାଯାଇଛି।
ଓଡ଼ିଶା ରେଡିଓଗ୍ରାଫର୍ ସେବା କ୍ୟାଡର୍ର ପୁନର୍ଗଠନ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି। ଏହି କ୍ୟାଡର୍ର ୬୯୫ ମୂଳ ପଦବିରୁ ୪୦ଟି ଉଚ୍ଛେଦ କରାଯାଇ ୪୭୯ଟି ନୂଆ ପଦୋନ୍ନତି ଭିତ୍ତିକ ପଦବି ବୃଦ୍ଧି କରାଯାଇଛି।
ମୋଟ୍ ପଦବି ସଂଖ୍ୟା ୧୧୬୦ ହୋଇଛି। ବରିଷ୍ଠ ରେଡିଓଗ୍ରାଫର୍ ସ୍ତର-୧, ବିକିରଣ ନିରାପତ୍ତା ଅଧିକାରୀ ଓ ସହକାରୀ ନିର୍ଦ୍ଦେଶକ ପଦୋନ୍ନତି ଭିତ୍ତିକ ପଦବି ସୃଷ୍ଟି ହୋଇଛି। ଓଡ଼ିଶା ନର୍ସିଂ ସେବା କ୍ୟାଡର୍ର ମଧ୍ୟ ପୁନର୍ଗଠନ କରାଯାଇଛି। ଏଥିରେ ୨୮,୨୮୫ ମୂଳ ପଦବିରୁ ୧୧,୯୪୩ଟି ଉଚ୍ଛେଦ କରାଯାଇ ୭୯୯୭ଟି ବରିଷ୍ଠ ନର୍ସିଂ ଅଧିକାରୀ ପଦବି ସୃଷ୍ଟି କରାଯାଇଛି। ଫଳରେ ସମୁଦାୟ ପଦବି ସଂଖ୍ୟା ୨୮,୬୪୮ ହୋଇଛି। ନର୍ସିଂ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସହାୟକ ନର୍ସିଂ ଅଧୀକ୍ଷକଙ୍କ ପର୍ଯ୍ୟନ୍ତ ବରିଷ୍ଠତା ତାଲିକା, ନର୍ସିଂ ନିର୍ଦ୍ଦେଶକଙ୍କ ସ୍ତରରେ ଓ ତଦୁର୍ଦ୍ଧ ଅଧିକାରୀଙ୍କ ବରିଷ୍ଠତା ତାଲିକା ପ୍ରଶାସନିକ ବିଭାଗ ସ୍ତରରେ ପ୍ରସ୍ତୁତ କରାଯିବ। ଏହି ପୁନର୍ଗଠନ ପ୍ରକ୍ରିୟାରେ ବାର୍ଷିକ ଅତିରିକ୍ତ ବ୍ୟୟଭାର ଆନୁମାନିକ ୨୪୫ କୋଟି ଟଙ୍କା ହେବ।
ଓଡ଼ିଶା ବହୁମୁଖୀ ପୁରୁଷ ସ୍ବାସ୍ଥ୍ୟକର୍ମୀ ସେବା କ୍ୟାଡର୍ର ପୁନର୍ଗଠନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏହି କ୍ୟାଡର୍ରେ ମୋଟ୍ ପଦବି ସଂଖ୍ୟା ୬୫୩୮ରୁ ୧୨୩୪୧କୁ ବୃଦ୍ଧି ପାଇଛି। ଆନୁପାତିକ ଭାବେ ପଦୋନ୍ନତି ଭିତ୍ତିକ ପଦବି ମଧ୍ୟ ବୃଦ୍ଧି କରାଯାଇଛି। ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ(ପୁରୁଷ) ସ୍ତର-୧ ପଦବିକୁ ପଦୋନ୍ନତି ପାଇଁ ସଂପୃକ୍ତ ଜିଲ୍ଲାର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ଦ୍ବାରା ଜିଲ୍ଲା ସ୍ତରରେ ବରିଷ୍ଠତା ତାଲିକା ପ୍ରସ୍ତୁତ ପାଇଁ ବ୍ୟବସ୍ଥା କରାଯାଇଛି। କିନ୍ନରମାନଙ୍କୁ ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ(ପୁରୁଷ) ସ୍ତର-୨ ପଦବି ପୂରଣ ନିମନ୍ତେ ହେଉଥିବା ପ୍ରତ୍ୟକ୍ଷ ନିଯୁକ୍ତି ପରୀକ୍ଷାରେ ଆବେଦନ କରିବାକୁ ଅନୁମତି ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି। ପୁନର୍ଗଠନ ପ୍ରକ୍ରିୟାରେ ବାର୍ଷିକ ଅତିରିକ୍ତ ବ୍ୟୟଭାର ଆନୁମାନିକ ୨୧୪ କୋଟି ୬୫ ଲକ୍ଷ ଟଙ୍କା ହେବ। ଓଡ଼ିଶା ବହୁମୁଖୀ ମହିଳା ସ୍ବାସ୍ଥ୍ୟକର୍ମୀ ସେବା କ୍ୟାଡର୍ର ମଧ୍ୟ ପୁନର୍ଗଠନ କରାଯାଇଛି। ଏହି କ୍ୟାଡର୍ରେ ପଦବି ସଂଖ୍ୟା ୧୩୯୬୬ରୁ ୧୫୮୩୧କୁ ବୃଦ୍ଧି କରାଯାଇଛି। ଏହି ପଦବି ପାଇଁ ହେଉଥିବା ପ୍ରତ୍ୟକ୍ଷ ନିଯୁକ୍ତି ପରୀକ୍ଷାରେ ଅଂଶଗ୍ରହଣ ନିମନ୍ତେ ଆଉ ପ୍ରାର୍ଥୀଙ୍କୁ ଏମ୍ପ୍ଲୟମେଣ୍ଟ୍ ଏକ୍ସଚେଞ୍ଜ୍ରେ ନାମ ପଞ୍ଜୀକରଣ କରିବା ବାଧ୍ୟତାମୂଳକ ହେବ ନାହିଁ।
ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ(ମହିଳା) ସ୍ତର-୧ ପଦବିକୁ ପଦୋନ୍ନତି ପାଇଁ ସଂପୃକ୍ତ ଜିଲ୍ଲାର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ଦ୍ବାରା ଜିଲ୍ଲା ସ୍ତରରେ ବରିଷ୍ଠତା ତାଲିକା ପ୍ରସ୍ତୁତ ପାଇଁ ବ୍ୟବସ୍ଥା କରାଯାଇଛି। ଓଡ଼ିଶା ଫାର୍ମାସି ସେବା କ୍ୟାଡର୍ରେ ପୁନର୍ଗଠନ ପ୍ରସ୍ତାବ କ୍ୟାବିନେଟ୍ରେ ପାରିତ ହୋଇଛି। ଏହି କ୍ୟାଡର୍ର ୩୪୯୦ଟି ମୂଳ ପଦବିରୁ ୭୯୨ଟି ଉଚ୍ଛେଦ କରାଯାଇ ୧୦୭ଟି ମୁଖ୍ୟ ଫାର୍ମାସି ଅଧିକାରୀ ପଦବି ସୃଷ୍ଟି କରାଯାଇଛି। ମୋଟ୍ ମଞ୍ଜୁରୀପ୍ରାପ୍ତ ପଦବି ସଂଖ୍ୟା ୫୦୦୦୮ କରାଯାଇଛି। ଏହି ପୁନର୍ଗଠନ ପ୍ରକ୍ରିୟାରେ ବାର୍ଷିକ ଅତିରିକ୍ତ ବ୍ୟୟଭାର ଆନୁମାନିକ ୮୩ କୋଟି ୩୬ ଲକ୍ଷ ଟଙ୍କା ହେବ।