ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ମହିଳାମାନେ କେତେ ଅସୁରକ୍ଷିତ ତାହା ନିକଟରେ ମିଳିଥିବା ଏକ ତଥ୍ୟରୁ ଜଣାପଡ଼ିଛି। ଏଠାରେ ନାବାଳିକାଙ୍କ ସମେତ ବହୁ ସଂଖ୍ୟକ ମହିଳା ଦୁଷ୍କର୍ମ ଓ ଗଣଦୁଷ୍କର୍ମର ଶିକାର ହେଉଛନ୍ତି। କଲେଜ ଓ ସ୍କୁଲ ଛାତ୍ରୀମାନେ ବି ଏଥିରୁ ବାଦ ପଡ଼ୁନାହାନ୍ତି। ରାଉରକେଲା ପୁଲିସ ମୁଖ୍ୟାଳୟରୁ ମିଳିଥିବା ସୂଚନା ମୁତାବକ କେବଳ ରାଉରକେଲା ପୁଲିସ ଜିଲ୍ଲାର ୨୪ଟି ଥାନା ଅଞ୍ଚଳରେ ଗତ ସାଢ଼େ ତିନି ବର୍ଷରେ (୨୦୨୦ ଜାନୁଆରିରୁ ୨୦୨୩ ଜୁନ୍‌) ୩୨୯ରୁ ଅଧିକ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଧାରୁ ଅଧିକ ଅର୍ଥାତ ୧୬୯ ଜଣ ନାବାଳିକା। ପରିସଂଖ୍ୟାନ ଅନୁଯାୟୀ ରାଉରକେଲା ପୁଲିସ ଜିଲ୍ଲାରେ ମାସକୁ ହାରହାରି ୮ ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି। କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏହି ୩୨୯ ଘଟଣାରେ ପୁଲିସ ୩୯୦ ଦୁଷ୍କର୍ମକାରୀଙ୍କୁ ଜେଲ୍‌ ପଠାଇଛି। ଏହା ସତ୍ତ୍ବେ ରାଉରକେଲା ପୁଲିସ ଜିଲ୍ଲାରେ ଦୁଷ୍କର୍ମ କମୁନି। ସର୍ବାଧିକ ଦୁଷ୍କର୍ମ ମାମଲା ରୁଜୁ ହୋଇଛି ବ୍ରାହ୍ମଣୀତରଙ୍ଗ, ଲହୁଣିପଡ଼ା ଓ ପ୍ଲାଣ୍ଟସାଇଟ୍‌ ଥାନା ଅଞ୍ଚଳରେ।

Advertisment

publive-image

ରାଉରକେଲା ଏସ୍‌ପିଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୨୦ରେ ୫୧ ମହିଳା ଓ ୪୫ ନାବାଳିକା, ୨୦୨୧ରେ ୪୧ ମହିଳା ଓ ୪୮ ନାବାଳିକା ଦୁଷ୍କର୍ମରେ ଶିକାର ହୋଇଛନ୍ତି। ୨୦୨୨ରେ ୪୮ ମହିଳା ଏବଂ ୫୦ ନାବାଳିକା, ୨୦୨୩ ଜୁନ୍‌ ଶେଷ ସୁଦ୍ଧା ୨୦ ମହିଳା ଓ ୨୬ରୁ ଅଧିକ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ସେହି ଭଳି ପୁଲିସ ୨୦୨୦ରେ ୧୨୦ ଦୁଷ୍କର୍ମକାରୀଙ୍କୁ ଗିରଫ କରିଥିବାବେଳେ ୨୦୨୧ରେ ୯୬, ୨୦୨୨ରେ ୧୨୦ ଓ ୨୦୨୩ ଜୁନ୍‌ ଶେଷ ସୁଦ୍ଧା ୫୪ରୁ ଅଧିକ ଦୁଷ୍କର୍ମକାରୀଙ୍କୁ ଗିରଫ କରି ଜେଲ୍‌ ପଠାଇଛି। ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ୨୦୨୦, ୨୦୨୧ ଓ ୨୦୨୨ରେ ୧୦ ଜଣ ଲେଖାଏଁ ଦୁଷ୍କର୍ମର ଶିକାର ହୋଇଥିଲାବେଳେ ୨୦୨୩ ଜୁନ୍‌ ଶେଷ ସୁଦ୍ଧା ୪ଟି ଏଭଳି ଘଟଣା ଘଟିଲାଣି। ପ୍ଲାଣ୍ଟସାଇଟ୍‌ ଅଧୀନସ୍ଥ ଟିମ୍ବର କଲୋନି, ମଧୁସୂଦନପାଲି, ଗୋପବନ୍ଧୁପାଲିରେ ଅଧିକ ଦୁଷ୍କର୍ମ ମାମଲା ରୁଜୁ ‌ହୋଇଛି। ୨୦୨୦ରେ ୧୦, ୨୦୨୧ରେ ୭, ୨୦୨୨ରେ ୧୧, ୨୦୨୩ ଜୁନ୍‌ ଶେଷ ସୁଦ୍ଧା ୪ ଜଣ ଦୁଷ୍କର୍ମର ଶିକାର ହୋଇଛନ୍ତି।

ଲହୁଣିପଡା ଥାନାରେ ୨୦୨୦ରେ ୬, ୨୦୨୧ରେ ୧୪, ୨୦୨୨ରେ ୧୨ ଏବଂ ୨୦୨୩ ଜୁନ୍‌ ଶେଷ ସୁଦ୍ଧା ୩ ଜଣ ମହିଳା ଓ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ବଣାଇ ଥାନା ଅଞ୍ଚଳରେ ୪୨ ମାସରେ ୧୮, ଟିକାୟତପାଲି ଥାନାରେ ୧୧, ବିଶ୍ରା ଥାନାରେ ୧୫, ମହିଳା ଥାନାରେ ୬, ଛେଣ୍ଡ ଥାନାରେ ୬, ରଘୁନାଥପାଲି ଥାନାରେ ୧୬ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ସେକ୍ଟର-୭ ଥାନା ଅଞ୍ଚଳରେ ୧୧, ଉଦିତନଗର ଅଞ୍ଚଳରେ ୨୨, ସେକ୍ଟର-୩ରେ ୬ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଟାଙ୍ଗରପାଲି ଥାନା ଅଞ୍ଚଳରେ ୯ ଜଣ ଦୁଷ୍କର୍ମର ଶିକାର ହୋଇଥିଲାବେଳେ ଲାଠିକଟାରେ ୫, ବନ୍ଧମୁଣ୍ଡାରେ ୧୩, ଝିରପାଣିରେ ୮, ମହୁଲପଦା ଥାନା ଅଞ୍ଚଳରେ ୧୨ ମହିଳା ଓ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଉପାନ୍ତ ବ୍ଲକ ଗୁରୁଣ୍ଡିଆ ଥାନା ଅଞ୍ଚଳରେ ୧୧ ମହିଳା ଓ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲାବେଳେ କୋଇଡ଼ାରେ ୧୧ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଚାନ୍ଦିପୋଷ ଥାନାରେ ୧୧, କେ. ବଲାଙ୍ଗ ଥାନା ଅଞ୍ଚଳରେ ୧୦ ଓ ବ୍ରାହ୍ମଣୀତରଙ୍ଗରେ ୩୪ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି।