ରାତିସାରା ବାନ୍ଧିରଖିଲା ସମୁଦ୍ର ବାଲି, ଯୁବକଙ୍କୁ ଉଦ୍ଧାର କରି ଫସିଲେ ୮

ବାଲେଶ୍ୱର : ବାଲେଶ୍ବରର ଚାନ୍ଦିପୁର ବେଳାଭୂମିରେ ସମୁଦ୍ର ବାଲି ରାତିସାରା ଜଣେ ଯୁବକଙ୍କୁ ବାନ୍ଧି ରଖିଥିବା ଦେଖିବାକୁ ମିଳିଛି। ଏହି ଯୁବକଙ୍କୁ ଉଦ୍ଧାର କରିବାକୁ ଯାଇ ୮ ଜଣ ବି ଜୁଆର ପାଣିରେ ଫସି ଯାଇଥିଲେ। ସେମାନଙ୍କୁ ଏନ୍‌ଡିଆର୍ଏଫ୍‌ ଟିମ୍‌ ଉଦ୍ଧାର କରିଛି।

ଏହି ଯୁବକ ହେଲେ ସୁନାପୁର ଛକର ଗଣେଶ ରୋମ୍‌ଙ୍କ ପୁଅ ଅଶୋକ(୪୦)। ଅଶୋକ ଗତକାଲି ରାତିରେ ଚାନ୍ଦିପୁର ବେଳାଭୂମି ବୁଲିବାକୁ ଆସିଥିବାବେଳେ ବାଲିରେ ଫସି ଯାଇଥିଲେ। ଧୀରେଧୀରେ ସେହି ବାଲିରେ ସେ ପୋତି ହୋଇଯାଇଥିଲେ। ଆଜି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଅଶୋକ ବେଳାଭୂମିରୁ ପ୍ରାୟ ଦେଢ଼ କିଲୋମିଟର ଭିତରେ ଥାଇ ତାଙ୍କୁ ଉଦ୍ଧାର କରିବା ପାଇଁ ଡାକ ଛାଡ଼ିଥିଲେ। ହାତଟେକି ଡାକୁଥିବା ବେଳେ ସେଠାରେ ଗାଧୋଉଥିବା ୮ ଜଣ ସାହସୀ ଯୁବକ ପାଣି ଭିତରେ ପଶି ତାଙ୍କୁ ଉଦ୍ଧାର କରିଥିଲେ। ଏହି ୮ ଜଣ ‌େହଲେ, ବାଲେଶ୍ବର ସହଦେବଖୁଣ୍ଟା ଅଞ୍ଚଳରୁ ରାଜେଶ ସିଂ, ଗଣେଶ ବେହେରା, ଜଗନ ପାତ୍ର, ଆଲୋକ ପାତ୍ର, ରଂଜନ ପାତ୍ର, କାର୍ତ୍ତିକ ବେହେରା, କିଶାନ ପାତ୍ର ଓ ସଂଜୟ ବେହେରା। ଅଶୋକଙ୍କ ଶରୀର ବାଲିରେ ସମ୍ପୂର୍ଣ୍ଣ ପୋତି ହୋଇଯାଇଥିବା ସେମାନେ ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ବାଲିରୁ ବାହାର କଲାବେଳକୁ ସେ ଚେତାଶୂନ୍ୟ ଅବସ୍ଥାରେ ଥିଲେ। ଠିକ୍‌ ଏତିକି ବେଳେ ସମୁଦ୍ରରେ ଜୁଆର ଧୀରେ ଧୀରେ ବଢ଼ିବାରେ ଲାଗିଥିଲା। ଉଦ୍ଧାର ପାଇଁ ଯାଇଥିବା ୮ ଜଣ ସେଠାରେ ଏକ ପ୍ରକାର ଫିସଯିବାରୁ କୂଳକୁ ହାତଟେକି ଲୋକମାନଙ୍କୁ ସାହାଯ୍ୟ ମାଗିଥିଲେ।

ଏ ସମ୍ପର୍କରେ ଖବରପାଇବା ପରେ ଏନ୍‌ଡିଆରଏଫ୍‌ ଓ ଓଡ୍ରାଫ୍‌ ଟିମ୍‌ ତୁରନ୍ତ ସେଠାକୁ ପାୱାର ବୋଟ୍‌ ନେଇ ପହଞ୍ଚିବା ସହିତ ସମସ୍ତଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ଏହାପରେ ଗୁରୁତର ଅଶୋକଙ୍କୁ ଏନ୍‌ଡିଆର୍‌ଏଫ୍‌ ଗାଡ଼ିରେ ବାଲେଶ୍ବର ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଚିକିତ୍ସା କରିବା ହେବା ଚେତା ଫେରିଥିଲା। ଅନ୍ୟପକ୍ଷରେ ଗତକାଲିରୁ ଅଶୋକ ନିଖୋଜ ଥିବାରୁ ତାଙ୍କ ଘର ଲୋକେ ବିଭିନ୍ନ ଆଡ଼େ ଖୋଜାଖୋଜି କରୁଥିଲେ। ଅଶୋକଙ୍କୁ ପାଇବା ପରେ ସେମାନେ ଆଶ୍ବସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ, ଅଶୋକଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କରିଥିବା ବାଲେଶ୍ବର ସହରର ସମ୍ପୃକ୍ତ ଯୁବକଙ୍କ ସାହସିକତାକୁ ସାଧାରଣରେ ଖୁବ୍‌ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର