ଜଣେଲେଖାଏଁ ଶିକ୍ଷକରେ ଚାଲିଛି ୮ ବିଦ୍ୟାଳୟ

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ର ୧୩ଟି ଏମ୍‌ଇ (ମଧ୍ୟ ଇଂରାଜୀ) ବିଦ୍ୟାଳୟ ମଧ୍ୟରୁ ୮ଟିରେ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି। ଫଳରେ ଏସବୁ ସ୍କୁଲ୍‌ରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି।

ଏହି ବିଦ୍ୟାଳୟ ଗୁଡ଼ିକରେ କେବଳ ଷଷ୍ଠ ଓ ସପ୍ତମ ଶ୍ରେଣୀ ରହିଛି। ଏସବୁ ବିଦ୍ୟାଳୟ ଗୁଡ଼ିକ ୩୦ ବର୍ଷ ତଳେ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଖୋଲା ଯାଇଥିଲା। ପରବର୍ତ୍ତୀ ସମୟରେ ବିଦ୍ୟାଳୟ ଗୁଡ଼ିକୁ ସରକାରୀ ଅନୁଦାନ ମିଳିଥିଲା। ହରିଚନ୍ଦନପୁର ବ୍ଲକ୍‌ର ପିଠାଗୋଳା, ବ୍ରାହ୍ମଣୀପାଳ, ଗେହ୍ଲାମୁଣ୍ଡା, ସନ୍ତୋଷପୁର ଓ ସୋମଗିରି ଏମ୍‌ଇ ସ୍କୁଲ୍‌ ଅନୁଦାନପ୍ରାପ୍ତ ହୋଇଥିବା ବେଳେ ଚଷାଟାଙ୍ଗିରି, ରାସୋଳ, ପିଟାଟାଙ୍ଗର, ଠାକୁରପଡ଼ା, ଧଗୋଠ, ବ୍ରଜମୋହନପୁର, ନୂଆଗାଁ ଓ ଟସରଅଡ଼ା ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ। ଏସବୁ ସ୍କୁଲ୍‌ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାନ୍ନଭୋଜନ ଓ ପୋଷାକ ଦିଆଯାଉଛି। ଶିକ୍ଷକଙ୍କୁ ପ୍ରତିମାସରେ ଦରମା ମିଳୁଛି। ତେବେ ବିଦ୍ୟାଳୟ ଗୁଡ଼ିକରେ ବଷବର୍ଷ ଶିକ୍ଷକ ପଦବି ଖାଲି ପଡ଼ିଥିଲେ ମଧ୍ୟ ସେଗୁଡ଼ିକୁ ପୂରଣ କରାଯାଉନି।

ପିଠାଗୋଳା, ଗେହ୍ଲାମୁଣ୍ଡା, ସନ୍ତୋଷପୁର, ଚଷାଟାଙ୍ଗିରି, ପିଟାଟାଙ୍ଗର, ଠାକୁରପଡ଼ା, ଧଗୋଠ ଓ ଟସରଅଡ଼ା ଏମ୍‌ଇ ସ୍କୁଲ୍‌ରେ ମାତ୍ର ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି। ଫଳରେ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା, ମଧ୍ୟାହ୍ନଭୋଜନ ଏବଂ ଅଫିସ କାମ କରିବାରେ ସମସ୍ୟା ହେଉଛି। ସେ ଛୁଟିରେ ରହିଲେ ବିଦ୍ୟାଳୟରେ ପାଠପଢ଼ା ଠପ୍‌ ହୋଇଯାଉଛି। ପିଲାମାନେ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ୨୦୨୪ ମସିହାରେ ୩ଟି ସ୍କୁଲ୍‌ର ଶିକ୍ଷକ ଅବସର ଗ୍ରହଣ କରିବେ। ସରକାର ଏସବୁ ସ୍କୁଲ୍‌ରେ ନୂତନ ଶିକ୍ଷକ ନିଯୁକ୍ତି ନଦେଲେ ଉକ୍ତ ସ୍କୁଲ୍‌ ଗୁଡ଼ିକ ବନ୍ଦ ହୋଇଯିବ। ତୁରନ୍ତ ଏସବୁ ସ୍କୁଲ୍‌ରେ ଶିକ୍ଷକ ନିଯୁକ୍ତି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର